ଉହାନର ସମସ୍ତ ବାସିନ୍ଦାଙ୍କ ହେବ କୋଭିଡ୍-୧୯ ଟେଷ୍ଟ୍
ଉହାନ୍: ଗତ ବର୍ଷ ଶେଷ ଭାଗରେ ଚୀନର ହ୍ୟୁବେଇ ପ୍ରଦେଶ ଅନ୍ତର୍ଗତ ଉହାନ୍ ସହରରେ ପ୍ରଥମ ଥର ପାଇଁ କୋଭିଡ୍-୧୯ ଭୂତାଣୁ ଠାବ ହୋଇଥିଲେ ହେଁ ଅଢ଼େଇ ମାସରୁ ଊର୍ଦ୍ଧ୍ବ ସମୟର ଲକଡାଉନ୍ ପରେ ଏହା ନିୟନ୍ତ୍ରଣକୁ ଆସିଥିଲା। ଏପରିକି ଏହି ସହରର ଜଣେ ବି କୋଭିଡ୍-୧୯ ରୋଗୀ ନ ଥିବା ସରକାର ସ୍ପଷ୍ଟ କରିଥିଲେ। କିନ୍ତୁ ନିକଟରେ ଏହି ସହରକୁ ପୁନର୍ବାର ଭୂତାଣୁ ପ୍ରତ୍ୟାବର୍ତ୍ତନ କରିବାରୁ ଏବେ ସହରର ସମସ୍ତ ବାସିନ୍ଦାଙ୍କ କୋଭିଡ୍-୧୯ ଟେଷ୍ଟ୍ କରାଯିବ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ସହରରେ ପାଖାପାଖଢ଼ ୧୧ ନିୟୁତ ଲୋକ ବସବାସ କରୁଥିବାରୁ କିପରି ଭାବେ ସେମାନଙ୍କ ଟେଷ୍ଟ୍ ହୋଇପାରିବ, ସେନେଇ ରିପୋର୍ଟ ଦାଖଲ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ପ୍ରକାଶିତ ଖବରରେ କୁହାଯାଇଛି ଯେ ସମସ୍ତ ଜିଲ୍ଲାର ମୁଖ୍ୟମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଆଗାମୀ ୧୦ ଦିନ ଭିତରେ ଉକ୍ତ ଜିଲ୍ଲା ମୁଖ୍ୟମାନେ ନିଜ ନିଜ ଅଞ୍ଚଳରେ ରହୁଥିବା ଲୋକମାନଙ୍କର ଟେଷ୍ଟ୍ ଶେଷ କରିବା ସକାଶେ ନିର୍ଦେଶ ଦିଆଯାଇଛି। ଗତ ଏପ୍ରିଲ୍ ୮ ତାରିଖରେ ଉହାନ ସହରରୁ ଲକଡାଉନ୍ କଟକଣା ଉଠିବା ପରେ ରବିବାର ପ୍ରଥମ ଥର ପାଇଁ କୋଭିଡ୍-୧୯ ଭୂତାଣୁ ସଂକ୍ରମିତଙ୍କୁ ଠାବ କରାଯାଇଛି। ଡୋଙ୍ଗଜିହୁ ଜିଲ୍ଲାରେ ରବିବାର ଓ ସୋମବାର ସମୁଦାୟ ୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଯାଞ୍ଚ୍ ନେଇ ଜିଲ୍ଲା ମୁଖ୍ୟଙ୍କ ନିକଟରେ ମଙ୍ଗଳବାର ସୁଦ୍ଧା କୌଣସି ନୋଟିସ୍ ପହଞ୍ଚି ନ ଥିବା ଡୋଙ୍ଗଜିହୁ ଜିଲ୍ଲାର ମହାମାରୀ ନିବାରଣ ଓ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଚାଇନିଜ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଏଣ୍ଡ୍ ପ୍ରିଭେନସନର ମୁଖ୍ୟ ମହାମାରୀ ବିଶେଷଜ୍ଞ ୱୁ ଜୁନୟୁ ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ ପ୍ରତିଟି ନାଗରିକଙ୍କର ଯାଞ୍ଚ୍ ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଗୋଟିଏ ଜିଲ୍ଲାରେ ସଂକ୍ରମିତ ଠାବ ହୋଇଥିଲେ ହେଁ ଯେ ପର୍ଯ୍ୟନ୍ତ ଏହା ପଡ଼ୋଶୀ ଜିଲ୍ଲାକୁ ନ ବ୍ୟାପିଛି, ସେଠାରେ କ’ଣ ପାଇଁ ଯାଞ୍ଚ୍ କରାଯିବ ବେଲି ଜିନୟୁ ପ୍ରଶ୍ନ କରିଛନ୍ତି।