ଇଏସଆଇ ଯୋଗଦାନ ହାରକୁ ୬.୫ ରୁ ୪ ପ୍ରତିଶତକୁ କମାଇଲେ ସରକାର
ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଇଏସଆଇ ଯୋଜନାରେ ଯୋଗଦାନକୁ ୬.୫% ପ୍ରତିଶତରୁ ୪%କୁ କମାଇ ଦେଇଛନ୍ତି । ନିଯୁକ୍ତିଦାତାଙ୍କ ଯୋଗଦାନକୁ ୪.୭%ରୁ ୩.୨୫%କୁ କମାଇ ଦିଆଯାଇଥିବା ବେଳେ କର୍ମଚାରୀଙ୍କ ଯୋଗଦାନକୁ ୧.୭୫%ରୁ ୦.୭୫%କୁ ହ୍ରାସ କରାଯାଇଛି । ହ୍ରାସ ପାଇଥିବା ହାର ୧.୭.୨୦୧୯ ଠାରୁ ଲାଗୁ ହେବ । ଏହାଦ୍ୱାରା ୩.୬ କୋଟି କର୍ମଚାରୀ ଏବଂ ୧୨.୮୫ ନିଯୁକ୍ତିଦାତା ଲାଭବାନ ହୋଇପାରିବେ । ଯୋଗଦାନ ପରିମାଣ ହ୍ରାସ ପାଇବା ଫଳରେ କର୍ମଚାରୀମାନେ ଆଶ୍ୱସ୍ତି ପାଇବା ସହିତ ଅଧିକ ସଂଖ୍ୟକ କର୍ମଚାରୀ ଇଏସଆଇ ଯୋଜନାରେ ପଞ୍ଜିକୃତ ହୋଇପାରିବେ । ଏହାଦ୍ୱାରା ଅଧିକ ସଂଖ୍ୟକ କର୍ମଶକ୍ତି ସଂଗଠିତ କ୍ଷେତ୍ରକୁ ଆସିପାରିବେ । ସେହିପରି, ନିଯୁକ୍ତିଦାତାଙ୍କ ଅଂଶଧନ ହ୍ରାସ ପାଇବା ଫଳରେ ଏସବୁ ସଂସ୍ଥାଗୁଡ଼ିକ ଆର୍ଥିକ ବୋଝ ହ୍ରାସ ପାଇବ ଏବଂ ଏହା ସେମାନଙ୍କ ଦୀର୍ଘସ୍ଥାୟିତ୍ୱକୁ ମଧ୍ୟ ବଜାୟ ରଖିବାରେ ସହାୟକ ହେବ । ଏହା ମଧ୍ୟ ବ୍ୟବସାୟିକ ସୁଗମତାକୁ ସମ୍ପ୍ରସାରିତ କରିବ । ଏହା ମଧ୍ୟ ଆଶା କରାଯାଉଛି ଯେ ଇଏସଆଇ ଯୋଗଦାନ ହ୍ରାସ ପାଇବା ଫଳରେ ଆଇନର ଅନୁପାଳନରେ ଉନ୍ନତି ଆସିବ । କର୍ମଚାରୀ ରାଜ୍ୟ ବୀମା ଆଇନ ୧୯୪୮ (ଇଏସଆଇ ଆଇନ) ଏହା ଅଧୀନରେ ବୀମାଭୁକ୍ତ ବ୍ୟକ୍ତିମାନଙ୍କୁ ଚିକିତ୍ସା, ନଗଦ, ମାତୃତ୍ୱ, ଅକ୍ଷମତା ଏବଂ ନିର୍ଭରଶୀଳତାର ଲାଭ ପ୍ରଦାନ କରିଥାଏ । ଇଏସଆଇ ଆଇନ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଦ୍ୱାରା ପରିଚାଳିତ ହୋଇଥାଏ । ଇଏସଆଇ ଆଇନ ଅଧୀନରେ ଯୋଗାଇ ଦିଆଯାଉଥିବା ଲାଭ ନିମନ୍ତେ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପକ୍ଷରୁ ଦିଆଯାଉଥିବା ଯୋଗଦାନକୁ ଉପଯୋଗ କରାଯାଇଥାଏ । ଇଏସଆଇ ଆଇନ ଅଧୀନରେ କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟ ସେମାନଙ୍କ ଅଂଶଧନ ଦାଖଲ କରିଥାନ୍ତି । ଭାରତ ସରକାର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଅଧୀନରେ ଇଏସଆଇ ଆଇନ ଅନ୍ତର୍ଗତ ଯୋଗଦାନ ଦର ନିର୍ଦ୍ଧାରଣ କରିଥାନ୍ତି । ବର୍ତମାନ ମଜୁରିର ୬.୫% ଯୋଗଦାନ ନିର୍ଦ୍ଧାରଣ କରାଯାଇଛି, ଏଥିମଧ୍ୟରୁ ନିଯୁକ୍ତିଦାତାଙ୍କ ଯୋଗଦାନ ୪.୫% ଏବଂ କର୍ମଚାରୀଙ୍କ ଯୋଗଦାନ ୧.୭୫% ରହିଛି । ଏହି ଦର ୦୧.୦୧.୧୯୯୭ ଠାରୁ ଲାଗୁ ହୋଇଆସିଛି । ଅଧିକ ସଂଖ୍ୟକ ଲୋକମାନଙ୍କୁ ସାମାଜିକ ନିରପତାର ଲାଭ ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଡିସେମ୍ବର ୨୦୧୬ ଠାରୁ ଜୁନ ୨୦୧୭ ପର୍ଯ୍ୟନ୍ତ ନିଯୁକ୍ତଦାତା ଏବଂ କର୍ମଚାରୀଙ୍କ ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏଥିସହିତ ପର୍ଯ୍ୟାୟକ୍ରମେ ଦେଶର ସବୁ ଜିଲ୍ଲାକୁ ଏହି ଯୋଜନାର ପ୍ରସାର ପହଁଚାଇବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ପ୍ରସାରର ମଜୁରି ସିଲିଂ ୧.୧. ୨୦୧୭ ପରଠାରୁ ମାସିକ ୧୫ ହଜାର ଟଙ୍କାରୁ ବୃଦ୍ଧି କରାଯାଇ ୨୧ ହଜାର ଟଙ୍କା କରି ଦିଆଯାଇଥିଲା । ଏହି ପ୍ରୟାସ ଫଳରେ ପଞ୍ଜିକୃତ କର୍ମଚାରୀ ଯଥା ବୀମାଭୁକ୍ତ ବ୍ୟକ୍ତି ଏବଂ ସେମାନଙ୍କ ନିଯୁକ୍ତିଦାତାଙ୍କ ସଂଖ୍ୟା ଓ ଯୋଜନାରୁ ସେମାନଙ୍କୁ ମିଳୁଥିବା ଲାଭରେ ଉତ୍ସାହଜନକ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ୨୦୧୫-୧୬ରେ ନିଯୁକ୍ତିଦାତାଙ୍କ ସଂଖ୍ୟା ୭,୮୩,୭୮୬ ଥିବା ବେଳେ ବୀମାଭୁକ୍ତ କର୍ମଚାରୀଙ୍କ ସଂଖ୍ୟା ୨.୧ କୋଟି ଥିଲା, ଏହି ବର୍ଷର ଯୋଗଦାନ ପରିମାଣ ୧୧,୪୫୫ କୋଟି ଟଙ୍କା ଥିଲା । ୨୦୧୬-୧୭ ବର୍ଷରେ ନିଯୁକ୍ତିଦାତାଙ୍କ ସଂଖ୍ୟା ୮,୯୮,୧୩୮ ଏବଂ ବୀମାଭୁକ୍ତ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୩.୧ କୋଟି ଓ ଯୋଗଦାନ ୧୩,୬୬୨ କୋଟି ଟଙ୍କା ଥିଲା । ୨୦୧୭-୧୮ରେ ନିଯୁକ୍ତଦାତାଙ୍କ ସଂଖ୍ୟା ୧୦,୩୩,୭୩୦ ଏବଂ ବୀମାଭୁକ୍ତ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୩.୪ କୋଟି ଏବଂ ସେମାନଙ୍କ ଯୋଗଦାନ ପରିମାଣ ୨୦, ୦୭୭ କୋଟି ଟଙ୍କା ଥିଲା । ଅନୁରୂପ ଭାବେ ୨୦୧୮-୧୯ରେ ନିଯୁକ୍ତିଦାତାଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨, ୮୫,୩୯୨ ଏବଂ ବୀମାଭୁକ୍ତ କର୍ମଚାରୀଙ୍କ ସଂଖ୍ୟା ୩.୬ କୋଟି ଏବଂ ସେମାନଙ୍କ ଯୋଗଦାନ ପରିମାଣ ୨୨,୨୭୯ କୋଟି ଟଙ୍କା ଥିଲା । ଭାରତ ସରକାର କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ କଲ୍ୟାଣ ପ୍ରତି ସମର୍ପିତ । ସେହିପରି ଏହା ମଧ୍ୟ ଇଏସଆଇ ଯୋଜନା ଅଧୀନରେ ଚିକିତ୍ସା ସେବା ଓ ଅନ୍ୟ ଲାଭର ମାନରେ ଉନ୍ନତି ଆଣିବା ଲାଗି ପ୍ରତିବଦ୍ଧ ।