ଇଟାଭାଟିରୁ ଭିଟାମାଟି ମୋହ: ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ଗାଡି କରି ପଠାଇଲେ ଗାଙ୍ଗପୁର ପୋଲିସ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): କରୋନା ଲକ୍ ଡାଉନ୍ ପ୍ରଭାବିତ କରଛି ସମାଜର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ । ହେଲେ ବେଶୀ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ବର୍ଗର ଲୋକମାନେ ।ଲକ୍ ଡାଉନ୍ ସେମାନଙ୍କ ମୁହଁର ଆହାର ଛଡାଇନେଇଛି ।ନିଜ ଭିଟାମାଟି ଛାଡି ବାହାରକୁ ଆସି କାମ କରୁଥିବା ଶ୍ରମିକଙ୍କ ଅବସ୍ଥା କହିଲେ ନ ସରେ ।ଏପରି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି ଗାଙ୍ଗପୁର ଅଞ୍ଚଳରେ ।ବୌଦ୍ଧ ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର କିଛି ଶ୍ରମିକ ଆନ୍ଧ୍ର ପ୍ରଦେଶର ପଲାସାରେ ଘରୋଇ ଇଟାଭାଟିରେ ଶ୍ରମିକ ଭାବେ କାମ କରିଆସୁଥିଲେ । ଲକ୍ ଡାଉନ୍ ପର୍ଯ୍ୟାୟକ୍ରମେ ବଡଢିବା ଯୋଗୁଁ ହାତରେ କାମ ନାହିଁ ଓ ଖାଇବାକୁ ନାହିଁ ।ମାଲିକ ମଧ୍ୟ ଅଧିକ ଦିନ ଖାଇବା ପାଇଁ ଦେଲା ନାହିଁ ।ପାଖରେ ଥିବା ଟଙ୍କା ବି ସରିଯାଇଥିଲା ।କୌଣସି ଅନ୍ୟ ଉପାୟ ନ ପାଇ ଭିଟାମାଟି ମୋହକୁ ପରିବାର କଥା ଚିନ୍ତା କରି ବୌଦ୍ଧ ଚାରିଛକର ୬ ଜଣ ଶ୍ରମିକ ଓ ଅନୁଗୁଳର ୧୦ଜଣ ଶ୍ରମିକ ଚାଲି ଚାଲି ଘରକୁ ଯିବା ପାଇଁ ସ୍ଥିର କଲେ ।୯ ତାରିଖ ସକାଳୁ ଗୋଟିଏ ଗୋଟିଏ ନିତ୍ୟାବଶ୍ୟକ ବ୍ୟାଗ କାନ୍ଧରେ ଧରି ପଲାସାରୁ ଇଛାପୁର ବ୍ରହ୍ମପୁର ଦେଇ ପାଞ୍ଚ ଦିନରେ ୨୪୦ କିମି ଚାଲି ଚାଲି ଆସି ମଙ୍ଗଳବାର ରାତି ୮ ଘଣ୍ଟା ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡି ପଞ୍ଚାୟତର ସିଙ୍ଗିପୁରଠାରେ ପହଞ୍ଚିଥିଲେ ।ଗ୍ରାମର କିଛି ସ୍ୱଛାସେବୀ ଯୁବକ ସେମାନଙ୍କୁ ଭାତ, ଡାଲମା ଖାଇବାକୁ ଦେବା ସହ ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ ଓ ଡିଏସପି ସଞ୍ଜୟ କୁମାର ମହାପାତ୍ର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଦୁଇଟି ବୋଲେରୋ ଗାଡି ଭଡାକରି ୬ ଜଣ ଶ୍ରମିକଙ୍କୁ ବୌଦ୍ଧ ଓ ୧୦ ଜଣ ଶ୍ରମିକଙ୍କୁ ଅନୁଗୁଳ ଅଭିମୁଖେ ପଠାଇଥିଲେ ।ସାଙ୍ଗରେ ଚୁଡା, ବିସ୍କେଟ ଓ କଦଳୀ ରାସ୍ତାରେ ଖାଇବା ପାଇଁ ଦେଇ ନିଜ ମହାନତାର ପରିଚୟ ଦେଇଥିଲେ ।ଏହି କାର୍ଯ୍ୟ ପାଇଁ ଗାଙ୍ଗପୁର ପୋଲିସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ