ଇମାମୀନଗର ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ ଅନୁଷ୍ଠିତଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବ ଦଉଡ଼ିରେ ବନ୍ଧା ହେଲେ ଜଗନ୍ନାଥ
ବାଲେଶ୍ୱର : ରେମୁଣା ବାଲଗୋପାଳପୁରସ୍ଥିତ ଇମାମୀନଗର ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ ଲକ୍ଷାଧିକ ଉଦ୍ଧ୍ୱର୍ ଭକ୍ତମାନଙ୍କ ସମାବେଶରେ ହିନ୍ଦୁମାନଙ୍କର ହୃଦୟର ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀ ଓ ସୁଦର୍ଶନଙ୍କ ଗହଣରେ ରଥାରୂଢ଼ ହୋଇ ଗୁଣ୍ଡି· ମନ୍ଦରକୁ ବିଜେ କରିଛନ୍ତି । ଭକ୍ତମାନଙ୍କର ଭିଡ଼ରେ ଘଣ୍ଟ, ଘଣ୍ଟା, କାହାଳି, ମୃଦଙ୍ଗର ତାଳେତାଳେ ଶଙ୍ଖ ଧ୍ୱନିରେ ମାଙ୍ଗଳିକ ପରିବେଶରେ ଭକ୍ତମାନଙ୍କର ଜୟଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା । ଇମାମୀ ନଗର ବଡ଼ଦାଣ୍ଡ ତିନି ଠାକୁରଙ୍କ ପହଣ୍ଡିବିଜେ ଓ ରଥାରୁଢ଼ ଶ୍ରୀଜୀଉମାନଙ୍କର ଟିକିଏ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଅପଲକ ନୟନରେ ·ହିଁ ରହିଥିବା ଭକ୍ତଗଣ, ସତେ ଯେପରି ମୁହୁର୍ତ୍ତକ ପାଇ ଚତୁର୍ଦ୍ଧା ମୂର୍ତ୍ତିକୁ ଦିବ୍ୟ ଦର୍ଶନରେ ସେମାନଙ୍କର ଜନ୍ମ ଜନ୍ମାନ୍ତର ଧରିଥିବା ଆଶା ଆକାଂକ୍ଷା ପରିପୂର୍ଣ୍ଣ ହୋଇ ଯାଉଥିଲା । ରଥ, ପଥ, ମତ, ଭକ୍ତ ସବୁ ଏକାକାର ହୋଇଯାଉଥିଲା ଇମାମୀ ନଗରର ପବିତ୍ର ଘୋଷ ଯାତ୍ରାରେ । ଇମାମୀ ନଗର ବଡ଼ଦାଣ୍ଡର ଧୂଳି ଚନ୍ଦନ ହୋଇ ଲେପି ହୋଇ ଯାଉଥିଲା ଭକ୍ତମାନଙ୍କର କପାଳରେ । ପ୍ରଭାତରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର ରଥ ପ୍ରତିଷ୍ଠା, ଶ୍ରୀଜୀଉଙ୍କର ବେଶ, ଆଜ୍ଞାମାଳ ଅର୍ପଣ ପରେ ମଙ୍ଗଳାର୍ପଣ, ଧାଡ଼ି ପହଣ୍ଡି, ଟାହିଆ ଲାଗି ପ୍ରଭୃତି ରୀତିନୀତି ପୂଜାର୍ଚ୍ଚନା ନିଷ୍ଠାର ସହିତ ଆରମ୍ଭ କରିଥିଲେ । ଦିବା ୧୧ ଘଟିକା ସମୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୨ଘଣ୍ଟା ୩୦ମିନିଟ ସମୟରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ଇମାମୀ ଗ୍ରୁପ୍ର ଯୁଗ୍ମ ଅଧ୍ୟକ୍ଷ ରାଧାଶ୍ୟାମ ଗୋୟେଙ୍କାଙ୍କ ଦ୍ୱାରା ଛେରାପହଁରା ସମାପନ ହୋଇଥିଲା । ଅପରାହ୍ନ ୪ଘଣ୍ଟା ୧୦ମିନିଟ୍ ସମୟରେ ବହୁ ପ୍ରତୀକ୍ଷିତ, ଭାବବିନୋଦିଆ କଳାଠାକୁର, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହିତ ସୁସଜ୍ଜିତ ରଥରେ ଭକ୍ତମାନଙ୍କର ଗହଳିରେ ପ୍ରକମ୍ପିତ ରଥଦାଣ୍ଡରେ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କର ରଥ ପହଞ୍ôଚବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଳତୀ ଅର୍ପଣ କରି ଶୋଭା ପଟୁଆରରେ ରତ୍ନବେଦୀକୁ ନିଆଯାଇଥିଲା । ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମାପିତ ହୋଇଛି । ଭକ୍ତଙ୍କର ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଳାଟୁନ୍ ପୋଲିସ, ସୁରକ୍ଷାକର୍ମୀଙ୍କୁ ନିୟୋଜନ କରାଯାଇଥିଲା । ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ମନ୍ଦିର ପକ୍ଷରୁ ଆନନ୍ଦ ବଜାରରେ ଭକ୍ତମାନଙ୍କୁ ପ୍ରସାଦସେବନର ସୁବନ୍ଦୋବସ୍ତ କରାଯାଇଥିଲା । ଏହି ରଥଯାତ୍ରା ଉତ୍ସବରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଜଗନ୍ନାଥପ୍ରେମୀ ଭକ୍ତଗଣ ବିଭିନ୍ନ ଢଙ୍ଗରେ ଘଣ୍ଟ ଓ ବାଦ୍ୟର ତାଳେତାଳେ ଉନ୍ମାଦିତ ହୋଇ ତାଙ୍କର ଭାବାବେଗର ବର୍ହିପ୍ରକାଶ କରିଥିଲେ । ସେହିପରି ସୁଦୂର ବୃନ୍ଦାବନରୁ ଆସିଥିବା ଜଗନ୍ନାଥପ୍ରେମୀ ‘ରାସଲୀଳା’ ପ୍ରଦର୍ଶନ କରିଥିଲେ । ସେହିପରି କଲିକତା ସ୍ଥିତ ‘ହାଇଭ୍’ ଅନୁଷ୍ଠାନ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ତଥା ବାଲେଶ୍ୱର ମୁଖ୍ୟଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶରେ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ରାମଚନ୍ଦ୍ର କିସ୍କୁଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପରିମିତ କରିଥିଲେ । ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ପାନୀୟଜଳ ବ୍ୟବସ୍ଥା, ସି.ସି. କ୍ୟାମେରା, ଜଳସିଞ୍ଚନ ସାଙ୍ଗକୁ ସ୍ଥାନୀୟ ରେମୁଣା ପୋଲିସ୍ ପ୍ରଶାସନପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ସୁଚାରୁ ରୂପେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୁରୋଧା ସୁଶୀଲ କୁମାର ଗୋୟେଙ୍କା, କାର୍ଯ୍ୟନିର୍ବାହୀ ଅଧିକାରୀ ପି.ଏସ୍. ପଟୱାରୀ, ସ୍ଥାନୀୟ କାଗଜକଳର ମୁଖ୍ୟ ସଂଚାଳକ ଏମ୍.ବି.ଏସ୍. ନାୟାର, ବରିଷ୍ଠ ସଭାପତି ସୁଶୀଲ୍ କୁମାର ଖୈତାନ୍, ବରିଷ୍ଠ ଉପସଭାପତି ଆଶିଷ ଏ. ଗୁପ୍ତା, ମହାପ୍ରବନ୍ଧକ ରଞ୍ଜନ କୁମାର ଜେନା ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ଓମ୍ ପ୍ରକାଶ ଶର୍ମା, ରମେଶ ଖୁଣ୍ଟିଆ, ନିଖିଳ ରଞ୍ଜନ ଦାସସାମନ୍ତରାୟ, ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ସିଂହସାମନ୍ତ ତଥା ସ୍ଥାନୀୟ ସମାଜସେବୀ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିବାରୁ ମନ୍ଦିରପ୍ରଶାସନ ପକ୍ଷରୁ ଶ୍ରୀ ମନୋଜ କୁମାର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଅନୁରୂପ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେହ ପ୍ରସାଦସେବନ, ସ୍ୱାସ୍ଥ୍ୟ ସେବା, ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ପ୍ରତ୍ୟେହ ସନ୍ଧ୍ୟା ୭ଘଟିକାରୁ ୮ଘଟିକା ପର୍ଯ୍ୟନ୍ତ ବୃନ୍ଦାବନରୁ ଆସିଥିବା ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ‘ରାସଲୀଳା’ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଅନାଥ ପିଲାମାନଙ୍କୁ ପ୍ରସାଦସେବନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ନାମସଂକୀର୍ତ୍ତନ ପ୍ରତିଯୋଗିତା, ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଓ ସମ୍ମାନିତ କରାଯିବା, ହେରାପଞ୍ଚମୀରେ ମହାଲକ୍ଷ୍ମୀଙ୍କର ରଥଭଙ୍ଗା କାର୍ଯ୍ୟକ୍ରମ, ସ୍ଥାନୀୟ ଅଞ୍ଚଳର ମୋଟ ୬୭ଟି ସ୍କୁଲ୍ ଓ ୫ଗୋଟି କଲେଜ୍ର ମୋଟ ୩୭୦ଜଣ ମେଧାମୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ, ଦାଣ୍ଡିଆ ନୃତ୍ୟ, ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରସାଦସେବନ, ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା, ପରିବେଶ ରକ୍ଷା ଓ ଉଚ୍ଚଶିକ୍ଷା କାରିଗରୀ କୌଶଳୀରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯିବ । ଜୁଲାଇ ୧୨ତାରିଖ ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉମାନଙ୍କର ସମସ୍ତ ରୀତିନୀତି ସମ୍ପନ୍ନ ସାଙ୍ଗକୁ ଅପରାହ୍ନ ୨.୩୦ରେ ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି ଅପରାହ୍ନ ୩.୧୫ମି.ରେ ଛେରାପହଁରା, ଅପରାହ୍ନ ୪.୫୪ମି.ରେ ବାହୁଡ଼ାଯାତ୍ରା ଓ ରଥଟଣା । ରାତ୍ର ୯ ଘଟିକାରେ ରଥମାନଙ୍କର ସିଂହଦ୍ୱାର ବିଜେ ଏବଂ ଅଧରପଣା ନୀତି ସମ୍ପନ୍ନ । ରାତ୍ର ୯.୧୫ମି.ରେ ଧାଡ଼ି ପହଣ୍ଡିରେ ଶ୍ରୀଜୀଉମାନଙ୍କର ରତ୍ନସିଂହାସନକୁ ବିଜେ ଅନୁଷ୍ଠିତ ହେବ । ୧୩ ତାରିଖରେ ଚତୁର୍ଦ୍ଧାମୂର୍ତ୍ତି ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।