ଉଡ଼ନ୍ତା ପୋଲର ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହେବ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ): ବାଲେଶ୍ୱର ସହରର ଫକୀରମୋହନ ଗୋଲେଇଠାରୁ ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡ୍କୁ ସଂଯୋଗ କରୁଥିବା ଓଡ଼ିଶାର ସର୍ବପ୍ରଥମ ଉଡ଼ନ୍ତା ପୋଲର ମରାମତି ଓ ସୁରକ୍ଷା ଦାବି କରି ଶୁକ୍ରବାର ଦିନ ୧୦ଟାରୁ ଶତାଧିକ ବ୍ୟକ୍ତି ଷ୍ଟେସନ ରୋଡ଼୍ ସନ୍ନିକଟ ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଦପ୍ତର ସମ୍ମୁଖରେ ସିଭିଲ୍ ସୋସାଇଟିର ଆହ୍ୱାନକ୍ରମେ ଏକ ଗଣଧାରଣାରେ ବସିଥିଲେ । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଗଣଧାରଣା ସ୍ଥଳର ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ସଂପାଦକ ମନୋଜ ନାୟକ ଉଦ୍ବୋଧନ ଦେଇ ବାଲେଶ୍ୱର ତଥା ଉତ୍ତର ଓଡ଼ିଶାର ଜୀବନରେଖା କୁହାଯାଉଥିବା ଉଡ଼ନ୍ତାପୋଲର ସୁରକ୍ଷା ଓ ତୁରନ୍ତ ମରାମତି ଦାବିରେ ଗତ ୫ବର୍ଷ ଧରି ସିଭିଲ୍ ସୋସାଇଟି ଓ ବହୁ ଗଣସଂଗଠନ ଦାବି ତଥା ଆନ୍ଦୋଳନ ଚଳାଇଆସୁଥିଲେ ମଧ୍ୟ ସରକାରୀ କଳର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇନାହିଁ । ଏହା ମଧ୍ୟରେ ଆବଶ୍ୟକ ମରାମତି ଅଭାବରୁ ଉଡ଼ନ୍ତା ପୋଲ ବିପଦ ସଂକୁଳ ଅବସ୍ଥାକୁ ଚାଲିଯାଇଛି । କେତେବେଳେ ବି କୌଣସି ଦୁର୍ଘଟଣା ଘଟି ବହୁ ଅମୂଲ୍ୟ ଜନଜୀବନ ନଷ୍ଟହେବାର ଆଶଙ୍କା ଦେଖାଦେଇଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ବିଭିନ୍ନ ସାମାଜିକ ଓ ଗଣସଂଗଠନ ତରଫରୁ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସାହୁ, ଧୀରେନ୍ଦ୍ର ନାରାୟଣ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ବସନ୍ତ ସ, ଶଶାଙ୍କ ଶେଖର ଦତ୍ତ, ନିରଞ୍ଜନ ପରିଡ଼ା, ନିରଞ୍ଜନ କୁମାର ଦାସ, ବେଣୁଧର ପାଳ, ବିଧାନଚନ୍ଦ୍ର ରାୟ, ପରମାନନ୍ଦ ପଣ୍ଡା, ସୁଦର୍ଶନ ଦାସ, ଜ୍ୟୋତ୍ସ୍ନା ମହାନ୍ତି, ରୁବି ପଟ୍ଟନାୟକ, ନମିତା ଦାସ, ସୁଜାତା ମହାପାତ୍ର, ରୋଜି ପଟ୍ଟନାୟକ, କଲ୍ୟାଣୀ ବେହେରା, ଶମ୍ଭୁ ସିଂ, ଶଶିକାନ୍ତ ବେହେରା, ବିଦ୍ୟାଧର ମହାଳିକ, ଅର୍ଚ୍ଚନା ନନ୍ଦୀ, ଅରୁଣ ଜେନା, କବି ଶ୍ରୀଦେବ, ଜଗନ୍ନାଥ ମହଲ, ମହମ୍ମଦ ସଫିକ୍, ସାହିରୁଲ୍ ହକ୍, ସାକିଲା ବାନୁ, ପରମେଶ୍ୱର ସାହୁ, ପ୍ରବାସିନୀ କର, ପ୍ରଦୀପ କୁମାର ଚାଟାର୍ଜୀ, ରାଜଲକ୍ଷ୍ମୀ ଚାଟାର୍ଜୀ, ନମିତା ସାହୁ, ସରସ୍ୱତୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପାତ୍ର, ସବିତା ମହାନ୍ତି, ବିକାଶ ଦାସ, ବାସନ୍ତୀ ସାମଲ, ସନ୍ତୋଷ ସାହୁ, ବନ୍ଦନା ବିଶ୍ୱାସ, ଯତୀନ୍ ପାତ୍ର, ଜ୍ୟୋତ୍ସ୍ନା ସେନାପତି, ସନ୍ଧ୍ୟା ଭୂୟାଁ, ଓ ନମିତା ଶାହା ପ୍ରମୁଖ ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ତଥା କାଳକ୍ଷେପଣ ନୀତିକୁ ଦୃଢ଼ ସମାଲୋଚନା କରିଥିଲେ । ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ସଞ୍ଜିବ କୁମାର ମହାନ୍ତି ଧାରଣାକାରୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଶଦ ସୂଚନା ପ୍ରଦାନ କରି ଜନସାଧାରଣଙ୍କ ଉଦ୍ବେଗ ପ୍ରତି କର୍ତ୍ତୃପକ୍ଷ ସଚେତନ ଥାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ପ୍ରତିଶ୍ରୁତି ଦେଇଥିଲେ । ବାଲେଶ୍ୱର ଉଡ଼ନ୍ତାପୋଲର ମରାମତି ପାଇଁ ଦିଲ୍ଲୀ ସ୍ଥିତ ହାର୍କୁଲେସ୍ ଷ୍ଟ୍ରକ୍ଚରାଲ୍ ସିଷ୍ଟମ୍ ପ୍ରା.ଲି.ର ଅଟକଳକୁ ଗ୍ରହଣ କରି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଗତ ୩୧ ତାରିଖ ଦିନ ଏ ବାବଦରେ ୪କୋଟି ୯୩ଲକ୍ଷ ୨୫ହଜାର ୭ଶହ ୪୨ଟଙ୍କାର ଅଟକଳକୁ ମଞ୍ଜୁର କରିଛନ୍ତି । ଜିଲ୍ଲା ପ୍ରଶାସନକୁ ଏ ସଂପର୍କରେ ବିହୀତ ଅବଗତ କରାଯାଇଛି । ଉଡ଼ନ୍ତାପୋଲର ମରାମତି କାର୍ଯ୍ୟାରମ୍ଭ ପାଇଁ ଆବଶ୍ୟକୀୟ ପରିବେଶ, ଉକ୍ତ କମ୍ପାନୀର ଉପକରଣାଦି ରଖିବାର ସ୍ଥାନ ତଥା ଆନୁସଙ୍ଗିକ ସହଯୋଗ ପ୍ରଦାନପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ବୋଲି ଇଂ. ଶ୍ରୀ ମହାନ୍ତି ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ଏହି ଆଲୋଚନାକୁ ଭିତ୍ତିକରି ସିଭିଲ୍ ସୋସାଇଟି ତରଫରୁ ଚାଲିଥିବା ଗଣଧାରଣାକୁ ଅପରାହ୍ନ ୨ଟାରେ ପ୍ରତ୍ୟାହାର କରାଯାଇଛି । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ପୋଲର ମରାମତି କାର୍ଯ୍ୟଆରମ୍ଭ କରି ଜନସାଧାରଣଙ୍କ ଧନଜୀବନର ସୁରକ୍ଷାପାଇଁ ଗୁରୁତ୍ୱଦେବାକୁ ଅନୁରୋଧ କରାଯାଇଛି । ଯଦି ତୁରନ୍ତ କାର୍ଯ୍ୟାରମ୍ଭ ନହୁଏ ତେବେ, ସିଭିଲ୍ ସୋସାଇଟି ତରଫରୁ ଜନସାଧାରଣଙ୍କ ସହଯୋଗରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଧାରଣା ସ୍ଥଳରେ ସୋସାଇଟିର ସଭାପତି, ସଂପାଦକ ଓ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।