ଇଞ୍ଚୋଳ- ଇଶଳା ରାସ୍ତା ଶୋଚନୀୟ, ହନ୍ତସନ୍ତ ହେଉଛନ୍ତି ୩ଟି ଗ୍ରାମର ଗ୍ରାମବାସୀ
ହାଟଡିହି, (ବିକାଶ ବିଶ୍ୱାଳ):ହାଟତିହି ବ୍ଲକର ଏକ ପ୍ରମୁଖ ରାସ୍ତା ଭାବେ ପରିଗଣିତ ଇଞ୍ଚୋଳ- ଇଶଳା ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବେ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ୪ଟି ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଇଞ୍ଚୋଳ- ଇଶଳା ଭାୟା ଧାନଘର ଦେଇ ନିର୍ମାଣ ହୋଇଥିବା ଏହି ରାସ୍ତାଟି ଗତ ୬ବର୍ଷ ପୁର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହିରାସ୍ତାଟି ନିମ୍ନମାନର କାମ ଯୋଗୁଁ ମାତ୍ର ଦିନ କେଇଟା ଭିତରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଗଲା । ଏହି ରାସ୍ତାରେ କୌଣସି ଭାରିଯାନ ଚ଼ଳାଚ଼ଳ କରୁ ନଥିବାବେଳେ ଦିନ କେଇଟା ଭିତରେ ପିଚୁ ସବୁ ଉଠିଯାଇ ବିରାଟ ବିରାଟ ଖାଲଖମାରେ ପରିପୂର୍ଣ୍ଣ ହୋଇଯାଇଛି । ଫଳରେ ୪ଚ଼କିଆ ଗାଡି ତ ଦୁରର କଥା ବାଇକଟିଏ ନେଇ ଯିବା ଆସିବା କଷ୍ଟକର ହୋଇ ପଡ଼ୁଛି । ଯାହାଦ୍ଵାରା ଧାନଘର, ଓସ୍ତପାଳ ଗ୍ରାମର ଲୋକମାନେ ଇଞ୍ଚୋଳ ପଞ୍ଚାୟତ କାର୍ଯ୍ୟାଳୟକୁ ୬ କିଲୋମିଟର ବାଟ ବୁଲି ବୁଲି ଆସୁଛନ୍ତି । ଅନେକ ଲୋକ ପିଡିଏସ ଚାଉଳ ମୁଣ୍ଡାଇ ମୁଣ୍ଡାଇ ନେବାକୁ ବାଧ୍ୟ ହେଉଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମର ପୂର୍ବତନ ନାଏବ ସରପଞ୍ଚ ବିଜୟ ମହାପାତ୍ର, ପ୍ରଫୁଲ ଯେନା, ସୁବାସ ମହାପାତ୍ର, ସୁରେଶ ମହାପାତ୍ର, ବୈଲୋଚ଼ନ ରାଉଳ, ଦେବେନ୍ଦ୍ର ଯେନା, ଜଳଧର ନାଇକ, ସୁଦାମ ସା, ନାଣ୍ଡୁ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି ।


