ଉପକୂଳବାସୀଙ୍କ ଜୀବନ ରେଖା ପାଲଟିବ ବଳରାମଗଡ଼ି ସେତୁ
ବାଲେଶ୍ଵର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଲେଶ୍ବର ଜିଲ୍ଲାର ପ୍ରସ୍ତାବିତ ୭ଟି ବିଜୁ ସେତୁର ନିର୍ମାଣ ନିମନ୍ତେ ମୋହର ଲଗାଇଛନ୍ତି। ସେଥିରେ ବାଲେଶ୍ବର ସଦର ବ୍ଲକ ଅଧିନସ୍ଥ ବୁଢ଼ାବଳଙ୍ଗ ନଦୀର ବଳରାମଗଡ଼ିରୁ ପରିଖି, ନୀଳଗିରି ବ୍ଲକର ସୋନନଦୀ ଉପରେ ସିଙ୍ଗିରିରୁ ବରହମ୍ପୁର ରୋଡ଼୍, ବେଗୁନିଆ ପଞ୍ଚାୟତର ବେଗୁନିଆ ଜୋର, ଅଯୋଧ୍ୟାରୁ ବାଡ଼ିଆରୋଡ଼୍, ବାଣୀଗାଁ ଯୁଣକୋଇଲି, ଔପଦା ବ୍ଲକ ଅଧିନ ସାପୁଆ କରଣଡିହା ନାଳରେ ବଇଶାଡିହାରୁ ଜୟପୁର ରୋଡ଼୍ ଏବଂ ଜଳେଶ୍ବର ବ୍ଲକର କାନପୁର ଠାରେ ଡେମୁରବଣି ନାଳ ଉପରେ ଶ୍ୟାମନଗରରୁ ବେଗୁନିଆକୁ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କରେ ଏକ ବିଜୁସେତୁ ନିର୍ମାଣ ହେବ। ତେବେ ବାଲେଶ୍ବର ସଦର ବ୍ଲକର ବଳରାମଗଡ଼ି ଠାରେ ବୁଢ଼ାବଳଙ୍ଗ ନଦୀ ଉପରେ ହେବାକୁ ଥିବା ବିଜୁ ସେତୁର ଦୈର୍ଘ୍ୟ ପ୍ରାୟ ୩୫୦ ମିଟର ହେବ। ଏଥିପାଇଁ ପ୍ରାୟ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସଦର ବିଧାୟକ ସ୍ବରୂପ କୁମାର ଦାସ ଜଣାଇଥିବା ବେଳେ ଏହି ସେତୁ ନିର୍ମାଣ ଉପରେ ସରକାରଙ୍କ ମୋହର ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଏହି ସେତୁ ନିର୍ମାଣ ହେବା ପରେ ଉପକୂଳବାସୀଙ୍କ ପାଇଁ ଗମନାଗମନ ସୁବିଧା ଆହୁରି ସୁଗମ ହେବ। ଭଦ୍ରକ ଜିଲ୍ଲାର ଧାମରା, ବାସୁଦେବପୁର ଠାରୁ ଆରମ୍ଭ କରି ବାଲେଶ୍ବର ଜିଲ୍ଲାର ଉପକୂଳ ଅଞ୍ଚଳରେ ଥିବା ସୋର, ବାହାନଗା, ରେମୁଣା ଆଦି ବ୍ଲକର ଅନେକ ପଞ୍ଚାୟତବାସୀ ତଥା ମତ୍ସ୍ୟ ବ୍ୟବସାୟୀ ବାହାବଳପୁର ଓ ଦୀଘା ଯିବା ପାଇଁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଛନ୍ତି। ବଳରାମଗଡ଼ିରୁ ପରିଖିକୁ ସେତୁ ସଂଯୋଗ ହେଲେ ଲୋକ ସିଧାସଳଖ ବୁଢ଼ାବଳଙ୍ଗ ନଦୀ ଅତିକ୍ରମ କରି ବାହାବଳପୁର, ସାର୍ଥା, କଷାଫଳ, ଲଙ୍ଗଳେଶ୍ଵର, ବାଲିଆପାଳ ଓ ଦୀଘା ଅଞ୍ଚଳକୁ ଯାଇପାରିବେ। ବାଲେଶ୍ଵରରୁ ଚନ୍ଦନେଶ୍ଵର ଦୀଘାର ଦୂରତା ମଧ୍ୟ ପାଖାପାଖି ୩୦ କିଲୋମିଟର କମିବ। ସେହିପରି ଉପକୂଳରେ ସରକାରଙ୍କ ଜଳସେଚନ ବିଭାଗ ତରଫରୁ ହେଉଥିବା ବେଳାଭୂମି ପ୍ରାଚୀର ଓ ଅନ୍ୟାନ୍ୟ ସୁରକ୍ଷାମୂଳକ କାର୍ଯ୍ୟକ୍ରମର ଆବଶ୍ୟକ ନିର୍ମାଣ ସାମଗ୍ରୀର ପରିବହନ ସୁଗମ ହେବ। ଚାନ୍ଦିପୁର, ପରିଖି, ଡଗରା ଓ ଦୀଘା ଗୋଟିଏ ପର୍ଯ୍ୟଟନ ସର୍କିଟ୍ରେ ଅନ୍ତର୍ଭୁକ୍ତ ହେବ। ପର୍ଯ୍ୟଟନର ବିକାଶ, ମତ୍ସ୍ୟ ତଥା ଅନ୍ୟାନ୍ୟ ସାମଗ୍ରୀର ଦ୍ରୁତ ପରିବହନ ଯୋଗୁ ଏହି ଅଞ୍ଚଳବାସୀଙ୍କ ଗ୍ରାମୀଣ ଅର୍ଥନୀତିରେ ବେଶ୍ ଉନ୍ନତି ହେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


