ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଯୁକ୍ତ ମୁଖ୍ୟ ପରୀକ୍ଷକଙ୍କୁ ବେଆଇନ ଭାବେ ଦାୟୀତ୍ୱରୁ ଅବ୍ୟାହତି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ଖାତା ମୂଲ୍ୟାୟନ ନିମନ୍ତେ ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡାସ୍ଥିତ ସରକାରୀ ପଲିଟେକନିକରେ କରାଯାଇଥିବା ମୂଲ୍ୟାୟନ କେନ୍ଦ୍ରରେ ଚଳିତମାସ ୨୨ତାରିଖରୁ ଖାତାଦେଖା ଆରମ୍ଭ ହୋଇଛି । ଏହି ମୂଲ୍ୟାୟନ କେନ୍ଦ୍ର ପାଇଁ ପଦାର୍ଥ ବିଜ୍ଞାନ ବିଷୟରେ ମୁଖ୍ୟ ପରୀକ୍ଷକ ଭାବେ ତତ୍କାଳୀନ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଡ. ସଞ୍ଜୀବ କୁମାର ମହାନ୍ତିଙ୍କୁ ଚଳିତମାସ ୧୮ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏସମ୍ପର୍କିତ ପରିଷଦର ନିଯୁକ୍ତିପତ୍ର ଗତ ୧୮ତାରିଖରେ ମେଲ ଯୋଗେ କେନ୍ଦ୍ରାପଡା କଲେଜର ଅଧ୍ୟକ୍ଷଙ୍କ ନିକଟକୁ ପଠାଯାଇଥିଲା । ସେହିପତ୍ରରେ ଉଲ୍ଲେଖ ରହିଥିଲା ଯେ ଯଦି ସଂପୃକ୍ତ ଅଧ୍ୟାପକଙ୍କର ବଦଳି ହୋଇଯାଇଥାଏ ତେବେ ଏହି ନିଯୁକ୍ତିପତ୍ରଙ୍କୁ ସଙ୍ଗେ ସଙ୍ଗେ ବଦଳି ହୋଇଥିବା କଲେଜର ଅଧ୍ୟକ୍ଷଙ୍କୁ ଇ-ମେଲ ମାଧ୍ୟମରେ ପଠାଇଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ରହିଥିଲା । କେନ୍ଦ୍ରାପଡା କଲେଜର ତତକାଳୀନ ଅଧ୍ୟକ୍ଷ ଅଶୋକ କୁମାର ଦାସଙ୍କୁ ପରିଷଦ ପକ୍ଷରୁ ମୁଲ୍ୟାୟନ କେନ୍ଦ୍ରର ଜୋନ ସୁପରଭାଇଜର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ପରିଷଦ ପକ୍ଷରୁ ପଦାର୍ଥ ବିଜ୍ଞାନ ବିଷୟର ମୁଖ୍ୟ ପରୀକ୍ଷକ ଭାବେ ନିଯୁକ୍ତ ଡ. ମହାନ୍ତିଙ୍କ ନିଯୁକ୍ତିପତ୍ରକୁ ସେ ବଦଳି ହୋଇଯାଇଥିବା ଜଗତସିଂହପୁରଜିଲ୍ଲାର ରାହାମାସ୍ଥିତ ଶାରଳା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ସେହି ଦିନ କିମ୍ବା ତାର ପରଦିନ ଇ-ମେଲ ଦ୍ୱାରା ପଠାଇ ଦିଆଯିବା କଥା । କିନ୍ତୁ ଜାଣିଶୁଣି ଅଧ୍ୟାପକ ଡ. ମହାନ୍ତିଙ୍କୁ ଅସୁବିଧାରେ ପକାଇବା ଉଦେଶ୍ୟରେ କେନ୍ଦ୍ରାପଡା କଲେଜର ନୂତନ କାମଚଳା ଅଧ୍ୟକ୍ଷ ଅଭିଜିତ ବୋଷ ଓ ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ମୂଲ୍ୟାୟନ କେନ୍ଦ୍ରର ଜୋନ ସୁପରଭାଇଜର ଶ୍ରୀ ଦାସ ଏସମ୍ପର୍କରେ ଡ. ମହାନ୍ତି ବଦଳି ହୋଇଯାଇଥିବା କଲେଜର ଅଧ୍ୟକ୍ଷଙ୍କୁ ଇ-ମେଲ ଯୋଗେ ଜଣାଇଲେ ନାହିଁ । ପରବର୍ତ୍ତୀ ସମୟରେ ଗତ ୨୭ତାରିଖରେ ପରିଷଦର ଏହି ନିଯୁକ୍ତି ପତ୍ରକୁ ଶାରଳା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଇ-ମେଲ ଦ୍ୱାରା ପଠାଇଦେବା ଫଳରେ ପତ୍ର ପାଇବା ପରେ ସେହିଦିନ ଶାରଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମହାନ୍ତିଙ୍କୁ ରିଲିଭ କରିଦେଇଥିଲେ । ଆଜି ଡ. ମହାନ୍ତି ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେବା ପରେ ତାଙ୍କୁ ମୂଲ୍ୟାୟନ କେନ୍ଦ୍ରର ଜୋନ ଅଫିସର ଅପରାହ୍ନରେ ରିଲିଭ କରିଦେଇଥିବା ଜଣାପଡିଛି । ଏହାଦ୍ୱାରା ପଦାର୍ଥ ବିଜ୍ଞାନ ବିଷୟରେ ଜଣେ ଅଭିଜ୍ଞ ଓ ବରିଷ୍ଠ ଅଧ୍ୟାପକଙ୍କ ସ୍ଥାନରେ ଅନ୍ୟ ଜଣେ କନିଷ୍ଠ ଅଧ୍ୟାପକ ମୁଖ୍ୟ ପରୀକ୍ଷକ ଭାବେ ଦାୟୀତ୍ୱ ନିର୍ବାହ କରିଥିବା ବେଳେ କେତେଦୂର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଖାତା ସଠିକ ଭାବରେ ମୂଲ୍ୟାୟନ ହୋଇପାରିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଅନ୍ୟ ପକ୍ଷରେ ଜଣେ ବରିଷ୍ଠ ଅଧ୍ୟାପକଙ୍କ ନିଯୁକ୍ତିପତ୍ରକୁ ସଠିକ ସମୟ ମଧ୍ୟରେ ନପଠାଇ ଏଭଳି ଦାୟୀତ୍ୱ ହୀନ କାର୍ଯ୍ୟ କରିଥିବା ସଂପୃକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା ।