ଉଠା ଜଳସେଚନ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚଳିତ ବର୍ଷ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୪ ଆମ ରାଜ୍ୟରେ ଜାନୁୟାରୀ ୧୬ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଉଠା ଜଳସେଚନ ବିଭାଜନ ପକ୍ଷରୁ ଆଜି ଉଠା ଜଳସେଚନ ସର୍କଲ, କଟକର ଅଧିକ୍ଷଣ ଯନ୍ତ୍ରୀ ତଥା ଭାରପ୍ରାପ୍ତ କେନ୍ଦ୍ରାପଡା ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର ପରିଡାଙ୍କ ଅଧ୍ୟକ୍ଷତାରେ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଯୋଗଦେଇ ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତର ସଭ୍ୟ/ସଭ୍ୟାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଓ ସ୍ୱୀକୃତି ଜଣାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ସୁନ୍ଦର ପ୍ରୟାସ ଓ ଯୋଜନା ବୋଲି ମତବ୍ୟକ୍ତ କରିଥିଲେ । ପାଣି ପଞ୍ଚାୟତରେ ମହିଳାମାନଙ୍କ ଅଂଶ ଗ୍ରହଣ ବୃଦ୍ଧି ପାଇଁ ଚାଷୀମାନଙ୍କ ପରିବାରର ମହିଳା ସଦସ୍ୟାମାନଙ୍କୁ ସାମିଲ କରାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାର ଜଳସେଚନର ଭିତ୍ତିିଭୂମି ନିର୍ମାଣକୁ ସୁଦୃଢ କରିବା ଯୋଗୁଁ ଅଧିକରୁ ଅଧିକ ଜମିକୁ ଜଳସେଚନ ସୁବିଧା ପାଣି ପଞ୍ଚାୟତ ମାଧ୍ୟମରେ ଯୋଗାଇ ଦିଆଯାଉଛି । ନ୍ୟାୟ ସଙ୍ଗତ ଓ ସମାନତା ଭତ୍ତିିରେ ବିଭିନ୍ନ ଜଳ ବ୍ୟବହାରକାରୀମାନଙ୍କ ମଧ୍ୟରେ ଜଳ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିପାରିଲେ ଜଳ ସଂରକ୍ଷଣ, ଜଳର ପୁନଃ ବ୍ୟବହାର ସହିତ ଫସଲର ବିବିଧକରଣ ଜରିଆରେ ଅଧିକ ପ୍ରକାରର ଫସଲର ଉତ୍ପାଦନ ହୋଇପାରିବ । ଜଳର ସୁବ୍ୟବହାର ପାଇଁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମାନ ଓ ନ୍ୟାୟୋଚିତ ଜଳ ପରିଚାଳନା ହୋଇପାରିଲେ କେନ୍ଦ୍ରାପଡ଼ା ଭଳି କୃଷି ପ୍ରଧାନ ଜିଲ୍ଲାରେ କୃଷକମାନଙ୍କ ଅର୍ଥନୈତିକ ମାନଦଣ୍ଡ ସୁଦୃଢ ହୋଇପାରିବ । ୨୯୨୨ ଗୋଟି ଅଚଳ ଉଠା ଜଳସେଚନ ପଏଣ୍ଟକୁ ସଚଳ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତିି ଗ୍ରହଣ କରିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବାଧିକ ୨୧୮ଟି ଅଚଳ ଉଠା ଜଳସେଚନ ପଏଣ୍ଟକୁ ସଚଳ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଉକ୍ତ ବୈଠକରେ ସମ୍ମାନିତ ଅତିଥିଭାବେ କେନ୍ଦ୍ରାପଡ଼ା କୃଷି ଅଧିକାରୀ ନିରଞ୍ଜନ ରାଉତ, କୃଷି ବିଜ୍ଞାନ କେନ୍ଦ୍ରର ପ୍ରଭାତ କୁମାର ସାହୁ, ଉଦ୍ୟାନ କୃଷି ବିଭାଗର ଦୀପ୍ତିକାନ୍ତ ଓଝା, କେନ୍ଦ୍ରାପଡ଼ା ବ୍ଲକ ସହକାରୀ ମସ୍ୟ ଅଧିକାରୀ ମୋନାଲିସା ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଉଠା ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ପରିଡା ପିପିଟି ମାଧ୍ୟମରେ ସମବେତ ଚାଷୀମାନଙ୍କୁ ପାଣି ପଞ୍ଚାୟତ ପରିଚାଳନା ଗତ ସମସ୍ୟା ବିଷୟରେ ବୁଝାଇ ଥିଲେ । ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ । ଏହି ବୈଠକରେ ବିଭିନ୍ନ ପାଣି ପଞ୍ଚାୟତର ସଭାପତି, ସମ୍ପାଦକ, ସଭ୍ୟା/ସଭ୍ୟ, ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । କେନ୍ଦ୍ରାପଡ଼ା ଉଠା ଜଳସେଚନ ବିଭାଜନର ସହକାରୀ ଯନ୍ତ୍ରୀ ଇଂ ଏନ.ସି. ସେଠୀ ଧନ୍ୟବାଦ ଅର୍ପଣ ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।