ଇନ୍ଦିରାଙ୍କୁ ପ୍ରଶ୍ନକଲେ ଆଶା ଦେବୀ
ନୂଆଦିଲ୍ଲୀ -ନିର୍ଭାୟାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିବା ଦୋଷୀମାନଙ୍କୁ କ୍ଷମା କରିଦେବାକୁ ବରିଷ୍ଠ ଆଡ୍ଭୋକେଟ୍ ଇନ୍ଦିରା ଜୟସିଂହ ଆଶା ଦେବୀଙ୍କୁ ଉପଦେଶ ଦେଇଛନ୍ତି । ଏହା ଉପରେ ମତରଖି ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ମୋତେ ଏ ଭଳି ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ? ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସମଗ୍ର ଦେଶବାସୀ ଚାହୁଁଛନ୍ତି । କେବଳ ତାଙ୍କରି ଭଳି ଲୋକମାନଙ୍କ ପାଇଁ ଦୁଷ୍କର୍ମ ପୀଡ଼ିତାମାନେ ନ୍ୟାୟ ପାଉ ନାହାନ୍ତି । ମୁଁ ବିଶ୍ୱାସ କରି ପାରୁନି ଏ ଭଳି ପ୍ରସ୍ତାବ ଦେବାକୁ ଇନ୍ଦିରା ଜୟସିଂହ କେମିତି ସାହସ ଜୁଟାଇଲେ । ମୁଁ ତାଙ୍କୁ ଅନେକ ଥର ସୁପ୍ରିମ୍ କୋର୍ଟରେ ଭେଟିଛି । ଦିନେ ହେଲେ ସେ ମୋ ଭଲମନ୍ଦ ପଚାରି ବୁଝି ନାହାନ୍ତି । ଆଉ ଆଜି ସେ ଦୋଷୀମାନଙ୍କୁ ପାଇଁ କହୁଛନ୍ତି । ଦୁଷ୍କର୍ମକାରୀମାନଙ୍କୁ ସହାୟତା କରି ତାଙ୍କଭଳି ଲୋକମାନେ ଜୀବିକାନିର୍ବାହ କରୁଛନ୍ତି । ତେଣୁ ଦୁଷ୍କର୍ମ ବନ୍ଦ କରାଯାଇ ପାରୁନାହିଁ । ଜାନୁଆରି ୨୨ ତାରିଖ ପରିବର୍ତ୍ତେ ଫେବ୍ରୁଆରି ୧ ତାରିଖରେ ଦୋଷୀମାନଙ୍କୁ ଫାଶୀ ଦିଆଯିବା କଥା ଦିଲ୍ଲୀ ଅଦାଲତ ସ୍ଥିର କରିବା ପରେ, ତାଙ୍କ ପ୍ରତି ବିଶ୍ୱାସଘାତକତା ହୋଇଥିବା କଥା ଆଶା ଦେବୀ କହିଛନ୍ତି ।


