ଇନ୍ଧନ ତୈଳ ଓ ରନ୍ଧନ ଗ୍ୟାସ ସଂରକ୍ଷଣ ସମ୍ପର୍କିତ ସଚେତନତା ସାଇକ୍ଲୋଥୋନ
ବାଲେଶ୍ୱର, (ସରୋଜ ପଣ୍ଡା) :-ଭାରତ ସରକାରଙ୍କ ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଏବଂ ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂଗଠନ ସହଯୋଗରେ ତୈଳ ଓ ଗ୍ୟାସ ବ୍ୟବସାୟିକ ସଂସ୍ଥାଙ୍କ ପକ୍ଷରୁ ସମଗ୍ର ଦେଶରେ ଜାରି ରହିଛି ଇନ୍ଧନ ତୈଳ ଓ ଗ୍ୟାସ ସଂରକ୍ଷଣ ସଚେତନତା ଅଭିଯାନ ।ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ଏକ ସାଇକ୍ଲୋଥୋନ ଅୟୋଜିତ ହୋଇଥିଲା । ସ୍ଥାନୀୟ ମିଶନ ପଡ଼ିଆରେ ଅୟୋଜିତ କାର୍ଯ୍ୟକ୍ରରେ ବାଲେଶ୍ୱର ଉପ-ଜିଲାପାଳ କୁନାଲ ଚୌହାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଇନ୍ଧନ ତୈଳ ଓ ଗ୍ୟାସ ସଂରକ୍ଷଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ପରିବେଶ ସୁରକ୍ଷା ପାଇଁ ତୈଳ ଓ ଗ୍ୟାସର ଅପଚୟ ରୋକିବା ଏକାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ । ଇଣ୍ଡିଆନ ଅଏଲର ଡିଜିଏମ ଶିବ ଶଙ୍କର ମଣ୍ଡଳ ଏଥିରେ ସମ୍ମାନିତ ଅତିଥି ଭାବେ ସକ୍ଷମ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସୌମ୍ୟଜିତ ଦଳେଇ ଏଥିରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ଯୋଗଦେଇ ଇନ୍ଧନ ତୈଳ ଓ ଗ୍ୟାସ ସଂରକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ସାଇ ପ୍ରିତମ ସେନାପତି ମଞ୍ଚ ପରିଚାଳନା କରିଥିବା ବେଳେ ଅସୀମ ରଞ୍ଜନ ଖୁଣ୍ଟିଆ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମୁଖ୍ୟ ଅତିଥି ଉପ-ଜିଲାପାଳ ଶ୍ରୀ ଚୌହାନ ପତାକା ଦେଖାଇ ସାଇକ୍ଲୋଥୋନର ଶୁଭାରମ୍ଭ କରିଥିଲେ । ଶହେରୁ ଉର୍ଦ୍ଧ୍ୱ ସାଇକେଲ ଆରୋହୀ ତୈଳ ଓ ଗ୍ୟାସ ସଂରକ୍ଷଣର ବାର୍ତ୍ତା ନେଇ ସହର ପରିକ୍ରମା କରିଥିଲେ । ଏହି ସାଇକ୍ଲୋଥୋନ ଫାଣ୍ଡିଛକ, ଷ୍ଟେସନ ଛକ, ଏଡିଏମ ଛକ ଦେଇ ପୁନର୍ବାର ମିଶନ ପଡ଼ିଆରେ ଶେଷ ହୋଇଥିଲା ।


