ଉଦ୍ୟାନ ବିଭାଗରେ ମନରେଗା ୩ଟି ଆର୍ଥିକ ବର୍ଷରେ ୯୩ ଚାଷୀ ସାମିଲ, ୫ ପଂଚାୟତ ବାଦ

ନାଉଗାଁ (ଓ୍ବାଇଏନ୍ଏସ୍) : ଚାଷୀଙ୍କୁ ଚାଷ ପ୍ରତି ଆଗ୍ରହ କରିବା ସହିତ ସ୍ୱାବଳମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ଏହି ଯୋଜନା ଚାଷୀଙ୍କ ପାଖରେ କିପରି ସଠିକ ଭାବେ ପହଁଚି ପାରିବ, ସେଥିପାଇଁ ରାଜ୍ୟ ଠାରୁ ବ୍ଲକ ପର୍ଯ୍ୟନ୍ତ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହାସହିତ ଚାଷୀମାନେ କିପରି ଚାଷ ସଂର୍ପକରେ ଅଧିକ ଜାଣିପାରିବେ ସେମାନଙ୍କୁ ଜିଲ୍ଲା ଓ ରାଜ୍ୟ ବାହାରକୁ ଏକ୍ସପୋଜର ଭିଜିଟ୍‌ରେ ନିଆଯିବା ପାଇଁ ବ୍ୟବସ୍ଥା ରହିଛି । ଏପରିକି ନିଜ ପଂଚାୟତ ଓ ବ୍ଲକରେ ମଧ୍ୟରେ ଚାଷ ସଂର୍ପକରେ ପ୍ରଶିକ୍ଷଣ ଆଦି ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସରକାରଙ୍କ ପ୍ରଣୟନ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି । ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳୁଛି ମନରେଗା ଯୋଜନାରେ ।
ମନରେଗା ପୋର୍ଟାଲ ତଥ୍ୟ ଅନୁସାରେ ନାଉଗାଁ ବ୍ଲକରେ ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ଉଦ୍ୟାନ ବିଭାଗ ଦ୍ୱାରା ନଡିଆ, ଆମ୍ବ ଓ କାଜୁ ବାଦାମ ଚାଷ କରାଯାଇଛି । ଏହି ଚାଷରେ ବ୍ଲକର ନଡିଆ ଚାଷ ପାଇଁ ୭୦ ଜଣ,କାଜୁ ବାଦମ ଚାଷ ପାଇଁ ୬ଜଣ ଓ ଆମ୍ବ ଚାଷ ପାଇଁ ୧୭ଜଣଙ୍କୁ ସାମିଲ କରାଯାଇଥିବା ଜଣାଯାଇଛି । ଏହି ଯୋଜନାରେ ନାଉଗାଁ ବ୍ଲକର ୧୬ଟି ପଂଚାୟତ ମଧ୍ୟରୁ ୧୧ଟି ପଂଚାୟତର ଚାଷୀଙ୍କୁ ସାମିଲ କରାଯାଇଥିବା ବେଳେ ବଛାଳୋ, ଡାବର, ଡେରିକି, ଓଷକଣା, ରୋହିଆ ପଂଚାୟତକୁ ମିଶାଇ ୫ଟି ପଂଚାୟତର ଚାଷୀ ବାଦ ପଡିଥିବା ପୋର୍ଟାଲରୁ ଜଣାଯାଇଛି । ଉଦ୍ୟାନ ବିଭାଗର ଅଧିକାରୀଙ୍କ ସୂଚନା ମୁତାବକ ମନରେଗା ଯୋଜନାରେ ସାମିଲ ହେବାକୁ ହେଲେ ପ୍ରଥମେ ପଂଚାୟତର ପଲ୍ଲୀସଭାରେ ଚାଷୀଙ୍କ ନାମକୁ ଅନୁମୋଦନ କରାଯିବ । ଏହାପରେ ବ୍ଲକ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧିକାରୀଙ୍କ ସିକୃତି ପାଇଲା ପରେ ଉକ୍ତ ଚାଷୀଙ୍କୁ ଉଦ୍ୟାନ ବିଭାଗର ଯୋଗ୍ୟ ଚାଷୀ ଭାବେ ସାମିଲ କରାଯିବ । ହେଲେ ଏହି ଯୋଜନାରେ ଚିହ୍ନଟ ହେବା ପରେ ସଂପୃକ୍ତ ଚାଷୀ ପ୍ରତି ନଡିଆ ଚାରା ପିଛା ୫୦ ଟଙ୍କା, ଆମ୍ବ ଚାରା ପିଛା ୩୪ଟଙ୍କା ୫୦ ପଇସା ଓ କାଜୁବାଦମ ଚାରା ପିଛା ୩୪ ଟଙ୍କା ୫୦ ପଇସା ଦେୟ କରିବାକୁ ହେବ । ଉକ୍ତ ଚାରାକୁ ସଂପୃକ୍ତ ଚାଷୀ କିଣିବା ପରେ ଯେଉଁ ଜମିରେ ରୋପଣ କରିବେ । ଉଦ୍ୟାନ ବିଭାଗ ଉକ୍ତ ସ୍ଥାନକୁ ଜିଓ ଟ୍ୟାଗରେ ଫଟୋ ଉତୋଳନ କରିବା ପରେ ମନରେଗା ଯୋଜନାର ସହାୟତା ରାଶୀ ପ୍ରଦାନ କରାଯିବ । ଏହା ସହିତ ଉକ୍ତ ଚାରାର ରକ୍ଷାଣବେକ୍ଷଣ ପାଇଁ ୩ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ପୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ରହିଛି ବୋଲି କୁହାଯାଇଛି । ଅନ୍ୟପଟରେ ଏହି ବ୍ଲକରେ ୩ଟି ଆର୍ଥିକ ବର୍ଷରେ ଉକ୍ତ ଯୋଜନାରେ ୯୩ଜଣ ଚାଷୀଙ୍କୁ ସାମିଲ କରାଯାଇଛି । କିନ୍ତୁ ଅଧିକାଂଶ ଚାଷୀଙ୍କ ବାଡିରେ ଉକ୍ତ ଗଛ ଗୁଡିକ ଦେଖିବାକୁ ମିଳୁନଥିବା ଅଭିଯୋଗ ହେଉଛି । ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଏହି ଯୋଜନାମାନ ପ୍ରଣୟନ କରୁଛନ୍ତି । ଏହି ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଉକ୍ତ ଯୋଜନା ଗୁଡିକ ସଠିକ କାର୍ଯ୍ୟକାରୀ ହେଉ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏସଂର୍ପକରେ ଜଗତସିଂହପୁର ଜିଲ୍ଲା ଉଦ୍ୟାନ ବିଭାଗର ସହ ନିର୍ଦ୍ଦେଶକ ମିହିର ସାମନ୍ତରାୟଙ୍କୁ ପଚାରିବାରୁ ଉକ୍ତ ଯୋଜନାରେ ସାମିଲ ହେଉଥିବା ଚାଷୀ ପଂଚାୟତ ପଲ୍ଲୀସଭା ଅନୁମୋଦନରେ ଚିହ୍ନଟ କରାଯାଇଛି । ସେମାନେ ଚାରା ଲଗାଇଲା ପରେ ଜିଓ ଟ୍ୟାଗରେ ଫଟୋ ଉତୋଳନ କରାଯିବା ପରେ ସହାୟତା ପ୍ରଦାନ କରାଯାଇଛି । ଯଦି ଚାରା ଗୁଡିକ ବଂଚି ନଥିବ ରକ୍ଷାଣବେକ୍ଷଣ ବାବଦକୁ ସହାୟତା ପ୍ରଦାନ କରାଯିବ ନାହିଁ ବୋଲି କହିଥିଲେ । ବିଭାଗୀୟ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ