ଉତ୍ତର କୋରିଆ ଛୁଇଁନି କୋରୋନା!
ପ୍ୟୋଙ୍ଗୟାଙ୍ଗ: କୋରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ଏହା ୨୦୫ଟି ଦେଶରେ ମହାମାରୀ ରୂପ ନେଇଛି। ତେବେ ଉତ୍ତର କୋରିଆ ଏବେ ବି କୋରୋନା ପହଞ୍ଚି ନାହିଁ। ଏସମ୍ପର୍କରେ ଉତ୍ତର କୋରିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୀନ ସୀମାକୁ ଲାଗିଥିବା ଉତ୍ତର କୋରିଆ କୋରୋନା ସଂକ୍ରମଣ ସୂଚନା ପାଇବା ପରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିଲା। ଏହାର ସମସ୍ତ ସୀମାକୁ ଉତ୍ତର କୋରିଆ ସିଲ୍ କରିଦେଇଥିଲା। ଏଥି ସହିତ ଦେଶରେ ଆବଶ୍ୟକୀୟ ସୁରକ୍ଷା ଏବଂ ସଚେତନତା ସୃଷ୍ଟି କରାଯାଇଥିଲା। ଏହାଦ୍ୱାରା ଦେଶରେ ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ଉତ୍ତର କୋରିଆ ସେଣ୍ଟ୍ରାଲ ଏମରଜେନ୍ସି ଆଣ୍ଟି-ଏପିଡ଼େମିକ ମୁଖ୍ୟାଳୟ ନିର୍ଦେଶକ ପାକ୍ ମାୟୋଙ୍ଗ ସୁ ସୂଚନା ଦେଇଛନ୍ତି। ବିଦେଶରୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ କ୍ବାରେଣ୍ଟାଇନ୍ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଦେଶର ସମସ୍ତ ସୀମା ସିଲ୍ କରାଯିବା ସହିତ ସମୁଦ୍ର ଏବଂ ଆକାଶ ମାର୍ଗରେ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଥିଲା ବୋଲି ସେ କହିଛନ୍ତି। ତେବେ ବିଶେଷଜ୍ଞଙ୍କ ପକ୍ଷରୁ ଉତ୍ତର କୋରିଆର ଏହି ଦାବିକୁ ଖଣ୍ଡନ କରାଯାଇଛି। ଉତ୍ତର କୋରିଆର ସ୍ବାସ୍ଥ୍ୟ ସେବା ବିକଶିତ ନୁହେଁ। ସଂକ୍ରମଣ ସମ୍ପର୍କରେ ତଥ୍ୟ ଉତ୍ତର କୋରିଆ ଲୁଚାଉଥିବା ବିଶେଷଜ୍ଞ କହିଛନ୍ତି।