ଉତ୍କଳୀୟ ପରଂପରାରେ ଅକ୍ଷି ତୃତୀୟା

ବିପିନ ବିହାରୀ ମହାନ୍ତି
ବୈଶାଖ ଶୁକ୍ଲ ତୃତୀୟାକୁ ଅକ୍ଷୟ ତୃତୀୟା କୁହନ୍ତି । ଭିନ୍ନ ଭାଷାରେ ଏହାକୁ ମଧ୍ୟ ଅକ୍ଷି ତୃତୀୟା କୁହାଯାଏ । ଏହି ଦିବସଟି କୃଷି ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଉତ୍କଳୀୟ ଧର୍ମ ଓ ସଂସ୍ଖୃତିର ପରମ୍ପରାରେ ଏହି ଦିବସଟି ଏକ ପବିତ୍ର ଦିବସ । ଏହି ଦିବସରେ ଯେଉଁ ସବୁ ଶୁଭ କାର୍ଯ୍ୟ ଆରମ୍ଭ ହୁଏ, ତାହା ଶୁଭଦାୟକ ଏବଂ ଫଳପ୍ରଦ ଅଟେ । ଏହି କାରଣରୁ ବୀଜବପନ ପରି କୃଷିକାର୍ଯ୍ୟ, ବୃକ୍ଷରୋପଣ, ନୂତନ ଗୃହ ନିର୍ମାଣ, ପୁଷ୍କରିଣୀ, କୂପ ଏବଂ ଜଳାଶୟ ଖନନ କାର୍ଯ୍ୟ ଇତ୍ୟାଦି ଆରମ୍ଭ ହୋଇଥାଏ ।
ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ଏହାର ମୁଖ୍ୟ ଖାଦ୍ୟ ଶସ୍ୟ ହେଉଛି ଧାନ । ସେ ଏହି ଧାନବୁଣାକୁ ଏହି ଅକ୍ଷୟ (ନ-କ୍ଷୟ) ତୃତୀୟା ଦିନ ଆରମ୍ଭ କରେ । ଏହା ତାହାର ‘ଧାନବୁଣା’ ପର୍ବ । ଏହାକୁ ମାର୍ଗଶୀର ମାସରେ ସେ ଅମଳ କରେ । ଅକ୍ଷୟ ତୃତୀୟାର ବୁଣାପର୍ବ ଏବଂ ମାର୍ଗଶୀର ମାସର ମାଣବସା ବା ଅମଳ ପର୍ବ ଉଭୟ ତା’ ପାଇଁ ମା’ ଲକ୍ଷ୍ମୀଙ୍କ ପର୍ବ : କୃଷିପର୍ବ । ଅକ୍ଷୟ ତୃତୀୟାରେ କୃଷକମାନେ ତାଙ୍କ ଗୃହ ଏବଂ ଗୃହ ପ୍ରାଙ୍ଗଣକୁ ଗୋବର ଦ୍ୱାରା ଶୁଚି କରି ଲିପନ୍ତି । ତହିଁରେ ପଦ୍ମପାଦ ବା ଲକ୍ଷ୍ମୀପାଦ ଥାପନ୍ତି । ଝୋଟି ପକାନ୍ତି । ତହିଁ ପରେ ନୂଆ ବେତା ବା ଟୋକେଇରେ ଧାନ ମାଣରେ ଭରି ପୂଜା କରନ୍ତି । ତା’ ସହିତ ଚାଷ ସାଜ; ହଳ ଲଙ୍ଗଳ, ଫାଉଡ଼ା, କୋଦାଳ, ଦାଆ ଇତ୍ୟାଦିକୁ ସିନ୍ଦୂର, ଫଳ, ଚନ୍ଦନରେ ସଜାଇ ଧୂପ, ଦୀପଭୋଗ ଏବଂ ନୈବେଦ୍ୟ ଇତ୍ୟାଦି ସମର୍ପଣ କରନ୍ତି । ଏହାପରେ ହଳ ଯୋଚି ଚାଲନ୍ତି ଜମିକୁ ବସୁଧା ମାତାର ପୂଜା ଓ ଧାନବୁଣା ଅନୁକୂଳ ପାଇଁ । ଏହି ଜମି ଖଣ୍ଡିକ ପୈତୃକ ସଂପତି ଥିବା; ଏହାକୁ ମୁଠି କିଆରି କୁହନ୍ତି ଯାହାକୁ କୌଣସି ପରିପ୍ରେକ୍ଷୀରେ ସେ ବିକ୍ରି କରିବାକୁ ଚାହିଁ ନାହିଁ, ନିହାତି ଗରିବ ନହେଲେ ଏବଂ ପରିସ୍ଥିତି ବାଧ୍ୟ ନକଲେ । ସେହି ଜମିରେ ପୂର୍ବ କୋଣରେ ସେ ମୁଠା ମୁଠା କରି ଧାନ ବୁଣେ ବୋଲି ତାକୁ ମୁଠି କୁହନ୍ତି । ସେ ଏ ଅନୁକୂଳ ଧାନକୁ ତା’ ନୂଆ ବେତାରେ ଛିଟକନା ଘୋଡ଼ାଇ ସ୍ନାନ ଶଉଚ ହୋଇ ମୁଣ୍ଡାଇ ନେଇଥାଏ । ସେଠାରେ ବସୁଧା ପୂଜା ପରେ ବୁଣେ । ପୂଜା ସାମଗ୍ରୀରେ ଫୁଲ, ଚନ୍ଦନ, ଭୋଗରାଗ ଏବଂ ନଡ଼ିଆ ଇତ୍ୟାଦି ଥାଏ । ଏହିଦିନ ଧାନ ଅନୁକୂଳ କଲେ, ଭଲ ଅମଳ ମିଳେ ବୋଲି ବିଶ୍ୱାସ । ଆଦିବାସୀ ଅଧ୍ୟ୍ୟୁଷିତ ଅଂଚଳରେ ‘ଧରିତ୍ରୀ’ ପୂଜାରେ ସେମାନେ ପୋଢ଼, ଛେଳି ଅଥବା କୁକୁଡ଼ା ଇତ୍ୟାଦି ବଳି ଦିଅନ୍ତି । ବିଶ୍ୱାସ ଯେ, ମାଟି ମାଆ ଭଲ ଫସଲ ଦେବ । ଫସଲରେ ରୋଗପୋକ ଲାଗିବେ ନାହିଁ ଏବଂ ଜନ୍ତୁଜୁନ୍ତା ଖାଇବେ ନାହିଁ । ଅବଶ୍ୟ ଏ ଅନ୍ଧବିଶ୍ୱାସ କ୍ରମଶଃ ଲୋପ ପାଇବାରେ ଲାଗିଛି । କ୍ରମଶଃ ଅନ୍ୟପକ୍ଷରେ ଆର୍ଯ୍ୟାବର୍ତରେ ବହୁ ପୁରାତନ ଯୁଗରୁ ଚଳିଆସୁଥିବା ପ୍ରକୃତି ଏବଂ ବୃକ୍ଷ ପୂଜା ଇତ୍ୟାଦି ଏହି ଅବସରରେ ମଧ୍ୟ ଚାଲିଛି । ମଣିଷ ପ୍ରଥମେ ଦିଅଁ ଦେଉଳ ନଖୋଜି ପ୍ରକୃତିର ଉପାସକ ଥିଲା । କାରଣ ସେ ପ୍ରକୃତିଠାରୁ ଉପକାର ପାଉଥିଲା । ଆଧୁନିକତା ଦୃଷ୍ଟିକୋଣରୁ ଏହି ଦିନ ଶ୍ରୀଜଗନ୍ନାଥ ତଥା ପୁରପଲ୍ଲୀରେ ଠାକୁରମାନଙ୍କର ଚନ୍ଦନ ଯାତ୍ରା ହୁଏ ।
‘ବୈଶାଖସ୍ୟ ସିତେ
ପକ୍ଷେ ତୃତୀୟାକ୍ଷୟ ସଂଜ୍ଞିକା,
ତତ୍ର ମାଂଲେପୟେଦ୍ ଗନ୍ଧ
ଲେପ ନୈରତି ଶୋଭନମ୍‌,
ବୈଶାଖେଚ ସିତେ ପକ୍ଷେ
ତୃତୀୟାୟାଂ ଜଗଦ୍‌ଗୁରୋଃ,
ନାବକ୍ରୀଡ଼ା ପ୍ରକୁର୍ବାତ୍ ସର୍ବ
କାମାର୍ଥ ସିଦ୍ଧୟେ ।ା’
ବୈଶାଖ ଶୁକଳତିଥ
ତୃତୀୟା ବୋଲି ବିଖ୍ୟାତ
ନୀଳଗିରି ନୃପବର
ଦେବନ୍ତ ଘେନି
ସକଳ ସାମନ୍ତଶିବ
ମିଳି ଚନ୍ଦନ ଉତ୍ସବ
ଆପଣ ଅଛନ୍ତି ସଙ୍ଗେ ଜଳଦାସନୀ ।
-କଳ୍ପଲତା : ଅର୍ଜୁନ ଦାସ ।
ସବୁ ଶୁଭ କାମ ଏହିଦିନରେ ଅନୁକୂଳ ହୁଏ । ଏହି ଅକ୍ଷୟ ତୃତୀୟାରେ ରଥଯାତ୍ରା ନିମନ୍ତେ ରଥକାଠ ବଡ଼ଦାଣ୍ଡରେ ଶ୍ରୀନଅର ସାମ୍ନାରେ ଅନୁକୂଳ ହୁଏ । ଏହିଦିନ ମା’ମାନେ ସନ୍ତାନମାନଙ୍କର ନିରୋଗ ଏବଂ ଦୀର୍ଘଜୀବନ କାମନା କରି ଷଠି ଦେବୀଙ୍କର ପୂଜା କରନ୍ତି । ଅନ୍ୟାନ୍ୟ କେତେକ କାରଣରୁ ଏହି ଦିବସଟି ପାଳନର ତାତ୍ପର୍ଯ୍ୟ ଅଛି । ଏହା ଗୀତଗୋବିନ୍ଦ ରଚୟିତା ଜୟଦେବଙ୍କର ଜନ୍ମ ଦିବସ ହେତୁ ବିିଭିନ୍ନ ସ୍ଥାନରେ ଧାର୍ମିକ ସମାବେଶ ଓ ସଂକୀର୍ତନ ଇତ୍ୟାଦି ହୁଏ । ବିଶେଷକରି ତାଙ୍କ ଗ୍ରାମ କେନ୍ଦୁଲିରେ । ଏହିଦିନ ପର୍ଶୁରାମଙ୍କର ଆବିର୍ଭାବ ହୋଇଥିଲା । ଏଣୁ ତାଙ୍କର ମଧ୍ୟ ପୂଜା ହୁଏ । ପୁରାଣରୁ ମିଳେ ଯେ ଗଙ୍ଗାମାତା ଏହି ଅକ୍ଷୟ ତୃତୀୟା ତିଥିରେ ମର୍ତ୍ୟଲୋକରେ ଅବତରଣ କରି ସଗର ବଂଶକୁ ଉଦ୍ଧାର କରିବା ସହିତ ପୃଥିବୀକୁ ଶସ୍ୟ ଶ୍ୟାମଳା କରିଥିଲେ । ଏଣୁ ଏହି ତିଥିରେ ଗଙ୍ଗାରେ ସ୍ନାନ ବା ବୁଡ଼ ପକାଇଲେ ସକଳ ପାପର କ୍ଷୟ ହୁଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ । ଅର୍ଥାତ୍ ଅକ୍ଷୟ ତୃତୀୟା ଦିବସଟି ଗଙ୍ଗାମାତାଙ୍କୁ ନେଇ ଏକ ତୀର୍ଥ ଦିନ । ଏହିଦିନ ଗଙ୍ଗା ନାରାୟଣ ନାମରେ ଯେ କୌଣସି ଜଳାଶୟରେ ବୁଡ଼ ପକାଇଲେ ପାପ କ୍ଷୟ ହୁଏ । ପୁନଶ୍ଚ ଏହି ତିଥିରେ ବଡ଼ ଠାକୁର ବଳଭଦ୍ରଙ୍କର ରେବତୀଙ୍କ ସହ ବିବାହ ହୋଇଥିବାରୁ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ବଳଦେବ ଜୀଉଙ୍କ ମନ୍ଦିର ଚଳଚଂଚଳ ହୋଇଉଠେ । ସବୁ ସତ୍ୱେ ଏବେ ନୈତିକତା ଏବଂ ଅଧ୍ୟାତ୍ମିକତା କ୍ଷେତ୍ରରେ ଅଧୋପତନ ଘଟିଅଛି । ଧର୍ମମଧ୍ୟରେ କୁତ୍ରିମତା ପ୍ରବେଶ କରି ଆମକୁ ଦୂଷିତ କରାଉଛି ।
ଆଧ୍ୟାତ୍ମିକ ଦୃଷ୍ଟିରୁ ଏହା ସଂପ୍ରତି ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, କୃଷି ଦୃଷ୍ଟିରୁ ଏହି ତିଥି ପାଳନର ବିଶେଷ ମହତ୍ୱ ଅଛି । ଏବେ ଆମର କୃଷି ଅବହେଳିତ । ଚାଷ ଜମି ସଂକୁଚିତ । ତାହା ପୁଣି ପ୍ରଦୂଷିତ । ଜମିର ଉପଯୁକ୍ତ ଯତ୍ନ ଅଭାବରୁ ଏହାର ଉତ୍ପାଦିକା ଶକ୍ତି ଦିନକୁ ଦିନ କମିବାରେ ଲାଗିଛି । ରାସାୟନିକ ସାର ଏହାର ଉର୍ବରତାକୁ ହ୍ରାସ କଲାଣି । କୀଟନାଶକ ବିଷ ପ୍ରୟୋଗ ହେତୁ ଖାଦ୍ୟ ପ୍ରଦୂଷିତ ହେଲାଣି । ଏଣିକି ଉଜୁଡ଼ା କୃଷି; କୃଷକ ହତାଶ ଏବଂ ଅଭାବ ଗ୍ରସ୍ତ ହେତୁ କରେ ଆତ୍ମହତ୍ୟା । ଏଣୁ ଏ ଦିବସ ପାଳନରେ ଆଉ ଆନ୍ତରିକତା ନାହିଁ, ଯଥାର୍ଥତା ବାକ’ଣ ?
କଥାରେ ଅଛି :
ଚାଷ ଅଛି ଯାହାର
କିଂପା ଚିନ୍ତା ତାହାର ।’
ଏବେ ଏହା ଏକ ସ୍ଲୋଗାନ ପାଲଟିଛି । ମନେ ରଖିବା କଥା ଯେ କୃଷି ଆମର ସମ୍ବଳ ଏବଂ କୃଷକ ଆମ ଦେଶର ମେରୁଦଣ୍ଡ । ଆସନ୍ତୁ କୃଷି ଓ କୃଷକର ଉନ୍ନତି ନିମନ୍ତେ କିଛି ଚିନ୍ତା କରିବା ।

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର, ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ