ଉଠା ଜଳସେଚନ କର୍ମଚାରୀ ସଂଘ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଉଠାଜଳ ସେଚନ ନିଗମରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ପଢ଼ୁଆଁପଦାସ୍ଥିତ ସଂଗଠନ କାର୍ଯ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜ ଜିଲାରୁ ଶତାଧିକ କର୍ମଚାରୀ ବୈଠକରେ ଯୋଗ ଦେଇଥିଲେ । ଚଳିତ ବର୍ଷ ସଂଘର ୫୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ସମାରୋହ ଆସନ୍ତା ଜୁଲାଇ ମାସ ଶେଷ ସପ୍ତାହରେ ଦୁଇଦିନ ବ୍ୟାପୀ ସହରରେ ଆୟୋଜନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ନିଗମରୁ ଅବସର ନେଇଥିବା ବହୁ କର୍ମଚାରୀ ମାସିକ ଇପିଏଫ ପେନସନ ଅର୍ଥ କମ ପାଉଥିବାରୁ ବହୁ ସଦସ୍ୟ ବୈଠକରେ ଉଦ୍‌ବେଗ ପ୍ରକାଶ କରିଥିଲେ । ମାସିକ ପେନସନ ସର୍ବନିମ୍ନ ନଅହଜାର ଟଙ୍କା ସହ ମହଙ୍ଗାଭତ୍ତା ଲାଗୁ କରିବାକୁ ଦୀର୍ଘବର୍ଷ ଧରିରାଜ୍ୟ ଓ ଜାତୀୟ ସ୍ତରରେ ଦାବି ହେଉଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି ଗୁରୁତ୍ୱ ନଦେବା ଦୁର୍ଭାଗ୍ୟର ବିଷୟ ବୋଲି କାର୍ଯ୍ୟକାରୀ ସଭାପତି ମାୟାଧର ନାୟକ ପ୍ରକାଶ କରିଥିଲେ । ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା ଗତ ବିବରଣୀ ଓ ଆୟବ୍ୟୟର ହିସାବ ଆଗତ କରିଥିଲେ । ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ବିଶଦ କାର୍ଯ୍ୟସୂଚୀକୁ ରତ୍ନାକର ପଣ୍ଡା ଆଗତ କରିଥିଲେ । ସମାରୋହର ଖୋଲା ଅଧିବେଶନରେ ରାଜ୍ୟ ଏଆଇଟିୟୁସି, ରାଜ୍ୟ କର୍ମଚାରୀ ଫେଡେରେସନ୍ ଓ ଇପିଏଫ୍ ପେନସନର୍ସ ଆସୋସିଏସନ୍‌ର କର୍ମକର୍ତ୍ତାମାନେ ଅତିଥି ଓ ବକ୍ତାଭାବେ ଯୋଗ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ୟାମସୁନ୍ଦର ଦାସମହାପାତ୍ର, ବ୍ରଜ କୁମାର ପଣ୍ଡା, ରାମଚନ୍ଦ୍ର ପଣ୍ଡା, ମଧୁସୂଦନ ଜେନା ଓ ଶରତ ଚନ୍ଦ୍ର ଦଳାଇ, ଏଆଇଟିୟୁସି ଜିଲା ସଭାପତି ଭାଗବତ ପ୍ରତିହାରୀ, ଉପଦେଷ୍ଟା ଆଇନଜୀବୀ ନିରଞ୍ଜନ ପରିଡ଼ା ପ୍ରମୁଖ ଏଥିରେ ଯୋଗଦେଇ ଉଠା ଜଳସେଚନ କର୍ମଚାରୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହର ରୂପରେଖ ଓ ଶ୍ରମିକ-କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ତଥା ତା’ର ସମାଧାନ ସମ୍ପର୍କରେ ପ୍ରସ୍ତାବମାନ ଆଗତ କରିଥିଲେ । କମଳ ଲୋଚନ ଜେନା ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ । ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନପ୍ରାପ୍ତ ସଂଘର ସଭାପତି ଶ୍ରୀ ପାଣିଗ୍ରାହୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ଣ୍ଣଚନ୍ଦ୍ର ପାତ୍ର, ଶରତ ଚନ୍ଦ୍ର ମହାନ୍ତି, ରାମଚନ୍ଦ୍ର ପଣ୍ଡା, ନଟବର ଦେ, ପଞ୍ଚାନନ ପାତ୍ର, ମନ୍ମଥ ପରିଡ଼ା, ଅମରେଶ ଜେନା, ଶଶଧର ପରିଡ଼ା, ବିଷ୍ଣୁପଦ ଆଚାର୍ଯ୍ୟ, ଚକ୍ରଧର ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ