ଉତ୍କଳ ସାମ୍ବାଦିକ ସଂଘର ୭୯ତମ ପ୍ରତିଷ୍ଠା ଉତ୍ସବ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ସାମ୍ବାଦିକ ମାନଙ୍କର ମୌଳିକ ସମସ୍ୟାର ସମାଧାନ ଦିଗରେ ସରକାରଙ୍କ ଉଦାସୀନତା ନେଇ ରାଜଧାନୀରେ ସାମ୍ବାଦିକମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଉତ୍କଳ ସାମ୍ବାଦିକ ସଂଘର ୭୯ତମ ପ୍ରତିଷ୍ଠା ଉତ୍ସବ ଓ ସାଧାରଣ ପରିଷଦ ବୈଠକ ଅବସରରେ ବିଭୂତି ଭୂଷଣ କରଙ୍କୁ ସର୍ବସମ୍ମତିକ୍ରମେ ସଂଘର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଥିଲେ । ସଭାପତିଙ୍କ ନିର୍ବାଚନ ଘୋଷଣା ପରେ ଶ୍ରୀ କରଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଖାରବେଳ ନଗରସ୍ଥିତ ରାଜ୍ୟ ସଂଘ କାର୍ଯ୍ୟାଳୟରେ ଆୟୋଜିତ ସମାରୋହରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ହଜାରରୁ ଉର୍ଦ୍ଧ୍ୱ କର୍ମକତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସ୍ୱାସ୍ଥ୍ୟବୀମା ରାଶି ୧୦ଲକ୍ଷ ଟଙ୍କାକୁ ବୃଦ୍ଧି, ଅବସରକାଳୀନ ଭତ୍ତା ପ୍ରଦାନ, ସମସ୍ତ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ, ପ୍ରେସ୍ ଏକାଡ଼େମୀ ଗଠନ ନେଇ ବିଭିନ୍ନ ସମୟରେ ହୋଇ ଆସୁଥିବା ଦାବିଗୁଡ଼ିକ ହାସଲ ଦିଗରେ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉତ୍ସବ ଉପରାନ୍ତେ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଉପସ୍ଥିତ ସଦସ୍ୟମାନେ ଏକ ବିରାଟ ପଟୁଆରରେ ଯାଇ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ରାଜ୍ୟ ସଭାପତି ଶ୍ରୀ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଷ୍ଠା ଉତ୍ସବ ସମାରୋହରେ ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ଉପରୋକ୍ତ ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ସମର୍ଥନ କରିବା ସହ ସ୍ୱାସ୍ଥ୍ୟବୀମା ରାଶି ୨ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ଓ ସାମ୍ବାଦିକମାନଙ୍କୁ ଅବସରକାଳୀନ ଭତ୍ତା ପ୍ରଦାନ ଇତ୍ୟାଦି ଦାବି ଯୁକ୍ତିଯୁକ୍ତ ବୋଲି ଦର୍ଶାଇଥିଲେ । ଏଥିରେ ‘ସମ୍ବାଦ’ର ସମ୍ପାଦକ ତଥା ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ସଂଘର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହ ଏବେ ସାମାଜିକ ପରିବର୍ତ୍ତନ ପାଇଁ ସାମ୍ବାଦିକମାନଙ୍କ ମଧ୍ୟରେ ଆହ୍ୱାନ ସୃଷ୍ଟି ହେବାର ସମୟ ଆସିଛି । ତେଣୁ ସାମ୍ବାଦିକମାନେ ସେଥିପ୍ରତି ସଜାଗ ଓ ସଚେତନ ହୋଇ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ ଏବଂ ସାମ୍ବାଦିକମାନେ ସମାଜର ଏକ ଭିନ୍ନ ମଣିଷ ନୁହଁନ୍ତି, ସେମାନଙ୍କର ସୁରକ୍ଷା ସହ ମୌଳିକ ସମସ୍ୟା ସମାଧାନ କରିବା ସରକାରଙ୍କ ଉତ୍ତର ଦାୟିତ୍ୱ ବୋଲି ସୁଚାଇଥିଲେ । ଏହି ଉତ୍ସବରେ ସାମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଯୋଗ ଦେଇଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟତମ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରମୋଦ କୁମାର ପଟ୍ଟନାୟକ, ଶୃଙ୍ଖଳ କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଖଟେଇ, ସହ ଅଧ୍ୟକ୍ଷ ରବିନାରାୟଣ ଖିଲାର, ଉପସଭାପତି ପ୍ରଦୀପ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ବରିଷ୍ଠ ସଦସ୍ୟ ପ୍ରସନ୍ନ ତ୍ରିପାଠୀ, ପ୍ରଭାକର ଶିରୋମଣି, ଶିଶିର ପଟ୍ଟନାୟକ, ଜିଲ୍ଲା ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ପ୍ରତାପ ପ୍ରଧାନ, ଗୋରେଶ ସାହୁ, ଶଶାଙ୍କ ମିଶ୍ର, ଦୁର୍ଯ୍ୟୋଧନ ପାତ୍ର, ଲୋକନାଥ ଦଳେଇ, ସତ୍ୟବ୍ରତ ଦାସ, ସନ୍ତୋଷ ଦାସ, ମନୋଜ ଦାସ, ହିମାଂଶୁ ନାୟକ, ସତ୍ୟନାରାୟଣ ମିଶ୍ର, ସୁରେଶ ଦାସ, ବିଧାନ ଚୌଧୁରୀ, ଅନିଲ ପଟ୍ଟନାୟକ, ପ୍ରଭାତ ମିଶ୍ର, ରଜନୀକାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ବିଜୟ ମହିସ, ନରସିଂହ ବ୍ରହ୍ମା, ନବୀନ କୁମାର ଦାସ, ଏସ୍. ରାଜୀବ ଗୌରବ, ଲିଙ୍ଗରାଜ ସାହୁ ପ୍ରମୁଖ ସଂଘର ଆଭିମୁଖ୍ୟ ଓ ସଂଗଠନର ଦୃଢତା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉପସଭାପତି ଡଃ ରଶ୍ମିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।