ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣ ଘଟଣା;ଗଂଜାମ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଲେ ବିଜେପିର ୧୧ ଜଣିଆ ପ୍ରତିନିଧି ଦଳ

ଛତ୍ରପୁର,(ଦେବଦତ୍ତ ମହାରଣା) : ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା କୋଳିଦାସପୁର ବେଆଇନ ବାଲି ଚାଲାଣ ଗାଡି ପୋଡି ଘଟଣାରେ ଥାନାରେ ଅଟକ ପରେ ଶତାଧୀକ ଲୋକଙ୍କୁ ଛାଡିବା ଦାବୀରେ ଘଟିଥିଲା ତୁମୁଳକାଣ୍ଡ । ତେବେ ଏହି ଘଟଣାର ଅନୁଧ୍ୟାନ ପାଇଁ ବୁଧବାର ରାଜ୍ୟ ବିଜେପିର ଏକ ୧୧ଜଣିଆ ଟିମ୍ ତଥା ସତ୍ୟ ଅନୁସନ୍ଧାନକାରୀ ଟିମ୍ କୋଳିଦାସପୁର ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ଋଷିକୂଲ୍ୟା ନଦୀ ପଠା ପରିଦର୍ଶନ କରିଥିଲେ । ଏହାପରେ ଛତ୍ରପୁର ଆସି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଂଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଭେଟିଛନ୍ତି । ଯଥାଶୀଘ୍ର ସ୍ଥାନୀୟ ଅଂଚଳରେ ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ପଦକ୍ଷେପ ନେବା ସହିତ ବାଲି ଚୋରା ଚାଲାଣକରୁଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବୀ କରିଛନ୍ତି । ଗଂଜାମରୁ ଚୋରା ଚାଲାଣ କରି ବିଭିନ୍ନ ପଥ ଜରିଆରେ ମଧ୍ୟ ମାଫିଆ ମାନେ ବାହାରଦେଶକୁ ପଠାଉଛନ୍ତି । କିନ୍ତୁ ଏହି ଚୋରା ଚାଲାଣକୁ ରୋକିବା ସଂପୂର୍ଣ୍ଣ ବିଫଳ ଜିଲ୍ଲାପ୍ରଶାସନ ଓ ପୋଲିସ ବୋଲି କହିଛି ଏହି ଟିମ୍ । ତୁରନ୍ତ ଏନେଇ ପୋଲିସ ଓ ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଅନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ବୋଲି ବିଜେପି ଚେତାବନୀ ଦେଇଛି । ଏହାସହ ଜିଲ୍ଲାପ୍ରଶାସନ ଜାଣିଶୁଣି ରାଜସ୍ୱ ହାନି କରୁଛି । ଜିଲ୍ଲାର ବିଭିନ୍ନ ନଦୀ ପଠାରୁ ବାଲି ଉତ୍ତୋଳନ ନେଇ ବର୍ଷକୁ ୨କୋଟି ରାଜସ୍ୱ ଆଦାୟ କରୁଛି ପ୍ରଶାସନ । ମାତ୍ର ପ୍ରତ୍ୟେକ ଦିନ ଅନ୍ତତଃ ୨କୋଟି ଟଙ୍କା ଆଦାୟ କରିବା କଥା ପ୍ରଶାସନ ବାଲି ଉତ୍ତୋଳନରୁ । ପ୍ରଶାସନ ବାଲି ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଏପରି ବାଲି ମାଫିଆ ମାନଙ୍କୁ କୋଟି କୋଟି ଟଙ୍କାର ମୁନାଫା ମିଳୁଛି ବୋଲି ଏହି ଟିମ୍ କହିଛନ୍ତି । ଜିଲ୍ଲାର କେଉଁ କେଉଁ ଅଂଚଳରେ ବାଲି ଉତ୍ତୋଳନ ହେଉଛି କେତେ ପରିମାଣରେ ଦୈନିକ ଉତ୍ତୋଳନ କରାଯାଉଛି ତାହାର ମଧ୍ୟ ତଥ୍ୟ ମାଗିଛି ଏହି ଟିମ୍ । ଆଜି ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ ବେଳେ ବିଜେପି ରାଜ୍ୟ ଉପସଭାପତି ତଥା ଦଳର ମୁଖପାତ୍ର ଭୃଗୁ ବକ୍ସି ପାତ୍ରଙ୍କ ସମେତ ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶନୀ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ବିଜୟ କୁମାର ସ୍ୱାଇଁ, ରଂଜନ ପଲାଇ ଓ ନୀଳମଣି ବିଷୋୟୀ, ଜିଲ୍ଲା ଯୁବ ମୋର୍ଚ୍ଚା ପ୍ରଭାରୀ ପ୍ରମୋଦ ପଣ୍ଡା, ରଂଜନ ରାଉତ , ଅନୀଲ ପଣ୍ଡା ଓ ଛତ୍ରପୁର ବିଜେପି ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।
ପୁର୍ବରୁ ବୁଧବାର ପୂର୍ବାହ୍ନରେ ଭାରତୀୟ ଜନତାପାର୍ଟିର ରାଜ୍ୟ ସଭାପତି ସମିର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଉପସଭାପତି ତଥା ଦଳର ମୁଖପାତ୍ର ଭୃଗୁ ବକ୍ସି ପାତ୍ରଙ୍କ ନେତୃତ୍ୱରେ ୧୧ ଜଣିଆ ପ୍ରତିନିଧି ଦଳ କୋଳିଦାସପୁର ଗ୍ରାମରେ ପହଞ୍ଚି ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହ ଘଟଣା ନେଇ ଆଲୋଚନା କରିଥିଲେ । ବିନା ଲିଜରେ ୠଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ମାଫିଆ ମାନେ ଜୋର ଜବରଦସ୍ତ ବାଲି ଉତ୍ତୋଳନ କରି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ରାଜସ୍ୱ ଓ ପୁଲିସ ପ୍ରଶାସନ ନିରବ ସାଜିଛି । ଉଠା ଜଳସେଚନ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ନିଦା ବିଷ୍ଣୁ ସାଜିଛି । ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ବାଲି ମାଫିଆଙ୍କ ସହ ସଲାସୁତୁରା କରି ନିରୀହ ଗ୍ରାମବାସୀଙ୍କୁ ଜୋର ଜବରଦସ୍ତ ଥାନାରେ ଅଟକ ରଖିବା ଏବଂ ପ୍ରଶାସନିକ କଳ ଲଗାଇ ଲାଠି ଚାର୍ଜ କରିବା ଘଟଣାକୁ ଦଳ ପକ୍ଷରୁ ତିବ୍ର ନିନ୍ଦା କରାଯାଇଥିଲା । ଚୋରା ବାଲି ଗାଡ଼ି ଗୁଡ଼ିକ ଯାତାୟତ ସକାଶେ ସାଧାରଣ ଗରୀବ ଲୋକଙ୍କ ଚାଷ ଜମି ଉପରେ ବେଆଇନ ଭାବେ ରାସ୍ତା ତିଆରି କରାଯାଉଛି । ଏହାକୁ ବିରୋଧ କଲେ ଜେଲ ଭୟ ଦେଖାଯାଉଛି ବୋଲି କିଛି ଗ୍ରାମବାସୀ ବୁଧବାର ପ୍ରତିନିଧି ଦଳର କର୍ମକର୍ତାଙ୍କୁ ଅଭିଯୋଗ କରିଥିଲେ । ପରବର୍ତି ସମୟରେ କୋଳିଦାସପୁର ଗ୍ରସ୍ତ କାର୍ଯ୍ୟକ୍ରମ ଶେଷ କରି ଗଞ୍ଜାମ ଜିଲ୍ଲାପାଳ ଓ ଗଂଜାମ ଏସପିଙ୍କ ସହ ଘଟଣା ନେଇ ଆଲୋଚନା କରିିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ