ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଚୋରାଚାଲାଣ, ବାଲି ବୋଝେଇ ଟ୍ରାକ୍ଟର ଜବତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ଭାବେ ପ୍ରତ୍ୟହ ଶହ ଶହ ହାଇୱା, ଟିପ୍ପର ଓ ଟ୍ରାକ୍ଟର ବାଲି ଚୋରାଚାଲାଣ ହେଉଥିବା ନଜିର ରହିଛି । ବାଲି ମାଫିଆ ମାନେ ପ୍ରଶାସନର ଆଖିରେ ଧୂଳିଛାଟି ପ୍ରତ୍ୟହ ରାତିରେ ଶହ ଶହ ହାଇୱା, ଟିପ୍ପର ଓ ଟ୍ରାକ୍ଟର ବାଲି ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ସକାଳେ ହିଞ୍ଜିଳି ଥାନା ତହଁର ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ବୋଝେଇ କରି ଚୋରାଚାଲାଣ କରୁଥିବା ବେଳେ ହିଞ୍ଜିଳି ପୁଲିସ ଏକ ଟ୍ରାକ୍ଟର (ଓଡି୦୭ଏଇ ୧୬୦୬)କୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୯୧୦/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଅତିରିକ୍ତ ଥାନା ଆଇଆଇସି ପଦ୍ମଚରଣ ଭଟ୍ଟଙ୍କ ସୂତ୍ରରୁ ପ୍ରକାଶ । ଆଗାମୀ ଦିନରେ ସ୍ଥାନୀୟ ଥାନା ଇଲାକାର ଘୋଡାହାଡ ଓ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ଗାଡି ମାଲିକ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି କହିଛନ୍ତି ।