ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚୋରା ଚାଲାଣ ରାଜସ୍ୱ କର୍ମଚାରୀ ଙ୍କ ମଧୁଚନ୍ଦ୍ରିକା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ହିଞ୍ଜିଳି ରାଜସ୍ୱ ଅଂଚଳରେ ବାଲି ମାଫିଆମାନେ ନିଜର କାୟା ବିସ୍ତାର କରି ଚାଲିଛନ୍ତି । ହିଞ୍ଜିଳି ତହସିଲ ନନ୍ଦିକ ରାଜସ୍ୱ ସର୍କଲ ଅନ୍ତର୍ଗତ ଋଷିକୁଲ୍ୟା ନଦୀରୁ ଦିଗାପଡ଼ା ଓ ଫୁଟିଆପଦର ଗ୍ରାମ ରାସ୍ତା ଦେଇ ଋଷିକୁଲ୍ୟା ନଦୀ ପଠାରୁ ପ୍ରତ୍ୟେକ ରାତ୍ରିରେ ଶହ ଶହ ସଂଖ୍ୟାରେ ଟ୍ରାକ୍ଟର, ଟ୍ରକ ଓ ଟିପର ସହାୟତାରେ ବାଲି ଚୋରା ଚାଲାଣ ହେଇଛି । ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ କୈାଣସି ପ୍ରକାର ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଲୁଟେରା ମାନେ ଏହାର ସୁଯୋଗ ନେବାକୁ ପଛାଉ ନାହାନ୍ତି । ଫଳରେ ବାଲି ଲୁଟେରା ମାନେ ପ୍ରଶାସନକୁ ଖୋଲା ଖୋଲି ଚ୍ୟାଲେଞ୍ଜ କରି ଅବାଧରେ ବାଲି ଚାଲାଣ କରୁଛନ୍ତି । ଏହି ପରି ବାଲି ଚାଲାଣ ଜାରି ରହିଲେ ଗିରିଆ, ନନ୍ଦିକ, ଫୁଟିଆପଦର,ଦିଗାପଡ଼ା ଶାସନ ଓ ଜାମୁନୀ ଗ୍ରାମ ସମେତ ଏହାର ନିକଟବର୍ତି ଅଂଚଳ ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି ହେବ, ଏଥିରେ ନିସନ୍ଦେହ । ଅନ୍ୟ ପକ୍ଷରେ ବାଲି ମାଫିଆ ଓ ରାଜସ୍ୱ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା ଚାଲିଥିବାରୁ ସରକାର ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଏହାକୁ ବନ୍ଦ କରିବା ଲାଗି ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ନଦୀ ନିଜର ଗତିପଥ ବଦଳାଇ ଗାଁ ମୁହାଁ ହେବାର ଆଶଙ୍କା ଉପୁଜିଛି । ସଂପୃକ୍ତ ବାଲି ମାଫିଆଙ୍କ ଭୟରେ ଗ୍ରାମ ବାସୀ ମୁହଁ ଖୋଲି ପାରୁ ନାହାନ୍ତି । ଗ୍ରାମର ସୁରକ୍ଷା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ବାଲି ଚୋରା ଚାଲାଣରେ ଚୋରା ଗାଡ଼ି ଗୁଡ଼ିକ ବ୍ୟବହାର ହେଉଥିବାରୁ ଚାଳକ ମାନେ ରାତି ଅଧିଆ ତରବରିଆ ଭାବେ ନେବା ବେଳେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏ ନେଇ ସ୍ଥାନୀୟ ପ୍ରଶାସନ ବେଳେ ବେଳ ଗୋଟିଏ ବା ଦୁଇଟି ଗାଡ଼ିରୁ ଦେଖାଣିଆ ଭାବେ ଚାଲାଣ କାଟି ଭିତିରି ମୋଟା ଅଙ୍କର ଅର୍ଥ ନେଣ ଦେଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । । ସେହିପରି ନନ୍ଦିକ ଗ୍ରାମର କିଛି ଅସାମାଜିକ ବ୍ୟକ୍ତିମାନଙ୍କ଼ ଅଢ଼ୁଆଳରେ ବାହାର ରାଜ୍ୟର ଚୋରା ବ୍ୟବସାୟୀ ମାନେ ନିଜର କାୟା ବିସ୍ତାର କରିଚାଲିଛନ୍ତି । ଅନ୍ୟ ପକ୍ଷରେ ସଂପୃକ୍ତ ଅଂଚଳ ହିଞ୍ଜିଳି ତହସିଲ ଓ ପୁରୁଷୋତମପୁର ଥାନା ଅଧିନରେ ରହି ଆସୁଥିବାରୁ ଉଭୟ ଅଂଚଳର ପ୍ରଶାସନିକ ଅଧିମକାରୀଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଏହାର ସୁଯୋଗ ନେଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର କିଛି ବାଲି ମାଫିଆ ମାନେ ସ୍ଥାନୀୟ ଅଂଚଳର କିଛି ଅସାମାଜିକ ଯୁବକ ମାନଙ୍କୁ ମୋହରା କରି ନିଜର କାୟା ବିସ୍ତାର କରି ଚାଲିଛନ୍ତି । ବିନା ଟେଣ୍ଡରରେ ଦିନକୁ ହଜାର ହଜାର ଟ୍ରିପ ବାଲି ଚୋରା ଚାଲାଣ ହେବା ଦ୍ୱାରା ସରକାରି ତହବିଲରୁ ମାସିକ ଲକ୍ଷ ଲକ୍ଷ ଟଙ୍କା ହରାଉଛି । ନଦୀ ପଠାର ଅନ୍ୟପଟ ପୁରୁଷୋତମପୁର ତହସିଲ ଅନ୍ତର୍ଗତ ହେଉଥିବାରୁ ଗାଁ ଦେଇ ପ୍ରଶାସନର ଅଢ଼ୁଆଳରେ ରାତି ଅଧିଆ ବାଲି ଚାଲାଣ ହେଉଥିବା ମଧ୍ୟ ଗ୍ରାମବାସେୀ ଅଭି ଯୋଗ କରିଛନ୍ତି । ଅନ୍ୟପଟେ ବନ୍ୟାଦାଉରୁ ଗ୍ରାମ ଗୁଡ଼ିକୁ ବିପଦ ନ ଆସିବା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟରେ ନଦୀ ହୁଡ଼ାକୁ ପଥର ବନ୍ଧେଇ ସହ ହୁଡ଼ାକୁ ରୋଡ଼ ପିଚୁ ଓ କଙ୍କ୍ରିଟ ରାସ୍ତା ନିର୍ମାଣ କରାଯାଉଛି । ଫଳରେ ଅସାଧୁ କର୍ମଚାରୀଙ୍କୁ ହାତବାରିସି ସଜେଇ ବାଲି ମାଫିଆ ମାନେ ପ୍ରଶାସନର ଅଢ଼ୁଆଳରେ କୋଟି କୋଟି ଟଙ୍କାର ବାଲି ଚାଲାଣ କରୁଛନ୍ତି । ନଦୀ ଭିତରେ ଜେସିପି ସାହାର୍ଯ୍ୟରେ ଅସ୍ଥାୟୀ ରୋଡ଼ କରିଥିଲେ ମଧ୍ୟ ପ୍ରଶାସନର ନିରବତା ଗ୍ରାମବାସାଙ୍କୁ ମରଣ ମୁହଁଙ୍କୁ ଠେଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏ ନେଇ ଉଚ୍ଚ ପଦସ୍ଥ ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ କରି ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ଆଗାମି ଦିନରେ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ନଦୀ ନିକଟବର୍ତି ଅଂଚଳର ଗ୍ରମାବାସୀ ଚେତାବନି ଦେଇଛନ୍ତି । ଏ ସମ୍ପର୍କରେ ହିଞ୍ଜିଳିକାଟୁ ତହସିଲଦାର ଗୋପିନାଥ କୁଅଁରଙ୍କ ସହ ଯୋଗା ଯୋଗ କରାଯାଇ ଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ ।


