ଉପହାର କାଟିଲା ସମ୍ପର୍କ

ବାହାଘରରେ ଅତିଥି ତଥା ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଏ ସମ୍ପର୍କକୁ ଆଗକୁ ବଢ଼େଇବା ପାଇଁ । ସେମାନେ ବି ଖାଲି ହାତରେ ଆସି ନ ଥାନ୍ତି । କିଛି ନା କିଛି ଉପହାର ଆଣି ଆସନ୍ତି । ଆଉ ତାହାକୁ ଦେଇ ସେମାନେ ବରକନ୍ୟାଙ୍କ ଆଗାମୀ ଭବିଷ୍ୟତର ଶୁଭକାମନା କରିଥାନ୍ତି । ତେବେ ବେଳେବେଳେ ଏହି ଉପହାର ହିଁ ସମ୍ପର୍କକୁ ସବୁଦିନ ପାଇଁ ଶେଷ କରିଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏଇ ଘଟଣାଟିକୁ ତାହାର ଏକ ନଜିର ଭାବରେ ନିଆଯାଇପାରେ । “ସନ୍’ ଖବରକାଗଜର ତଥ୍ୟ ଅନୁଯାୟୀ ଗୋଟିଏ ବାହାଘରକୁ ଆସି ନ ପାରି ବରର ମାମୁ ଓ ମାଈଁ ଉପହାର ପଠେଇ ଦେଇଥିଲେ । ବାହାଘର ପରେ ଉପହାର ଖୋଲାଯିବାରୁ ସେଥିରେ ୧୬୦ ପାଉଣ୍ଡର ଏକ ଚେକ୍ ଥିବା ଦେଖିବାକୁ ମିଳିଥିଲା । ଉପହାର ବାବଦକୁ ଏହା କିଛି କମ୍ ପରିମାଣ ନ ଥିଲା । ଚେକ୍ଟିକୁ ସେମାନେ ବ୍ୟାଙ୍କରେ ଡିପୋଜିଟ୍ କରିଦେଲେ ଓ ତାହାର ଅର୍ଥ ମଧ୍ୟ ସେମାନଙ୍କ ବ୍ୟାଙ୍କ ଖାତାକୁ ଆସିଗଲା । ତେବେ ଏଇଠି ଆରମ୍ଭ ହେଲା ସମସ୍ୟା । ଚେକ୍ଟି ଏନ୍କ୍ୟାଶ୍ ହୋଇ ବ୍ୟାଙ୍କ ଖାତାରେ ଜମା ହେବା ପରେ ମାମୁଙ୍କଠାରୁ ଏକ ପତ୍ର ଆସିଲା । ସେ ସେଥିରେ ଲେଖିଥିଲେ ଯେ, ସେ ଉପହାର ବାବଦକୁ ୧୬ ପାଉଣ୍ଡ ଦେବା କଥା । ମାତ୍ର ଭୁଲବଶତଃ ଗୋଟିଏ ଶୂନ (୦) ଲେଖି ହୋଇଯାଇଛି । ତେଣୁ ସେମାନେ ୧୬ ପାଉଣ୍ଡର ଅର୍ଥ ରଖି ବଳକା ଅର୍ଥ ତାଙ୍କୁ ଫେରସ୍ତ କରିଦେବା ଉଚିତ । ଏହି ପତ୍ରଟି ପାଇବା ମାତ୍ରେ ବରପାତ୍ରଙ୍କ ମୁଣ୍ଡ ଲାଜରେ ନଇଁଗଲା । କାରଣ ତାଙ୍କର ମାମୁ ହିଁ ତାଙ୍କ ନବ ବିବାହିତା ସ୍ତ୍ରୀଙ୍କୁ ଉପହାର ଦେଇ ପୁଣି ଏଭଳି ଏକ ପତ୍ର ଲେଖିଛନ୍ତି । ବର ମା’ଙ୍କ ମୁହଁରେ ଆଉ କିଛି କଥା ନ ଥିଲା । କାରଣ ତାଙ୍କ ଭାଇ ଯେ ଏଭଳି ଏକ ଛୋଟ କାଣ୍ଡ ଘଟେଇବ ସେ ଚିନ୍ତା ମଧ୍ୟ କରିପାରୁ ନଥିଲେ । ସମସ୍ତେ ନିଷ୍ପତ୍ତି ନେଲେ ଯେ, ମାମୁ ଦେଇଥିବା ସବୁତକ ଉପହାର ଅର୍ଥ ତାଙ୍କୁ ଫେରସ୍ତ କରିଦିଆଯିବ, ଆଉ ସବୁଦିନ ଲାଗି ତାଙ୍କ ଘର ସହିତ ସମ୍ପର୍କ କାଟି ଦିଆଯିବ । ପରିଶେଷରେ ତାହା ହିଁ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ