ନବଗଠିତ ଆସିକା ପୌରପାଳିକାରେ ୨୩ ୱାର୍ଡ: ପ୍ରକାଶ ପାଇଲା ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା
ଆସିକା (ୱାଇଏନ୍ଏସ୍) : ନବଗଠିତ ଆସିକା ପୌରପାଳିକା ୱାର୍ଡ ସୀମା ନିର୍ଦ୍ଧାରଣ ଆସନ ସଂରକ୍ଷଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିସୂଚନା ଜାରିହୋଇସାରିଛି । ପୂର୍ବରୁ ଆସିକା ଏନ୍ଏସିର ୱାର୍ଡ ସଂଖ୍ୟା ୧୮ରେ ସୀମିତ ଥିଲା ବେଳେ ବର୍ତ୍ତମାନ ପୌରପାଳିକାର ମାନ୍ୟତା ମିଳିବା ପରେ ୱାର୍ଡ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ମୁକୁନ୍ଦପୁର ଓ ନରସିଂହପଲ୍ଲୀ ଏବଂ ନୁଆଗାଁକୁ ଆସିକା ପୌରପାଳିକାରେ ସାମିଲ୍ କରାଯାଇଛି ଏବଂ ପ୍ରତ୍ୟେକ ୱାର୍ଡର ସୀମାରେଖା ସ୍ପଷ୍ଟ କରାଯାଇସାରିଛି । ନବଗଠିତ ଆସିକା ପୌରପାଳିକାର ୨୩ଟି ୱାର୍ଡ ମଧ୍ୟରୁ ୯ଟି ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା ବେଳେ ୯ଟି ୱାର୍ଡ ଅଣସଂରକ୍ଷିତ, ୨ଟି ୱାର୍ଡ ଅନୁସୂଚିତ ଜାତି, ୨ଟି ୱାର୍ଡ ଅନୁସୂଚିତ ଜାତି ମହିଳା, ଗୋଟିଏ ୱାର୍ଡ ଅନୁସୂଚିତ ଜନଜାତିି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ଜଣାପଡିଛି । ଯଦିଓ ଆବଶ୍ୟକ ପଡିଲେ ଏହି ତାଲିକାରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶିତ ହେବ ବୋଲି ଜଣାପଡିଛି । ଆସିକା ପୌରପାଳିକାରେ ନୂତନ ଭାବେ ପଞ୍ଚାୟତ ମିଶ୍ରଣ ହୋଇଥିବାରୁ ଆଗାମୀ ନିର୍ବାଚନରେ ଗ୍ରାମାଞ୍ଚଳର ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତକ ହେଉଛି । ୨୦୧୧ ଜନଗଣନା ଅନୁଯାୟୀ ଆସିକା ପୌରପାଳିକାର ଜନସଂଖ୍ୟା ୩୦୪୧୬ ଥିବା ଜଣାପଡିଛି । ଆସିକା ପୌରପାଳିକାର ୱାର୍ଡସଂଖ୍ୟା ନିର୍ଦ୍ଧାରଣ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ନିର୍ବାଚନ ପାଇଁ ବିଗୁଲ୍ ବାଜିଲା ବୋଲି ଚର୍ଚ୍ଚା ବି ହେଉଛି । ଆଗାମୀ ଦିନରେ ୱାର୍ଡ ସଂରକ୍ଷଣ ପାଇଁ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରକାଶିତ ହେଲା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଗାମୀ କିଛି ଦିନ ପରେ ନବଗଠିତ ଆସିକା ପୌରପାଳିକା ପାଇଁ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସକାଶେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ସହରର ସମୂଦାୟ ୧୮ଟି ୱାର୍ଡ ମଧ୍ୟରୁ ବିଜୁ ଜନତା ଦଳର ୱାର୍ଡମେମ୍ବର ୧୪ଟି ୱାର୍ଡରେ, ଭାରତୀୟ ଜନତା ପାର୍ଟିର ୱାର୍ଡ ମେମ୍ବର ମାତ୍ର ୨ଟି ୱାର୍ଡରେ ଓ ସ୍ୱାଧୀନ ଭାବେ ଦୁଇ ଜଣ ୱାର୍ଡମେମ୍ବର ବିଜୟୀ ହୋଇଥିଲେ । ରୋଚକ କଥା ହେଲା ଗତ ୨୦୨୪ ସାଧାରଣ ନିର୍ବାଚନ ପରେ ବିଜେଡି ସମର୍ଥନରେ ବିଜୟଲାଭ କରିଥିବା ଆସିକା ବ୍ଳକ ଅଧୀନସ୍ଥ ଅଞ୍ଚଳର କେତେକ ହାତଗଣତି ପଞ୍ଚାୟତ ପ୍ରତିନିଧି ବିଜେପିରେ ଯୋଗ ଦେଇସାରିଥିଲା ବେଳେ ଆସିକା ଏନ୍ଏସି ଅଞ୍ଚଳର ବିଭିନ୍ନ ୱାର୍ଡରୁ ଗତ ୨୦୨୨ ମସିହା ପୌର ନିର୍ବାଚନରେ ବିଜେଡି ଟିକଟରେ ବିଜୟଲାଭ କରି କାଉନସିଲର ହୋଇଥିବା ଜଣେ ବି ୱାର୍ଡମେମ୍ବର ଅଦ୍ୟାବଧି ବିଜେପିରେ ଯୋଗଦେଇନଥିବା ଯୋଗୁଁ ଏବେ ବି ଆସିକା ଏନ୍ଏସି ଅଞ୍ଚଳରେ ବିଜେଡିର ଦବ୍ଦବା ଅତୁଟ ରହିଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।


