ଉଲିବୁରୁ ଦୁର୍ନୀତି: ଦୀପକ ଗୁପ୍ତାଙ୍କୁ ଜାମିନ
ଭୁବନେଶ୍ୱର: ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ହାଇକୋର୍ଟରୁ ୧ ମାସ ଲାଗି ତାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ମିଳିଛି । ୧କୋଟି ଟଙ୍କାର ଅର୍ଥରାଶି ଜମା ଓ ୨ କୋଟି ଟଙ୍କାର ୨ ଜଣ ଜାମିନଦାର ବଦଳରେ ଦୀପକ ଗୁପ୍ତା ଜାମିନରେ ଯାଇପାରିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି । ଏହାଛଡ଼ା ପାସପୋର୍ଟ ଦାଖଲ ଓ ଆଉ କିଛି ସର୍ତ୍ତସହ ଦୀପକ ଗୁପ୍ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ହାଇକୋର୍ଟରେ ଦୀପକଙ୍କ ଜାମିନ ଆବେଦନ ୫ଥର ଖାରଜ ହୋଇଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ୨ ଥର ତାଙ୍କ ଜାମିନ ଆବେଦନ ପୂର୍ବରୁ ଅଗ୍ରାହ୍ୟ କରିଥିଲେ। ଏହାପରେ ପୁନର୍ବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ପାଇଁ କରିଥିବା ଆବେଦନ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୯ ଅଗଷ୍ଟ ୭ରେ ହାଇକୋର୍ଟ ଦୀପକଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିବା ସହିତ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଳନରେ ଅବହେଳା କରାଯାଇଛି, ନିମ୍ନ ଅଦାଲତ ଶୁଣାଣିରେ ବିଶେଷ ଅଗ୍ରଗତି ହୋଇ ନାହିଁ ବୋଲି ଜାମିନ ଆବେଦନର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ୨୦୧୯ ଅଗଷ୍ଟ ୨୨ଠାରୁ ବିଚାରାଧୀନ ମାମଲାରେ ନିମ୍ନ ଅଦାଲତଙ୍କ ଅର୍ଡର-ସିଟ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତରେ ମାମଲାର ଶୁଣାଣିର ସ୍ଥିତି ସଂପର୍କରେ ମଧ୍ୟ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।