ଉତ୍କଳ ଦିବସର ଅନୁଚିନ୍ତା
ଆଜି ଏପ୍ରିଲ ମାସ ୧ ତାରିଖ। ସାରା ରାଜ୍ୟ ରେ ଆନନ୍ଦ ଉଲ୍ଲାସ ମଧ୍ୟ ରେ ପାଳିତ ହେବ ଉତ୍କଳ ଦିବସ। ନେତା ଠାରୁ ଜନତା ବହୁ ଭାଷଣ ଦେବେ। ଆମ ରାଜ୍ୟ ରେ ଘିଅ,ମହୁ ଭାସିବ, ଆଉ କେହି ଓଡ଼ିଆ ଦାଦନ ଖଟିବାକୁ ବାହାର ରାଜ୍ୟ, ଦେଶ କୁ ଯିବେନି, ଆଉ କେହି ଓଡ଼ିଆ ସରକାରୀ ଯୋଜନା ରୁ ବଞ୍ଚିତ ହେବେନି ! ଏମିତି କେତେ ପ୍ରତିଶ୍ରୁତି ମିଳିବ ସଭାସମିତି ରେ। ପ୍ରକୃତ ରେ କଣ ଏ ସବୁ ସମ୍ଭବ ? ଆଜି ଏହି ଦିବସ ରେ ସମସ୍ତ ଙ୍କର ଏହି ଅନୁଚିନ୍ତା ହେବା ଦରକାର। ପବିତ୍ର ଉତ୍କଳ ଦିବସ ପ୍ରତ୍ୟେକ ଓଡ଼ିଆର ମନ, ପ୍ରାଣ ଏବଂ ହୃଦୟ ସହ ଜଡ଼ିତ। ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ ସେହି ମହାପୁରୁଷ ମାନେ ନିଜ ସ୍ୱାର୍ଥକୁ ତ୍ୟାଗ କରି ଉତ୍କଳ ଜନନୀର ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯେହେତୁ ଏପ୍ରିଲ ୧, ୧୯୩୬ ମସିହାରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପେ ଏକ ସ୍ୱତନ୍ତ୍ର ପ୍ରଦେଶର ମର୍ଯ୍ୟାଦା ପାଇଥିଲା। ଆମେ ଏହି ଦିନକୁ ଉତ୍କଳ ଦିବସ ବା ଓଡ଼ିଶା ଦିବସ ରୂପେ ପାଳନ କରୁଅଛୁ। ଏକଦା ନିଜରକଳା-ସ˚ସ୍କୃତି,ଭାଷା-ସାହିତ୍ୟ, ବାଣିଜ୍ୟ-ବ୍ୟବସାୟ ଓ ସାମାଜିକ-ସାମରିକ ପରମ୍ପରା ପାଇଁ ଏହି ରାଜ୍ୟ ବିଶେଷ ଭାବେ ପରିଚିତ ଥିଲା । କ୍ରମେ ଏକାଧିକ କାରଣରୁ ପ୍ରଥମେ ଏହାର ସ୍ବାଧୀନତା ଏବ˚ ପରେ ସାମାଜିକ ନିରାପତ୍ତା, ଭାଷା ଓ ସ˚ସ୍କୃତି ଆଦି ସବୁ କିଛି ବିପନ୍ନ ହୋଇଥିଲା । ଏହାର ଭୌଗୋଳିକ ସୀମା ସଙ୍କୋଚନ ପରେ, ଅଣ ଓଡ଼ିଆ ମାନେ, ତତ୍କାଳୀନ ବ୍ରିଟିଶ ସରକାର କୁ ପ୍ରଭାବିତ କରି, ଏହାକୁ ଖଣ୍ତ ଖଣ୍ତ କରି ବାଣ୍ଟିନେବାକୁ ମସୁଧା କରିଥିଲେ । ଏପରିକି କେତେକ ବଙ୍ଗୀୟ ପ୍ରକାଶ୍ୟରେ, ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା କି ଜାତି ନୁହେଁ, ଏଣୁ ଏହାକୁ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ନ ଦେଇ ବାଂଲା ଭାଷାଭାଷୀ ଅଞ୍ଚଳରେ ମିଶାଇଦେବା ପାଇଁ ମତ ଦେଇଥିଲେ । ସେମାନଙ୍କ ଷଡ଼ଯନ୍ତ୍ର ବିରୋଧରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀରମୋହନ ସେନାପତି, ପଣ୍ତିତ ନୀଳକଣ୍ଠ ଦାଶ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବ କବି ଗଙ୍ଗାଧର ମେହେର, ବିଚିତ୍ରାନନ୍ଦ ଦାସ, କର୍ମବୀର ଗୌରୀଶଙ୍କର ରାୟ ଓ ହରିହର ମର୍ଦରାଜ ଦେବ ଆଦିଙ୍କ ନେତୃତ୍ବରେ ପ୍ରତିବାଦର ସ୍ବର ତୀବ୍ର ହୋଇଥିଲା। ଶେଷରେ ପରାଧୀନତା ଶୃଙ୍ଖଳରୁ ମୁକ୍ତ ହୋଇଥିଲେ ଆମେ ଏବ˚ ଜନ୍ମ ନେଇଥିଲା ସ୍ବତନ୍ତ୍ର ଓଡ଼ିଶା । ଏହା ଆଧୁନିକ ଓଡ଼ିଶା ଇତିହାସର ସବୁଠାରୁ ଉଲ୍ଲେଖନୀୟ ଘଟଣା । ଏହା ଥିଲା ଊନବି˚ଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣର ଚୂଡ଼ାନ୍ତ ଫଳଶ୍ରୁତି । ସାଙ୍କେତିକ ଭାବେ ଏହା ଥିଲା ଓଡ଼ିଶାର ସ୍ବକୀୟତାର ଘୋଷଣା । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନ ରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ,ପୁରୀ, ଗଞ୍ଜାମ, ବାଲେଶ୍ୱର, ସମ୍ବଲପୁର ଓ କୋରାପୁଟ କୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ୧୯୯୨ ମସିହା ରେ ସ୍ଵର୍ଗତ ସୁରେନ୍ଦ୍ର ନାଥ ନାୟକ ଙ୍କ ରାଜସ୍ବ ମନ୍ତ୍ରୀ ସମୟ ରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ପରିଣତ କରାଗଲା । ପ୍ରତିବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ମାନଙ୍କୁ ସମ୍ମାନ ଅର୍ପଣ କରାଯାଏ। ସେହି ମହାପୁରୁଷ ମାନଙ୍କ ସ୍ମୃତି କୁ ମନେ ପକାଇବା ପାଇଁ ଓ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ସରକାର ପ୍ରତି ଜିଲ୍ଲା, ସଦର ମହକୁମା,ଉପଖଣ୍ଡ ମାନଙ୍କ ରେ ସେମାନଙ୍କ ପ୍ରତିମୂର୍ତ୍ତି
ସ୍ଥାପନା କଲେ ଓଡ଼ିଆ ଅସ୍ମିତା କୁ ସୁରକ୍ଷା ଦେବାକୁ ସରକାର ଯେଉଁ ଘୋଷଣା କରୁଛନ୍ତି ତାହା ପୂରଣ ହୋଇ ପାରନ୍ତା। ବନ୍ଦେ ଉତ୍କଳ ଜନନୀ।
ସନ୍ତୋଷ କୁମାର ଦାଶ
ତୁଳସୀପୁର। ପୁରୀ।