ଉଦ୍ଘାଟିତ ହେଲା ଡ୍ୟାନ୍ସ ଫେଷ୍ଟିଭାଲ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପିଲାମାନେ ଦୀର୍ଘ ସମୟ ଧରି ଅନ୍ଲାଇନ୍ ପାଠ ସହିତ ଅନ୍ଲାଇନ୍ ସ୍କାଉଟ ଗାଇଡ୍ ପ୍ରତିଯୋଗିତାରେ ଭାଗ ନେଇ, ଖୋଲା ଆକାଶର କାର୍ଯ୍ୟକ୍ରମ ଲାଗି ବ୍ୟସ୍ତ ହେବା ଦେଖି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ମୁଖ୍ୟାଳୟ ପରିସରରେ ଆୟୋଜିତ କରିଛନ୍ତି “ଡ୍ୟାନ୍ସ ଫେଷ୍ଟିଭାଲ” ତାହା ଆଜି ଉଦ୍ଘାଟିତ ହୋଇଅଛି । ଏହି ଫେଷ୍ଟିଭାଲରେ ୧୪ଟି ଜିଲ୍ଲାରୁ ଯୋଗଦାନ କରିଛନ୍ତି । ଅପରାହ୍ନ ୬.୦୦ ଘଟିକା ସମୟରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ଏବଂ ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଏବଂ ଶିକ୍ଷାବିତ୍ ଡଃ. ଚିତରଞ୍ଜନ ସାହାଣୀଙ୍କ ଉପସ୍ଥିତିରେ ଡଃ ମିଶ୍ର ଗାଇଡ୍ମାନଙ୍କୁ ଉଦ୍ବୋଧନ ଦେବାକୁ ଯାଇ ଫେଷ୍ଟିଭାଲର ଉଦ୍ଦେଶ୍ୟ ସମ୍ବନ୍ଧରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଧନଞ୍ଜୟ ସ୍ୱାଇଁ ସ୍କାଉଟ ଓ ଗାଇଡ୍ ସଂଗଠନର ଅତୀତ ଦିନର କାର୍ଯ୍ୟକ୍ରମର ସ୍ମୃତିଚାରଣ କରିବା ସହିତ ଆଗକୁ ଛାତ୍ରଛାତ୍ରୀମାନଙ୍କ ସୁଦୂର ଭବିଷ୍ୟତକୁ ଆଖିରେ ରଖି ଏଭଳି ଏକ ଆୟୋଜନ କରିଥିବାରୁ ରାଜ୍ୟମୁଖ୍ୟ କମିଶନର ଡଃ ମିଶ୍ରଙ୍କ ଆଭିମୁଖ୍ୟ ଖୁବ୍ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଫେଷ୍ଟିଭାଲରେ ଛାତ୍ରୀମାନଙ୍କର ନିଜର ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ କରିପାରିବେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଶ୍ରୀ ଚିତରଞ୍ଜନ ସାହାଣୀ ଅନୁରୂପ ମନ୍ତ୍ୱ୍ୟ ଦେଇ ଶିବିରର ସଫଳତା କାମନା କରିଥିଲେ । ରାଜ୍ୟ ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଖୁସିବ୍ୟକ୍ତ କରିଥିଲେ ଏବଂ ପିଲାମାନଙ୍କୁ ଏପରି ପ୍ରତିକୂଳ ପରିସ୍ଥିତିରେ ଆସିଥିବାରୁ ତାଙ୍କ ଜିଲ୍ଲାଶିକ୍ଷାଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ରାଜ୍ୟ ସଂଗଠନ କମିଶନର (ଗାଇଡ୍) ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


