ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣକୁ ନେଇ ଗାଡ଼ି ପୋଡ଼ା ଘଟଣା;ପୋଲିସ ଗ୍ରାମବାସୀ ମୁହାଁମୁହିଁ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ଶୁକ୍ରବାର ବିଳମ୍ବିତ ରତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀରୁ ଭାବେ ବାଲି ଚୋରା ଚାଲାଣକୁ କେନ୍ଦ୍ର କରି କିଛି ଦୁବୃର୍ତ ୩ଟି ଟ୍ରକ, ଗୋଟିଏ ଟ୍ରାକ୍ଟର ଓ ୨ଟି ବାଇକୁ ପୋଡ଼ିଦେବା ସହ ଏକ ଜେସିବି ମେସିନକୁ ଭଙ୍ଗାରୁଜା କରିଥିଲେ । ଉକ୍ତ ଘଟଣାରେ ଶନିବାର ସକାଳେ ଆସିକା ଏସଡ଼ିପିଓ, ହିଞ୍ଜିଳି ଥାନା ଆଇଆଇସି, ହିଞ୍ଜିଳି ଅତିରିକ୍ତ ତହସିଲସଦାର ଓ ପୁରୁଷୋତମପୁର ରାଜସ୍ୱ କର୍ମଚାରୀ ଘଟଣା ସ୍ଥଳରେ ପଂହଚି ଘଟଣାର ତଦନ୍ତ କରିଥିଲେ । ରାମକୃଷ୍ଣ ବରଡ଼ଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ-୨୮୯/୨୦ ରେ ଏକ ମାମଲା ରୁଜୁ କରାଯାଇଥିଲା । ରବିବାର ଭୋରରୁ ହିଞ୍ଜିଳି ପୁଲିସ ପ୍ରଶାସନ ସଂପୃକ୍ତ ଗ୍ରାମର ୫/୭ ଜଣଙ୍କୁ ଥାନାରେ ଅଟକ ରଖିଥିଲା । ସଂପୃକ୍ତ ଘଟଣାରେ ଲିପ୍ତ ନଥିବା ଗ୍ରାମର ନିରୀହ ଲୋକଙ୍କୁ ହିଞ୍ଜିଳି ପୁଲିସ ଉଠାଇ ନେଇଥିବା ବେଳେ ସେମାନଙ୍କ ମୁକ୍ତ କରିବା ଏବଂ ବାଲି ମାଫିଆଙ୍କୁ ଗିରଫ ଦାବି ଅଭିଯୋଗ କରି ଗ୍ରାମର ଶତାଧିକ ଲୋକ ରବିବାର ପୂର୍ବାହ୍ନରେ ହିଞ୍ଜିଳି ଥାନା ଘେରାଉ କରିଥିଲେ । ଗ୍ରାମବାସୀ ନିଜ ଜିଦରେ ଅଟଳ ରହିବା ସହ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ପରିସ୍ଥିତି ଅଣାୟତ ଦିଗକୁ ଗତି କରୁଥିବା ବେଳେ ଖବର ପାଇ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ଆସିକା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଶେରଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ଦାଶ, ପାଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ଅଜୟ କୁମାର ବାରିକ, ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ର ପମୁଖ ହିଞ୍ଜିଳି ଥାନାରେ ପଂହଚିଥିଲେ । ପ୍ରଶାସନ ପକ୍ଷରୁ ସଂପୃକ୍ତ ଧାରଣାକାରୀଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ପ୍ରଶାସନିକ ଅଧିକାରୀଙ୍କ ସହ ଉପସ୍ଥିତ ବିକ୍ଷୋଭକାରୀଙ୍କ ଯୁକ୍ତିତର୍କ ଦେଖା ଦେଇଥିଲା । ପରିସ୍ଥିତି ବିଗିଡ଼ିବାରୁ ପୁଲିସ ମୃଦୁ ଲାଠି ଚାଳନା କରିଥିଲା । ଜବାବରେ ବିକ୍ଷୋଭକାରୀ ମାନେ ପୁଲିସ ପ୍ରଶାସନ ଉପରକୁ ଢେଲା ମାଡ଼ କରିଥିଲେ । ପରିସ୍ଥିତି ଉତେଜନାପୁର୍ଣ୍ଣ ହେବାରୁ ଉପସ୍ଥିତ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ସକାଶେ ପୁଲିସ ଲାଠି ଚାଳନା କରିଥିଲା । ଲାଠି ଚାଳନା ପରେ ଘଟଣା ସ୍ଥଳରୁ ବିକ୍ଷୋଭକାରୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ପୁଲିସର ଲାଠିଚାର୍ଜରେ ୧୦ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଥିବା ଜଣାପଡ଼ିଛି । ପରେ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ସହ ପୁଲିସ ପ୍ରଶାସନ ଓ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ଥାନା ପରିସରରେ ସମାଧାନର ପନ୍ଥା ବାହାର କରିବା ସକାଶେ ବିଚାର ବିମର୍ଶ ଚଲାଇଥିଲେ । ପରବର୍ତି ସମୟରେ ଭଦ୍ରବ୍ୟକ୍ତି, ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ବ୍ୟକ୍ତିଗତ ରାଜିନାମା ମଧ୍ୟରେ ଅଟକ ବ୍ୟକ୍ତିଙ୍କୁ ଛାଡ଼ି ଦିଆଯାଇଛି । ଘଟଣାର ତଦନ୍ତ ଜାରି ରହିଛି । ଦୋଷୀଙ୍କୁ ଖୁବ ଶୀଘ୍ର ଗିରଫ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଖବର ଲେଖା ହେବା ସୁଦ୍ଧା ସଂପୃକ୍ତ ଗ୍ରାମରେ ଉତେଜନା ଲାଗି ରହିଛି । ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ପୁଣି ଏକ ବଡ଼ ଧରଣର ଆନ୍ଦାଳନ ଗଢି ଉଠିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ।
ପ୍ରକାଶ ଥାଉକି, ବିଶ୍ୱରେ କରୋନା ତାର କାୟା ବିସ୍ତାର କରୁଥିବା ବେଳେ ବାଲି ମାଫିଆମାନେ ନିଜର କାୟା ବିସ୍ତାର କରିଛନ୍ତି । ବେଆଇନ ବାଲି କାରବାରକୁ ନେଇ ବିଭିନ୍ନ ସମୟରେ ସରକାରୀ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ବାଲିମାଫିଆ ମାନେ ଯେମିତି ସବୁ ନିତିନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି । ନାମକୁ କେବଳ ଯାହା ଆଇନ ତିଆରି ହୋଇଛି ଆଖି ଦେଖାଣିଆ ଧରପଗଡ଼ରେ ସିମୀତ ରହୁଛି । ରୁଷିକୁଲ୍ୟା ନଦୀରୁ ଅନୁମାନିକ ୫ ବର୍ଷରୁ ଉର୍ଦ୍ଧ ବିନା ଟେଣ୍ଡରରେ ରୁଷିକୁଲ୍ୟା ନଦୀରୁ ପ୍ରତ୍ୟକ ଦିନ ଓ ରାତ୍ରିରେ ସିକିରି, ଆଲପୁର, ଖରିଡ଼ା, କୋଳିଦାସପୁର, ଗିରିଆ, ଚାନ୍ଦୁଲି, ଖଣ୍ଡରା, ପୁଟିଆପଦର, ଦିଗାପଡ଼ା ଗ୍ରାମ ମଧ୍ୟ ଦେଇ ପ୍ରତ୍ୟହ ରାତିରେ ବାଲି ଚୋରା ଚାଲାଣ ହେଇଛି । ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ କୈାଣସି ପ୍ରକାର ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଲୁଟେରା ମାନେ ଏହାର ସୁଯୋଗ ନେବାକୁ ପଛାଉ ନାହାନ୍ତି । ଫଳରେ ବାଲି ଲୁଟେରା ମାନେ ପ୍ରଶାସନକୁ ଖୋଲା ଖୋଲି ଚ୍ୟାଲେଞ୍ଜ କରି ଅବାଧରେ ବାଲି ଚାଲାଣ କରୁଛନ୍ତି । କୋଳିଦାସପୁର ଗ୍ରାମ ନିକଟ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀରୁ ବାଲି ଚାଲାଣ ବେଳେ ସଂପୃକ୍ତ ଗ୍ରାମ ଦେଇ ବିଭିନ୍ନ ଟ୍ରକ୍ ଓ ଟ୍ରାକ୍ଟର ଗୁଡ଼ିକ ବେପାରୁଆ ଭାବେ ଯାତାୟତ କରୁଥିବାରୁ ଦୂର୍ଘଟଣା ସମ୍ଭାବନା କରି ଗତ ଏକ ମାସ ପୂର୍ବେ ସଂପୃକ୍ତ ଗ୍ରାମରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂପୃକ୍ତ ଗ୍ରାମ ରାସ୍ତା ଓ ନଦୀ ନିକଟବର୍ତି ଉଠାଜଳସେଚନ ବିଭାଗ ପକ୍ଷରୁ ନିର୍ମିତ ରାସ୍ତା ଦେଇ ବାଲି ଗାଡ଼ି ଗୁଡ଼ିକୁ ଯାତାୟତ ନକରିବା ଓ ନଦୀରୁ ବାଲି ଚାଲାଣ ନକରିବା ସକାଶେ ସ୍ଥିର କରାଯାଇଥିଲା । ତେବେ ଗତ ୨/୩ ଦିନ ଧରି ପୁଣି ଥରେ ସ୍ଥାନୀୟ ଗ୍ରାମ ନିକଟବର୍ତି ଅଂଚଳର କିଛି ଅସାମାଜିକ ବ୍ୟକ୍ତିଙ୍କୁ ବାଲି ମାଫିଆ ମାନେ ମୋହରା କରି ପୁଣି ଥରେ ବାଲି ଚୋରା ଚାଲାଣ ଆରମ୍ଭ କରି ଦେଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସଂପୃକ୍ତ ଗ୍ରାମ ନିକଟ ଋଷିକୂଲ୍ୟା ନଦୀରୁ ବାଲି ମାଫିଆ ମାନେ ବାଲି ଚାଲାଣ କରୁଥିବା ବେଳେ ସଂପୃକ୍ତ ସ୍ଥାନରେ ଗ୍ରାମବାସୀ ପଂହଚିଥିଲେ । ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉତ୍ୟକ୍ତ ଗ୍ରାମବାସୀଙ୍କୁ ମୁକାବିଲା ନକରିପାରି ଭୟରେ ବାଲି ମାଫିଆ ଓ ଗାଡ଼ି ଚାଳକ ମାନେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ । ଏହାର ସୁଯୋଗ ନେଇ କିଛି ଦୁବୃର୍ତ ନଦୀ ନିକଟରେ ଥିବା ବାଇକ, ଟ୍ରାକ୍ଟର ଓ ଟିପ୍ପରରେ ନିଆଁ ଲଗାଇ ଦେଇଥିବା ବେଳେ ଜେସିବି ମେସିନକୁ ଭଙ୍ଗାରୁଜା କରିଥିଲେ ।
ଅନ୍ୟପକ୍ଷରେ ଏହି ପରି ବାଲି ଚାଲାଣ ଜାରି ରହିଲେ ପିତଳ,ତହଂର, ଗିରିଆ. ନନ୍ଦିକ.ଫୁଟିଆପଦର.ଦିଗାପଡ଼ା ଶାସନ ଓ ଜାମୁନୀ .ଆଲପୁର,କୋଳିଦାସପୁରଗ୍ରାମ ଓ ନଦୀ ନିକଟବର୍ତି ଗ୍ରାମ ଗୁଡ଼ିକ ପ୍ରତି ବିପଦ ଆଶଙ୍କା ଦେଖାଦେବ ଏବଂ ସରକାର ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ହରାଇବ । ଏହାକୁ ବନ୍ଦ କରିବା ଲାଗି ପ୍ରଶାସନ ପଦକ୍ଷେପ ନ ନେଲେ ନଦୀ ନିଜର ଗତିପଥ ବଦଳାଇ ଗାଁ ମୁହାଁ ହେବାର ଆଶଙ୍କା ଉପୁଜିଛି । ବାଲି ମାଫିଆଙ୍କ ଭୟରେ ଗ୍ରାମ ବାସୀ ମୁହଁ ଖୋଲି ପାରୁ ନାହାନ୍ତି । ଗ୍ରାମର ସୁରକ୍ଷା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ବାଲି ଚୋରା ଚାଲାଣରେ ଚୋରା ଗାଡ଼ି ଗୁଡ଼ିକ ବ୍ୟବହାର ହେଉଥିବାରୁ ଚାଳକ ମାନେ ରାତି ଅଧିଆ ତରବରିଆ ଭାବେ ନେବା ବେଳେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏ ନେଇ ସ୍ଥାନୀୟ ପ୍ରଶାସନ ନିକଟରେ ଗ୍ରାମବାସୀ ବାରମ୍ବାର ଲିଖିତ ଅଭିଯୋଗଗ କରିଥିଲେ ମଧ୍ୟ ପ୍ରଶାସନ ନୀରବ ରହୁଥିବା ଅଭିଯୋଗ ହୋଇଛଇ । ଏ ନେଇ ଦୈନିକ ଖବରକାଗଜ’ ପ୍ରଗତୀବାଦି’ରେ କବର ପ୍ରକାିତ ହେବା ପରେ ପ୍ରଶାସନ ଲୋକ ଦେଖାଣିଆ ଭାବେ ଗୋଟିଏ ବା ଦୁଇଟି ଗାଡ଼ିରୁ ଚାଲାଣ କାଟି ପୁଣି ଥରେ ନିରବ ସାଜିଥିଲା । ଏ ନେଇ ବାଲି ମାଫିଆ ଓ ରାଜସ୍ୱ କର୍ମଚାରୀଙ୍କ ମଧ୍ୟରେ ଭିତିରି ମୋଟା ଅଙ୍କର ଅର୍ଥ ନେଣ ଦେଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଉକ୍ତ ଅଚଂଳ ହିଞ୍ଜିଳି ଥାନା ମଧ୍ୟରେ ଯାଉଥିବା ବେଳେ ତହସିଲ ପୁରୁଷୋତମପୁର ହେଉଥିବାରୁ ଅଧିକାରୀମାନଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ଏହାର ସୁଯୋଗ ନେଇ ଆନ୍ଦ୍ରାରୁ ବାଲି ଚୋରା ଚାଲାଣକାରୀ ମାନେ ସ୍ଥାନୀୟ ଅସାମାଜିକ ଯୁବକ ମାନଙ୍କୁ ମୋହରା କରି ନିଜର କାୟା ବିସ୍ତାର କରି ଚାଲିଛନ୍ତି । ବିନା ଟେଣ୍ଡରରେ ଦିନକୁ ହଜାର ହଜାର ଟ୍ରିପ ବାଲି ଚୋରା ଚାଲାଣ ହେବା ଯୋଗୁଁ ସରକାରି ତହବିଲରୁ ମାସିକ କୋଟି କୋଟି ଟଙ୍କା ହରାଉଛି । ନଦୀ ପଠାର ଅନ୍ୟପଟ ପୁରୁଷୋତମପୁର ତହସିଲ ଅନ୍ତର୍ଗତ ହେଉଥିବାରୁ ଗାଁ ଦେଇ ପ୍ରଶାସନର ଅଢ଼ୁଆଳରେ ରାତି ଅଧିଆ ବାଲି ଚାଲାଣ ହେଉଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ