ଋଷିକୁଲ୍ୟା ନଦୀର ଭୀମପୁର ବାଲିଘାଟ ଲିଜ୍ ରଦ୍ଦ କରିବା ଦାବି ଜୋର ଧରିଲା

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଋଷିକୁଲ୍ୟା ନଦୀର ଭୀମପୁର ବାଲିଘାଟ ଲିଜ ରଦ୍ଦ କରିବା ଦାବି ନେଇ ଭୀମପୁର, ପ୍ରତାପପୁର, ପାଣ୍ଡରପଲ୍ଲୀ ଓ ହୁଣ୍ଡତ ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକଲିଖିତ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏହି ବାଲିଘାଟ ଦ୍ୱାରା ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଏହି ବାଲିଘାଟ ଲିଜ୍ ରଦ୍ଦ କରିବା ପାଇଁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଛନ୍ତି । ଏହି ୪ ଖଣ୍ଡ ଗ୍ରାମର ହିତ ନିମନ୍ତେ ଆବଶ୍ୟକ ପଡିଲେ ମଧ୍ୟ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି । ଭୀମପୁର ଗ୍ରାମର ଦକ୍ଷିଣ ଦିଗରେ ଥିବା ଋଷିକୁଲ୍ୟା ନଦୀ ରେ ଭୀମପୁର ନଦୀ ଘାଟ ଅବସ୍ଥିତ । ବନ୍ୟା ଦ୍ୱାରା ବହୁ ଗୋଚର ଜମି ଓ ରୟତ ଜମି (ଅନ୍ୟୁନ ୪୦ ଏକରରୁ ଉର୍ଦ୍ଧ୍ୱ) ନଦୀ ଗର୍ଭରେ ବିଲୀନ ହୋଇଯାଇଛି । ଏଣୁ ୧୯୮୪ ମସିହା ଠାରୁ ଏହାର ସୁରକ୍ଷା ନିମନ୍ତେ ଗ୍ରାମବାସୀ ତଥା ପଂଚାୟତ ତରଫରୁ ନଦୀ ଗର୍ଭରେ (ଚଢେୟା ଗଛ) ଲଗାଯାଇ ବହୁ ଯତ୍ନ ନେବା ଫଳରେ ୧୦ ବର୍ଷ ମଧ୍ୟରେ ନଦୀର ଧାରା ସାମାନ୍ୟ ଦକ୍ଷିଣ ଦିଗକୁ ପରିବର୍ତ୍ତନ ଦ୍ୱାରା ଗାଁକୁ କିଂଚିତ ସୁରକ୍ଷା ମିଳିପାରିଛି । ଜଉଗଡ ଠାରୁ ପୁରୁଷୋତ୍ତମପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଠାରୁ ପୂର୍ବରୁ ଏହି ନଦୀ ୫୦୦ ମିଟର ଦୂରରେ ଥିବା ବେଳେ ବର୍ତ୍ତମାନ କୂଳଖାଇ ଖାଇ ମାତ୍ର ୨୦ ମିଟର ଦୂରରେ ରହିଛି । ବନ୍ୟାରୁ ରକ୍ଷା ପାଇବା ନିମନ୍ତେ କୂଳ ଘାଇ କରା ଯାଉଥିଲେ ମଧ୍ୟ ବଡ଼ ବଡ଼ ବନ୍ୟାରେ ଉପର ମୁଣ୍ଡରେ ଘାଇ ଭାଙ୍ଗିଯିବା ପରେ ବି କୂଳଘାଇର ଏକ ଫୁଟ ତଳେ ବନ୍ୟା ପାଣି ଯାଉଛି । ଯଦି ଉପର ମୁଣ୍ଡରେ ଘାଇ ନ ଭାଙ୍ଗେ ତେବେ କୂଳଘାଇ ଥିଲେ ମଧ୍ୟ ଗାଁ ରେ ପାଣି ପଶିବା ନିଶ୍ଚିତ । ଏପଟେ କୂଳଘାଇ ତଟରେ ପ୍ରାଥମିକ ବିଦ୍ୟାଳୟ ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ଥିବାରୁ ବାଲି ଉଠାଣ ଫଳରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ବିପଦ ରହିଛି । ଗାଁ ଠାରୁ ୫୦୦ ମିଟରେ ବାଲି ଘାଟ ଦିଆଯାଇଥିବାରୁ ପ୍ରତ୍ୟେକ ବର୍ଷା ଋତୁରେ ସେମାନେ ବ୍ୟବହାର କରୁଥିବା ଅଂଚଳର ବାଲି ଭାସି ଚାଲିଯାଉଥିବାରୁ ଗାଧୁଆ ତୁଠ ଅଂଚଳରେ ଛୋଟମୋଟର ଆଶଙ୍କା ରହୁଛି । ଯେହେତୁ ଏହି ସବୁ ଗ୍ରାମର ଜମିବାଡିର ନଦୀ ଆରପଟେ କିଛି ରହୁଥିବାରୁ ବର୍ଷା ଋତୁ ବ୍ୟତୀତ ଅନ୍ୟ ଋତୁରେ ନଦୀ ପଠା ଦେଇ ଯିବା ଆସିବା କରନ୍ତି । କାରଣ ଗ୍ରାମ ଠାରୁ ପ୍ରାୟ ୩ କି.ମି ଦୂରରେ ସେତୁ ଅବସ୍ଥିତ । ବାଲି ଖନନ ଯେହେତୁ ଜେସିବି ଦ୍ୱାରା ହେଉଛି ତେଣୂ ନଦୀ ପଠାରେ ବଡ ବଡ ଗର୍ତ୍ତ ସୃଷ୍ଠି ହେଉଛି ଏବଂ ଏହା ଦ୍ୱାରା ଲୋକମାନଙ୍କୁ ବିଭିନ୍ନ ଅସୁବିଧା ସୃଷ୍ଟି ହେଉଛି । ଏଣୁ ଅଂଚଳର ଜନସାଧାରଣଙ୍କ ହିତ ନିମନ୍ତେ ଭୀମପୁର ବାଲିଘାଟ ଲିଜ୍ କୁ ତୁରନ୍ତ ରଦ୍ଦ କରିବା ନିମନ୍ତେ ଉକ୍ତ ଦାବି ପତ୍ର ରେ ଗ୍ରାମବାସୀ ମାନେ ଉଲ୍ଲେଖ କରିଛନ୍ତି ।ଏହି ଦାବୀ ପତ୍ର ପ୍ରଦାନ ବେଳେ ଲିଙ୍ଗରାଜ ସାବତ, ଚନ୍ଦ୍ର ଶେଖର ପାଳ, ଅଜିତ କୁମାର ଗୌଡ଼, ରମେଶ ଗୌଡ଼ ଙ୍କ ସମେତ ବହୁ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ