ଇସ୍ତଫା ଦେଲେ ଜେଟ୍ର ସିଇଓ ଓ ସିଏଫ୍ଓ

ମୁମ୍ବାଇ, (ଏଜେନ୍ସି): ଜେଟ୍ ଏୟାର୍ୱେଜ୍ର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆର୍ଥିକ ସମସ୍ୟା କାରଣରୁ ଜେଟ୍ର ପରିଚାଳନା ଅସ୍ଥାୟୀ ଭାବେ ବନ୍ଦ ହେବା ପରେ, ଏହାର ବରିଷ୍ଠ ଅଧିକାରୀମାନେ ଲଗାତାର ଇସ୍ତଫା ଦେଉଛନ୍ତି । କମ୍ପାନୀର ଏଗ୍ଜିକ୍ୟୁଟିଭ୍ ଓ ମୁଖ୍ୟ ଫାଇନାନ୍ସିଆଲ୍ ଅଫିସର୍ ଅମିତ୍ ଅଗ୍ରୱାଲ୍ଙ୍କ ପରେ ଏବେ ସିଇଓ ବିନୟ ଦୁବେ ମଧ୍ୟ ଇସ୍ତଫା ଦେଇଛନ୍ତି । ସେହିପରି ମୁଖ୍ୟ ପିପୁଲ୍ ଅଫିସର୍ ରାହୁଲ୍ ତନେଜା ମଧ୍ୟ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର କମ୍ପାନୀ ପକ୍ଷରୁ ଅଗ୍ରୱାଲ୍ଙ୍କ ଇସ୍ତଫା ଘୋଷଣା ସହ ସେ ବ୍ୟକ୍ତିଗତ କାରଣରୁ ପଦ ଛାଡ଼ିଥିବା ଦର୍ଶାଯାଇଛି । ଏହାର କିଛି ସମୟ ପରେ ଦୁବେ ଓ ତନେଜା ମଧ୍ୟ ଇସ୍ତଫା ଦେଇଛନ୍ତି । ଏମାନେ ମଧ୍ୟ ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । ଦୁବେ ଜେଟ୍ ସହିତ ଅଗଷ୍ଟ ୨୦୧୭ରେ ସଂଶ୍ଳିଷ୍ଟ ହୋଇଥିଲେ । ଏହା ପୂର୍ବରୁ ସେ ଡେଲ୍ଟା ଏୟାର୍ଲାଇନ୍ସ ଓ ଆମେରିକାନ୍ ଏୟାର୍ଲାଇନ୍ସ ସହିତ ମଧ୍ୟ କାମ କରିସାରିଛନ୍ତି । ଏସ୍ସାର ଗ୍ରୁପ୍ର ଏଚ୍ଆର୍ ମୁଖ୍ୟ ତନେଜା ଫେବ୍ରୁଆରୀ ୨୦୧୬ ଠାରୁ କମ୍ପାନୀରେ କାମ ଆରମ୍ଭ କରିଥିଲେ । ଅଗ୍ରୱାଲ୍ ଫାଇନାନ୍ସ ମୁଖ୍ୟ ଭାବେ ଡିସେମ୍ବର ୨୦୧୫ରେ ଜେଟ୍ରେ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କୁ ନଭେମ୍ବର ୨୦୧୭ରେ ଡେପୁଟି ସିଇଓର ଅତିରିକ୍ତ ଦାୟିତ୍ତ୍ୱ ପ୍ରଦାନ କରାଯାଇଥିଲା । ପ୍ରକାଶ ଯେ ଏପ୍ରିଲ୍ ଠାରୁ ହିଁ ଜେଟ୍ର ସଂଚାଳନ ବନ୍ଦ ହୋଇଯାଇଛି । ଅନେକ ମାସ ଧରି ପାଇଲଟ୍ ଓ ଅନ୍ୟ କର୍ମଚାରୀଙ୍କ ବେତନ ଦେଇନପାରିବା କାରଣରୁ ଏୟାର୍ଲାଇନ୍ ଅନେକ ଦିନ ଧରି ସମସ୍ୟାରେ ଘେରି ରହିଛି । ଏହି ଏୟାର୍ଲାଇନ୍ ବନ୍ଦ ହେବା କାରଣରୁ ସହସ୍ରାଧିକ କର୍ମଚାରୀଙ୍କୁ ଚାକିରି ହରେଇବାକୁ ପଡ଼ିଛି । ଜେଟ୍ର ଶେୟାର କିଣିବା ପାଇଁ ମଧ୍ୟ କମ୍ପାନୀଗୁଡ଼ିକ ମନବଳାଉନାହାଁନ୍ତି । ତେବେ ଜେଟ୍ର ଅନ୍ତରାଷ୍ଟ୍ରୀୟ ସହଯୋଗୀ ଏତିହାଦ୍ ଶେୟାର କିଣିବା ପାଇଁ ଇଚ୍ଛା ପ୍ରକାଶ କରିଛି । ତେବେ ଏତିହାଦ୍ ଜେଟ୍ରେ ୧୭୦୦କୋଟି ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଛି । ତେବେ ଏତିହାଦ୍ ଜେଟ୍ର ଋଣ ପରିଶୋଧ କରିବା ପାଇଁ କୌଣସି ପ୍ରକାରର ପ୍ରତିଶ୍ରୁତି ଦେଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ