ଉନ୍ମୋଚିତ ହେଲା ବିଜେପିର ସଂକଳ୍ପ ପତ୍ର

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ) ବାଲେଶ୍ୱର ସହରର ସ୍ଥାନୀୟ କଳିଙ୍ଗ ହୋଟେଲରେ ନୂଆ ବାଲେଶ୍ୱର ପାଇଁ ବିଜେପି ସଂକଳ୍ପ ପତ୍ର ବାଲେଶ୍ୱର ଲୋକସଭା କ୍ଷେତ୍ର ପ୍ରାର୍ଥୀ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଷଡଙ୍ଗୀ କହିଛନ୍ତି ଭାରତୀୟ ଜନତା ପାର୍ଟି ଓଡିଶାରେ ଶାସନ କ୍ଷମତାକୁ ଆସିଲେ ଦାରିଦ୍ର‌୍ୟର ମୂଳୋତ୍ପାଟନ ହେବ । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି, ସ୍ୱାସ୍ଥ୍ୟ ଓ ବିଜୁଳି ଯୋଗାଇ ଦିଆଯିବ । ଆଦିବାସୀଙ୍କୁ ଜମି ଓ ପଟ୍ଟା ଦିଆଯିବ । ସରକାର ଆସିବା ମାତ୍ରେ ହିଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ । ପ୍ରତି ପି.ଏଚ.ସି ରେ ମିନି ଜନ ଔଷଧି କେନ୍ଦ୍ର ଏବଂ ସି.ଏଚ.ସି ରେ ଜନ ଔଷଧି କେନ୍ଦ୍ର ଖୋଲାଯିବ । ଜିଲ୍ଲାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ । ଖେଳ ଓ ଖେଳାଳୀର ବିକାଶ ପାଇଁ ବାଲେଶ୍ୱର ଲୋକସଭା ଅନ୍ତର୍ଗତ ସାତୋଟି ବିଧାନସଭା କ୍ଷେତ୍ରରେ ମିନି ଷ୍ଟାଡିୟମ ନିର୍ମାଣ କରାଯିବ । ଉଦୟପୁର, ତାଳଶାରୀ, ଭୁଷଣ୍ଡେଶ୍ୱର, ଚାନ୍ଦିପୁର, ପଞ୍ଚଲିଙ୍ଗେଶ୍ୱର, ରେମୁଣାରେ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯିବ । ବାଲେଶ୍ୱର ଏକ ଉପକୂଳବର୍ତ୍ତୀ ଜିଲ୍ଲା ହେଇଥିବାରୁ ଏବଂ ଜିଲ୍ଲାରେ ବନ୍ଦର ନିର୍ମାଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ବନ୍ଦର ଭିତ୍ତିକ ପାଠ୍ୟକ୍ରମ ପ୍ରଚଳନ କରାଯିବ । ବାଲେଶ୍ୱରରେ ରେଲୱେ ଓ ଏଲ.ଆଇ.ସି ର ଡିଭିଜନ ଅଫିସ ପ୍ରତିଷ୍ଠା କରାଯିବ । ପର୍ଯ୍ୟଟକମାନଙ୍କୁ ଅଧିକ ଭାବେ ଆକର୍ଷିତ କରିବା ସହିତ ଗମନାଗମନକୁ ସୁଗମ କରିବା ପାଇଁ ଏବଂ ବାଲେଶ୍ୱର ଜିଲ୍ଲାକୁ ବ୍ୟବସାୟର ପେଣ୍ଠସ୍ଥଳୀ ଭାବେ ଗଢିତୋଳିବା ପାଇଁ ଛୋଟ ବିମାନବନ୍ଦର ପ୍ରତିଷ୍ଠା କରାଯିବ । ବନ୍ୟାର ମୁକାବିଲା କରିବା ଏବଂ ବେକାର ଯୁବକ ମାନଙ୍କର ନିଯୁକ୍ତି ପାଇଁ ଇଷ୍ଟକୋଷ୍ଟ କେନାଲର ପୁନରୁଦ୍ଧାର କରାଯିବ । ଓଡିଆ ସଂସ୍କୃତିର ସୁରକ୍ଷା ପାଇଁ ସଂସ୍କୃତ ଶିକ୍ଷାକୁ ବିଦ୍ୟାଳୟ ସ୍ତରରେ ଅଧିକ ଗୁରୁତ୍ୱ ଦେବା ସହିତ ସ୍ୱତନ୍ତ୍ର ଅର୍ଥର ବ୍ୟୟବରାଦ କରାଯିବ । ବାଲେଶ୍ୱର ଏକ କୃଷିଭିତ୍ତିକ ଜିଲ୍ଲା ହୋଇଥିବାରୁ ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଜଳେଶ୍ୱରରୁ ଦୀଘା ଟ୍ରେନ ଚଳାଚଳ ପାଇଁ ଜମି ଅଧିଗ୍ରହଣ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପର ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବ । କୃଷିର ବିକାଶ ପାଇଁ କୃଷକମାନଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇଦିଆଯିବ । ବାଲେଶ୍ୱର ସହରରେ ପ୍ରି-ପେଡ ଅଟୋ ରିକ୍ସାର ବ୍ୟବସ୍ଥା କରାଯିବ । ସହରର ସୁରକ୍ଷା ପାଇଁ ବାଲିଘାଟରୁ ପୁରୁଣା ବାଲେଶ୍ୱର ନଦୀ ପାର୍ଶ୍ୱରେ ପଥର ବନ୍ଧ ତିଆରି କରାଯିବ । ବାଲେଶ୍ୱର ମୁନିସିପାଲଟିକୁ କର୍ପୋରେସନ ଘୋଷଣା କରାଯିବ । ସହରରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବ । ବାଲେଶ୍ୱର ଜିଲ୍ଲାକୁ ମଦମୁକ୍ତ ଜିଲ୍ଲାରେ ପରିଣତ କରାଯିବ । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ପି.ପି.ପି. ମୋଡରେ ସି.ବି.ଏସ.ଇ ସ୍କୁଲ ଖୋଲାଯିବ । ବାଲେଶ୍ୱରର ନୁଣିଆଝୁଢି ଠାରେ ଦ୍ୱିତୀୟ ପୋଲ ନିର୍ମାଣ କରାଯିବ । ପୂଜାରୀ ବନ୍ଧୁ ଯୋଜନାରେ ଧାର୍ମିକ ସ୍ଥଳର ପୂଜକଙ୍କ ପାଇଁ ମାସିକ ୧୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ନୃତ୍ୟ ଓ ସଙ୍ଗୀତର ବିକାଶ ପାଇଁ ଜିଲ୍ଲାରେ କେଳୁଚରଣ ମହାପାତ୍ର ପରଫର୍ମିଂ ଆର୍ଟ ସେକ୍ଟର ପ୍ରତିଷ୍ଠା ହେବ । ୨୦୧୯ରେ ଓଡିଶାର ଇତିହାସ ସ୍ୱର୍ଣ୍ଣିମ ଅକ୍ଷରେ ଲେଖାଯିବ ବୋଲି ଶ୍ରୀ ଷଡଙ୍ଗୀ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ ମଦନ ମୋହନ ଦତ୍ତ, ଲୋକସଭା ସହ ପ୍ରଭାରୀ ଶ୍ରୀ ଅଜୟ ମିଶ୍ର, ରେମୁଣା ବିଧାୟକ ପ୍ରାର୍ଥୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ପ୍ରାର୍ଥୀ ଶ୍ରୀ ସୁକାନ୍ତ ନାୟକ, ବସ୍ତା ବିଧାୟକ ପ୍ରାର୍ଥୀ ଶ୍ରୀ ରଘୁନାଥ ମହାନ୍ତି, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ଶ୍ରୀ ଜୟନାରାୟଣ ମହାନ୍ତି, ଭୋଗରାଇ ବିଧାୟକ ପ୍ରାର୍ଥୀ ଶ୍ରୀ ଅଂଶୁମାନ ମହାନ୍ତି, ବଡସାହି ବିଧାୟକ ପ୍ରାର୍ଥୀ ଶ୍ରୀ ସନାତନ ବିଜୁଳି, ଲୋକସଭା ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭଙ୍କର ମହାପାତ୍ର, ଜୋନାଲ ମିଡିଆ ସଂଯୋଜକ ଶ୍ରୀ ସତ୍ୟଜିତ ମିଶ୍ର ଓ ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ