ଉତ୍କୃଷ୍ଟ ସାଂସଦ ମହାରତ୍ନ ଭାବେ ଭତ୍ତୃହରି ମହତାବ ସମ୍ମାନୀତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡା ମାଟିର ପୁଅ ତଥା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଏବଂ କଟକ ସାଂସଦ ଭତ୍ତୃହରି ମହତାବ ଉତ୍କୃଷ୍ଟ ସାଂସଦ ମହାରତ୍ନ ଭାବେ ସମ୍ମାନୀତ ହୋଇଥିବାରୁ ତାଙ୍କର ଜନ୍ମମାଟି ଆଗରପଡାରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମାନପତ୍ର ଓ ଉତ୍ତରୀୟ ଦେଇ ପୁରସ୍କୃତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏଥିପୂର୍ବରୁ ସେ ଶ୍ରେଷ୍ଠ ସାଂସଦ ରତ୍ନ, ଶ୍ରେଷ୍ଠ ସାଂସଦ ମହାରତ୍ନ ଭାବେ ସମ୍ମାନୀତ ହୋଇଥିଲେ । ସଂସଦରେ ତାଙ୍କର ବିଭିନ୍ନ ବିଷୟରେ ଉତ୍କର୍ଷ ସାରଗର୍ଭକ ଆଲୋଚନା, ପରାମର୍ଶରେ ସରକାରଙ୍କୁ ଜନସାଧାରଣ ଓ ଜାତୀୟ ସ୍ୱାର୍ଥ ସମ୍ବଳିତ ଦିଗଦର୍ଶନ ଦେଇ ଆସିଛନ୍ତି । ଏଥିସହିତ ସେ ବିଭିନ୍ନ ସମୟରେ ଲୋକସଭାର ଅଧିବେଶକୁ ସୂଚାରୁରୂପେ ପରିଚାଳନା କରି ନିଜର ପରାକାଷ୍ଠା ପ୍ରତିପାଦିତ କରି ଆସିଛନ୍ତି । ଚଳିତ ବର୍ଷ ତାଙ୍କୁ ଉତ୍କୃଷ୍ଟ ସାଂସଦ ମହାରତ୍ନ ଭାବେ ସମ୍ମାନୀତ କରାଯାଇଥିବାରୁ ସ୍ୱେଚ୍ଛାସେବୀ ସଂସ୍ଥା ଲୋକଶକ୍ତି, ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ଓ ଜଗତ ଜ୍ୟୋତି ମହିଳା ମହାସଂଘ ସମେତ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।


