ଇକୋ ରିଟ୍ରିଟ୍ ପାଇଁ ପଡ଼ିଆ ଜମି ମପାକୁ ବିରୋଧ ; ୬ଦିନ ସମୟ ଦେଲେ ଅଧିବାସୀ

 ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଦାରିଙ୍ଗବାଡ଼ି ସ୍ଥିତ ହିଲଭିୟୁ ନିକଟ ପଡ଼ିଆ ଜମିରେ ହେବାକୁ ଥିବା ଇକୋ ରିଟ୍ରିଟ୍ କାର୍ଯ୍ୟକୁ ସ୍ଥାନୀୟ ସାରିଙ୍ଗିରିପି ଅଧିବାସୀମାନେ ବିରୋଧ କରିଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମ ପାଇଁ ଗତ ଦିନରେ ଜିଲା ପ୍ରଶାସନ ଦ୍ୱାରା ଉକ୍ତ ଜମିକୁ ଶନିବାର ଚିହ୍ନଟ କରାଯାଇଥିଲା। ତେବେ ଉକ୍ତ ଚିହ୍ନଟ ଜମିରେ କିଛି ସ୍ଥାନ ବ୍ୟକ୍ତିଗତ ଲୋକଙ୍କ ନାମରେ ପଟା ହୋଇଥିବା ବେଳେ ଅନ୍ୟ ସବୁ ଜମି ସରକାରୀ ଜମି ରହିଛି। ସରକାରୀ ଜମିକୁ ଆଖି ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ କରିବା ପାଇଁ ସୋମବାର ଦାରିଙ୍ଗବାଡ଼ି ତହସିଲଦାର ନୀତିଶ ତ୍ରିପାଠୀ , ଥାନା ଅଧିକାରୀ କୌଶିକ ମାଝୀ ପ୍ରମୁଖ ଉପସ୍ଥିତିରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ଅଞ୍ଚଳର ଶତାଧିକ ଳୋକ ଏହାକୁ ବିରୋଧ କରିଥିଲେ। ଗତ ୧୧ ବର୍ଷତଳେ ୨୪୨ ଜଣ ଆଦିବାସୀ ଲୋକଙ୍କ ପାଇଁ ଜଙ୍ଗଲ ଜମି ପଟା ନିମନ୍ତେ ଜମି ମପା ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପଟା ପ୍ରଦାନ କରାଯାଇନାହିଁ। ଗତ ଜାନୁୟାରୀ ମାସରେ ପଟା ପ୍ରଦାନ କରାଯିବା ନେଇ ପ୍ରଶାସନ ପକ୍ଷରୁ ମଧ୍ୟ କୁହାଯାଇଥିଲା। ତାହା ମଧ୍ୟ ହୋଇନାହିଁ। ଲୋକଙ୍କୁ ଜଙ୍ଗଲ ଜମି ଦେବା ନେଇ ଜମି ମାପ ହେବାପରେ କିପରି ଭାବେ ଏହି ଜମିକୁ ଆମେ ସରକାରଙ୍କୁ ଦେବୁ ବୋଲି ଲୋକେ ପ୍ରଶ୍ନ କରି ପ୍ରତିବାଦ ଜଣାଇଥିଲେ। ଉକ୍ତ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନରେ କାର୍ଯ୍ୟକ୍ରମ କରିବାକୁ ପ୍ରଶାସନକୁ ଗ୍ରମାବାସୀ ଦାବି କରିଥିଲେ। ତହସିଲଦାର ଓ ଥାନା ଅଧିକାରୀ ବହୁ ବୁଝାସୁଝା କରିଥିଲେ ମଧ୍ୟ କେହି ବୁଝି ନଥିବା ବେଳେ ଜମି ବିବାଦର ନିଷ୍ପତ୍ତି ନେବା ପାଇଁ ପ୍ରଶାସନକୁ ୬ଦିନର ସମୟ ମାଗିଥିଲେ ଗ୍ରାମବାସୀ। ୬ଦିନ ମଧ୍ୟରେ ଗ୍ରାମବାସୀ ଆଲୋଚନା କରି ଇକୋ ରିଟ୍ରିଟ୍ ପାଇଁ ଜମି ପ୍ରଦାନ କରାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ଜଣାଇବେ ବୋଲି ଅଞ୍ଚଳବାସୀ ପ୍ରଶାସନ ଆଗରେ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ ନିଷ୍ପତ୍ତି ନ ସରିବା ଯାଏଁ ଜମିକୁ କୌଣସି ମତେ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରିପାରିବେ ନାହିଁ ବୋଲି ଅଞ୍ଚଳବାସୀମାନେ ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ