ଉଦ୍ୟୋଗ କ୍ଷେତ୍ରଗୁଡ଼ିକର କ୍ଷୟକ୍ଷତି ସମୀକ୍ଷା ବୈଠକ
ପୁରୀ (ଜୁଗାବ୍ଦ ନ୍ୟୁଜ୍): ବାତ୍ୟା ଫାନି ଦ୍ୱାରା ଜିଲ୍ଲାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ର ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇଛି । ଏନେଇ ଏକ ସମୀକ୍ଷା ବୈଠକ ଶିଳ୍ପ ନିର୍ଦ୍ଦେଶକ ପି.କେ ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୪୦ଜଣ ଉଦ୍ୟୋଗୀ ଅଂଶଗ୍ରହଣ କରି କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଥିଲେ । ଉଦ୍ୟୋଗୀମାନେ ସ୍ୱତନ୍ତ୍ର ସହାୟତା, ବୀମା ରାଶି ପ୍ରଦାନ ଲାଗି କୋହଳ, ଋଣ ନେବା ନିୟମରେ ହ୍ରାସ, ଋଣ ସୁଝିବା ପାଇଁ ସମୟସୀମା ବୃଦ୍ଧି, ତୁରନ୍ତ ବିଦ୍ୟୁତ୍ ସଂଯୋଗ ଏବଂ ଉଦ୍ୟୋଗଗୁଡ଼ଇକ ପୁନରୁଦ୍ଧାର କରିବା ପାଇଁ ସହଯୋଗ ଯୋଗାଇ ଦେବାକୁ ଦାବି କରିଥିଲେ । ବାତ୍ୟା ଯୋଗୁଁ ୩୮୧ଟି ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରାୟ ୮୦ କୋଟି ୮୮ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି । ଆସନ୍ତା ୧୦ରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ୍ ଓ ପୌରାଞ୍ଜଳରେ ହେବାକୁ ଥିବା ସ୍ୱତନ୍ତ୍ର ଋଣ ମେଳାରେ ଉପସ୍ଥିତ ରହି ଏହି ପ୍ରସ୍ତାବ ଉପସ୍ଥାପନ କରିବାକୁ ନିର୍ଦ୍ଦେଶକ ଶ୍ରୀ ନାଥ ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକ ସରୋଜ କୁମାର ହୋତା, ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଂଘ ମହାସଚିବ ସାତ୍ତ୍ୱିକ ସ୍ୱାଇଁ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ଟି. ବଦ୍ରି ନାରାୟଣନ ପ୍ରମୁଖ ଉପସ୍ଥିତ ଥିଲେ ।


