ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ଦାବି ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ସମଗ୍ର ଦେଶରେ ଆଜି ଦାବି ଦିବସ ପାଳନ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆସୋସିଏସନର ବାଲେଶ୍ୱର ଶାଖା ପକ୍ଷରୁ ବୁଧବାର ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ପେନସନଧାରୀ ଶୋଭାଯାତ୍ରାରେ ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସଂଗଠନର ଜିଲା ସଭାପତି ଇଂ. ଅନାଦି ଚରଣ ବେହେରା, ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଘରୋଇ ଶିଳ୍ପସଂସ୍ଥା, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ନିଗମ, କେନ୍ଦ୍ର ସମବାୟ ବ୍ୟାଙ୍କ୍ ପକ୍ଷରୁ ଜଳଧର ପଣ୍ଡା, ଶ୍ୟାମସୁନ୍ଦର ଜେନା, ଭୂପତି ଭୂଷଣ ଦାସ, ନିତ୍ୟାନନ୍ଦ ନଟ, ଶରତ ଚନ୍ଦ୍ର ଦଳାଇ, ରାଜେଶ୍ୱର ହାଲଦାର, ଅରୁଣ କମିଳା, ଇଂ. କହ୍ନେଇଲାଲ ଚୌଧୁରୀ, ପରମେଶ୍ୱର ପାତ୍ର, ଭୋଳାନାଥ ବେହେରା, ଜଗବନ୍ଧୁ ପାୟଲ୍, ଅଶୋକ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ଦଇତାରୀ ଗିରି, ଦୁର୍ଯ୍ୟୋଧନ ରଣା, ଉମାକାନ୍ତ ବେହେରା ଓ ପ୍ରଭାତ କୁମାର ନାୟକ ପ୍ରମୁଖ ଯୋଗଦେଇ କେନ୍ଦ୍ର ଇପିଏଫ ପେସନଧାରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରେ ଦୀର୍ଘ ୩୦/୩୫ ବର୍ଷ ଚାକିରି କରି ଅବସର ଗ୍ରହଣ କରିଥିବା ବରିଷ୍ଠ ନାଗରିକମାନଙ୍କ ଦାବିକୁ ବିଚାରକୁ ନେଉ ନଥିବାରୁ ସମଗ୍ର ଭାରତବର୍ଷରେ ଆଜି ଦାବି ଦିବସ ପାଳନ ହେଉଥିବା ନେଇ ସେମାନେ ସୂଚନା ଦେଇଥିଲେ । ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ମାସିକ ପେନସନ୍ ସର୍ବନିମ୍ନ ୯ହଜାର ଟଙ୍କା ପ୍ରଦାନ, ଅଧିକ ବେତନକୁ ଅଧିକ ପେନ୍ସନ୍, ମାସିକ ପେନସନ୍ ସହ ମହଙ୍ଗା ଭତ୍ତା ଓ ଓଡ଼ିଶାରେ ଇପିଏଫ୍ ପେନସନ ଭୋଗୀଙ୍କୁ ବିଜୁସ୍ୱାସ୍ଥ୍ୟ ସେବା ଯୋଜନାଭୁକ୍ତ କରିବା ପାଇଁ ବକ୍ତାମାନେ ଦାବି କରିଥିଲେ । ତୁରନ୍ତ ଏହି ଦାବି ପୂରଣ ନେଇ ସରକାର ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା ଡିସେମ୍ବର ୭,୮ଓ ୯ ତାରିଖରେ ସଂସଦ ଭବନ ସମ୍ମୁଖରେ ବିକ୍ଷୋଭ ସମାବେଶ ପାଇଁ ଜାତୀୟ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସଂଗଠନର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ଡେପୁଟି କଲେକ୍ଟର ଆନନ୍ଦ ଚନ୍ଦ୍ର ସେଠୀଙ୍କୁ ପ୍ରଦାନ କରାଯାଇଥିଲା ।