‘ଉମଙ୍ଗ’ର ମହିଳା ସଶକ୍ତୀକରଣ ସମ୍ପର୍କିତ ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ମହିଳା ସଶକ୍ତିକରଣ ସମ୍ପର୍କିତ ଏକ ଆଲୋଚନାଚକ୍ର ସ୍ଥାନୀୟ ଲକ୍କି ଇଣ୍ଟରନ୍ୟାସନାଲ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବର ଜିଲା ଗଭର୍ଣ୍ଣର ଗୌରୀଶଙ୍କର ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଗଠନର ବିଭିନ୍ନ ଗଠନମୂଳକ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ସମାଜସେବା ସାଙ୍ଗକୁ ମହିଳାଙ୍କ ଉତ୍ଥାନ ନିମନ୍ତେ ବାଲେଶ୍ୱର ଲାୟନ୍ସ କ୍ଲବ ଉମଙ୍ଗର କାର୍ଯ୍ୟଧାରା ଅନ୍ୟମାନଙ୍କ ପାଇଁ ଉଦହରଣ ହେବ ବୋଲି ଶ୍ରୀ ଅଗ୍ରୱାଲ ମତପ୍ରକାଶ କରିଥିଲେ । ଲାୟନ୍ସ କ୍ଲବର ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରକାଶ ଜେନା, ନିର୍ବାଚିତ ଭାଇସ୍ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମମତା ଦାସ, କ୍ୟାବିନେଟ ସଚିବ ସଞ୍ଜୟ ସାନ୍ତ୍ୱକା, ଆଞ୍ଚଳିକ ଅଧ୍ୟକ୍ଷା ମନୀଷା ଦାସ ପ୍ରମୁଖ ଏଥିରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଲାୟନ୍ସ କ୍ଲବ ଉମଙ୍ଗର ଗଠନମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ଉମଙ୍ଗର ସଭାନେତ୍ରୀ ତଥା ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମର ସଂଯୋଜିକା ବନ୍ଦିତା ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କ୍ରିଷ୍ଣା ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବାଲେଶ୍ୱରର ସଫଳ ମହିଳା ଉଦ୍ୟୋଗୀ ଡ. ନୀନା ସିଂହଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ରେମୁଣାର ମହାଲକ୍ଷ୍ମୀ ମହିଳା ସମିତିର କର୍ମକର୍ତ୍ତାଙ୍କୁ ଡିସପୋଜେବଲ ପ୍ଲେଟ ଓ ବାଉଲ୍ ତିଆରି ମେସିନ, ଅନୀମା ରାୟଙ୍କୁ ଏକ ଖାଦ୍ୟ ବିକ୍ରୟ ଠେଲା ଗାଡି ଓ ଅନ୍ୟ ଦୁଇ ମହିଳାଙ୍କୁ ଦୁଇଟି ସିଲେଇ ମେସିନ ସହିତ ମହିଳାଙ୍କ ଦକ୍ଷତା ବୃଦ୍ଧି ପାଇଁ ଉମଙ୍ଗ ଭୋକେସନାଲ ଟ୍ରେନିଂ ସେଣ୍ଟରକୁ ଦୁଇଟି ସିଲେଇ ମେସିନ ପ୍ରଦାନ କରାଯାଇଥିଲା । ଗିରିଜା ମିଶ୍ର , ଉର୍ମିଳା ଦାସ, ଦର୍ଶନା ସାଙ୍ଗଭି, ଦୀପ୍ତି ଦାସଙ୍କ ସମେତ ଉମଙ୍ଗର କୋଷାଧ୍ୟକ୍ଷା ରଶ୍ମିତା ବିଶ୍ୱାଳ, ଲୀନା ପାଣିଗ୍ରାହୀ, ସୁନୀତା ଦତ୍ତ, ବନ୍ଦନା ମାହାପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।