ଉଭୟ ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଶାନ୍ତି କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ସୀମାବବର୍ତ୍ତୀ ଗ୍ରାମ ଚଷାଖଣ୍ଡ-ଜଙ୍ଖରାଇ ଏବଂ କଳମା ଗ୍ରାମର ଲୋକଙ୍କ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏମିତିକି ସ୍ଥିତି ନିୟନ୍ତ୍ରଣ ପାଇଁ ୧୪୪ ଧାରା ଜାରି କରାଯିବା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଉତ୍ତେଜନା ହ୍ରାସ କରିବା ପାଇଁ ସ୍ଥାନୀୟ ସଦଭାବନା ସଭାଗୃହରେ ଉଭୟ ପକ୍ଷଙ୍କୁ ନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବାଞ୍ଚଚଳ ପୁଲିସ ନିରୀକ୍ଷକ ହିମାଂଶୁ ଲାଲ, ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ, ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡି ଖିଲାରି, ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ବିଭାଗୀୟ ଅଧିକାରୀ, ପୁଲିସ ଅଧିକାରୀ ଏବଂ ଉଭୟ ପକ୍ଷର ପ୍ରାୟ ୩୦ଜଣ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ଗତକାଲିର ଗୋଷ୍ଠୀ ସଂଘର୍ଷ ଘଟଣାରେ ଜଣେ ପ୍ରାଣ ହରାଇବା ଏକ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲେ ହେଁ ସ୍ୱାଭାବିକ ସ୍ଥିତି ଫେରାଇଆଣିବାକୁ ଗ୍ରାମବାସୀଙ୍କ ସହଯୋଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରଶାସନ ଓ ପୁଲିସ ଉପରେ ସମ୍ପୂର୍ଣ୍ଣ ଭରସା ରଖିବାକୁ ଏବଂ ଆଇନକୁ ହାତକୁ ନ ନେବାକୁ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ପରାମର୍ଶ ଦେଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ପ୍ରକୃତ ଅଭିଯୁକ୍ତଙ୍କୁ ଧରାଯିବା ସହିତ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଶାନ୍ତି ବଜାୟ ରଖିବା ସହ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଓ ମୟୂରଭଞ୍ଜ ଜିଲାପାଳ ଶ୍ରୀ ଭରଦ୍ୱାଜ ଉଭୟ ପକ୍ଷଙ୍କୁ ଶାନ୍ତି ବଜାୟ ପାଇଁ ପରାମର୍ଶ ଦେଇଥିଲେ । ଏଭଳି ପରିସ୍ଥିତି ଯେଭଳି ଆଗକୁ ନ ଉପୁଜିବ ସେଥିପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସେମାନେ ପ୍ରତିଶ୍ରୁତି ଦେଇଥିଲେ । ଉପସ୍ଥିତ ଗ୍ରାମବାସୀମାନେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ବୈଠକରେ କହିବା ସହିତ ସମସ୍ତ ଗ୍ରାମରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ କାଏମ ରଖିବାକୁ ସହମତି ପ୍ରକାଶ କରିଥିଲେ । ଶାନ୍ତି ଓ ଭାଇଚାରା ସହ ସହବସ୍ଥାନ କରିବାକୁ ବୈଠକରେ ମତପ୍ରକାଶ ପାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଏହି ଶାନ୍ତି କମିଟି ବୈଠକରେ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ