ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେଲେ ଉପରାଷ୍ଟ୍ରପତି
ଭୁବନେଶ୍ୱର, (ୱାଇଏନ୍ଏସ୍): ପରିପୂର୍ଣ୍ଣ ଓ ସୃଜନଶୀଳ ବ୍ୟକ୍ତିବିଶେଷ ସୃଷ୍ଟି କରିବାକୁ ଆମକୁ ତକ୍ଷଶୀଳା, ନାଳନ୍ଦା, ବଲ୍ଲଭି ଓ ବିକ୍ରମଶୀଳା ଭଳି ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟରେ ମହାନ ଭାରତୀୟ ପରମ୍ପରାକୁ ପୁନଃସ୍ଥାପିତ କରିବାକୁ ପଡ଼ିବ । ଦେଶକୁ ଉଭୟ ସାମାଜିକ ଓ ଆର୍ôଥକ ଦୃଷ୍ଟିରୁ ପରିବର୍ତନ କରିବାର ବିଶେଷ ଦକ୍ଷତା ସେହିଭଳି ବ୍ୟକ୍ତି ବିଶେଷଙ୍କର ରହିବ । ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଏହା କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ଇତିହାସ ସମୃଦ୍ଧ ଓ ପ୍ରେରଣାଦାୟୀ । ଏହି ମହାନ କଳିଙ୍ଗଭୂମି ସମ୍ରାଟ ଅଶୋକଙ୍କୁ ଶାନ୍ତିର ଶିକ୍ଷା ଦେଇଥିଲା; ଯାହା ଫଳରେ ସେ ଧର୍ମବିଜୟ ନୀତି ଅନୁସରଣ କରିଥିଲେ । ଓଡ଼ିଶାର ନରପତିମାନେ ଦକ୍ଷିଣ ପୂର୍ବ ଏସିଆ ସହିତ ସାଂସ୍କୃତିକ ସମ୍ପର୍କ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ସେଠାରେ ହିନ୍ଦୁ ଧର୍ମ ଓ ବୌଦ୍ଧଧର୍ମର ପ୍ରଚାର ପ୍ରସାର କରାଇଥିଲେ । କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ତାହାର ଗୌରବମୟ ସାମୁଦ୍ରିକ ପରମ୍ପରା ପାଇଁ ଖ୍ୟାତ । କାଳିଦାସ ତାଙ୍କର ପ୍ରସିଦ୍ଧ କୃତି ରଘୁବଂଶରେ କଳିଙ୍ଗ ନୃପତିଙ୍କୁ ସାଗରାଧିପତି ଭାବେ ବର୍ଣ୍ଣନା କରିଛନ୍ତି । ଏଥିରୁ ସାଗର ଉପରେ କଳିଙ୍ଗର ପ୍ରଭାବର ସୂଚନା ମିଳେ । କଳିଙ୍ଗର ଦୁଃସାହସୀ ସାଧବମାନେ ଶ୍ରୀଲଙ୍କା, ଜାଭା, ବୋର୍ଣ୍ଣିଓ, ବାଲି ଓ ବର୍ମା ସହିତ ବାଣିଜ୍ୟ ସମ୍ପର୍କ ସ୍ଥାପନ କରିଥିଲେ । ବିଭିନ୍ନ ସ୍ଥାନରେ ହୋଇଥିବା ଉତ୍ଖନନରୁ ମିଳିଥିବା ବହୁସଂଖ୍ୟକ ମୁଦ୍ରା, କଳାକୃତି ଓ ରୋମାନ ସାମଗ୍ରୀ ଆଦିରୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ସମାଜର ପରିଚୟ ମିଳେ । ସେ କହିଛନ୍ତି ଯେ ଏବେ ମଧ୍ୟ ଏଠାକାର ଲୋକେ ସେମାନଙ୍କ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ସାଧବଙ୍କ ସ୍ମୃତିରେ ବାଲିଯାତ୍ରା ପାଳନ କରୁଛନ୍ତି । ସେହି ସାଧବମାନଙ୍କ ଦକ୍ଷତା, ଉଦ୍ୟମିତା ଓ ସାହସିକତା ଦ୍ୱାରା କଳିଙ୍ଗ ଏକଦା ଏକ ସମୃଦ୍ଧ ସାମ୍ରାଜ୍ୟରେ ପରିଣତ ହୋଇଥିଲା ।ସାଧବ ପୁଅ ମାନଙ୍କ ଠାରୁ ପ୍ରେରଣା ନେଇ ଉଦ୍ୟମିତା ଓ ନବସୃଜନର ଆଗ୍ରହ ନିଜ ଭିତରେ ସୃଷ୍ଟି କରନ୍ତୁ ବୋଲି ଉପ ରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଆହ୍ୱାନ ଜଣାଇଛନ୍ତି ।ସେ ଛାତ୍ର ଛାତ୍ରୀ ମାନଙ୍କୁ କହିଛନ୍ତି ଯେ ସେମାନେ ବିଶ୍ୱବିଦ୍ୟାଳୟରୁ ଯେଉଁ ମୂଲ୍ୟବୋଧ ଓ ତାଲିମ ପାଇଛନ୍ତି ତାହା ଦ୍ୱାରା ଆତ୍ମବିଶ୍ୱାସର ସହିତ ଦୁନିଆର ମୁକାବିଲା କରିପାରିବେ । “ଆତ୍ମବିଶ୍ୱାସର ସହ ବିଶ୍ୱର ସମ୍ମୁଖୀନ ହୁଅ” – ଏହି ବିଚାର ଓ ସାମର୍ଥ୍ୟ ଆମର ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରବେଶ କରାଇବା ନୂଆ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ । ଶିକ୍ଷାର ଲକ୍ଷ୍ୟ କେବଳ ବୌଦ୍ଧିକ ବିକାଶରେ ସୀମିତ ନୁହେଁ । ଏହା ମଧ୍ୟ ଚରିତ୍ର ନିର୍ମାଣ ଏବଂ ଏକବିଂଶ ଶତାବ୍ଦୀର ଦକ୍ଷତାରେ ଭୂଷିତ ତଥା ଏକ ସାମଗ୍ରିକ ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟକ୍ତି ଗଢ଼ିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।ସେ କହିଛନ୍ତି ଯେ ଓଡ଼ିଶାର ଭୌମକର ବଂଶର ବିଶେଷତ୍ୱ ସମ୍ପର୍କରେ ସ୍ମରଣ କରାଇଦେବାକୁ ଚାହେଁ । ଏହି ରାଜବଂଶର ଅନେକ ମହିଳା ଶାସକ କ୍ରମାଗତ ଭାବେ ନବମରୁ ଦଶମ ଶତାବ୍ଦୀ ଯାଏ ଶାସନ କରିଥିଲେ । ଭୌମକର ରାଣୀମାନେ ପୁରୁଷ ପ୍ରଧାନ ଶାସନ ବ୍ୟବସ୍ଥାକୁ ଭାଙ୍ଗି ପ୍ରାୟ ୨୦୦ବର୍ଷ ଯାଏ ରାଜ୍ୟ ଶାସନ କରିବାରେ ସଫଳ ହୋଇଥିଲେ । ଏହି ଉଜ୍ଜ୍ୱଳ ଉଦାହରଣ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ହେବା ଆବଶ୍ୟକ । ମୁଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଉଛି ସେମାନେ ଏହି କାହାଣୀ ସବୁ ପଢ଼ନ୍ତୁ ଏବଂ ଲିଙ୍ଗଗତ ପାତର ଅନ୍ତର ବିରୋଧରେ ଲଢ଼ିବାକୁ ଶପଥ ନିଅନ୍ତୁ । ବାସ୍ତବରେ ଜାତିବାଦ, ସାମ୍ପ୍ରଦାୟିକତା, ଦୁର୍ନୀତି ଓ ହିଂସା ବିରୋଧରେ ଲଢ଼େଇ କରିବା ପାଇଁ ଆମ ଯୁବ ସମାଜ ସର୍ବଦା ଆଗରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ଆଉ ଏକ ବିଶେଷତ୍ୱ ହେଉଛି ଏଠାରେ ଆଦିବାସୀମାନେ ଅଧିକ ସଂଖ୍ୟାରେ ବାସ କରନ୍ତି । ଏଠାରେ ୬୨ ପ୍ରକାର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକ ଅଛନ୍ତି । ଓଡ଼ିଶାର ମୋଟ ଜନସଂଖ୍ୟାର ୨୩ ଶତାଂଶ ଆଦିବାସୀ । ଭାରତର ମୋଟ ଆଦିବାସୀ ଜନସଂଖ୍ୟାର ୯.୧୭ ଶତାଂଶ ଲୋକ ଓଡ଼ିଶାରେ ବାସ କରନ୍ତି । ତେଣୁ ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ଓ କଲ୍ୟାଣ ଆମର ପ୍ରାଥମିକତା ହେବା ଉଚିତ ।


