ଏଆଇଟିୟୁସିର ୧୦୪ତମ ପ୍ରତିଷ୍ଠା ଦିବସ ସମାରୋହ

ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତବର୍ଷର ପ୍ରଥମ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଆଇଟିୟୁସିର ୧୦୪ତମ ପ୍ରତିଷ୍ଠା ଦିବସ ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ପାଳିତ ହୋଇଛି । ବାଲେଶ୍ୱର ସହରର ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନ ସମ୍ମୁଖରେ ପୂର୍ବାହ୍ନ ଦଶଟାରେ ଏଆଇଟିୟୁସିର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ପ୍ରତିଷ୍ଠା ଦିବସ ଅବସରରେ ଲାଲ୍ ପତାକା ଉତ୍ତୋଳନ କରିଥିଲେ । ପରାଧିନ ଭାରତବର୍ଷରେ ଗତ ୧୯୨୦ ମସିହା ଅକ୍ଟୋବର ୩୧ ତାରିଖ ଦିନ ବମ୍ବେ ସହରରେ ଏଆଇଟିୟୁସିର ଭିତ୍ତିସ୍ଥାପନ ହୋଇଥିଲା ବୋଲି ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପରାଧିନ ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନରେ ଏହି ଶ୍ରମିକ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ନିଜ ପେଟପାଟଣାର ଦାବି ସହ ବ୍ରିଟିଶ୍ ଶିଳ୍ପପତିମାନଙ୍କ ବିରୋଧରେ ଶ୍ରମିକ ଶ୍ରେଣୀ ମୁକ୍ତି ସଂଗ୍ରାମରେ ଯୋଗ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କୁ ବ୍ରିଟିଶ ସରକାରର ପୋଲିସ୍ ଗିରଫ କରିବା ପରେ ଏଆଇଟିୟୁସିର ଆହ୍ୱାନରେ ବମ୍ବେର ସମସ୍ତ କଳକାରଖାନାରେ ହୋଇଥିବା ଐତିହାସିକ ଧର୍ମଘଟ ବ୍ରିଟିଶ ବିରୋଧି ଆନ୍ଦୋଳନକୁ ତେଜିୟାନ କରିଥିଲା । ବାଧ୍ୟହୋଇ ବ୍ରିଟିଶ ପ୍ରଶାସନ ତିଲକଙ୍କୁ ମୁକ୍ତି ଦେଇଥିଲା । ପରାଧୀନ ଭାରତ ଓ ସ୍ୱାଧୀନତ ଭାରତରେ ମେହନତୀ ଜନଗଣଙ୍କ ସ୍ୱାର୍ଥରେ ଏଆଇଟିୟୁସିର ବହୁ ଗୌରବମୟ ସଂଗ୍ରାମ ଓ ତ୍ୟାଗ ଏଆଇଟିୟୁସିକୁ ଗୌରବାନ୍ୱିତ କରିଛି ବୋଲି ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଉପସ୍ଥିତ ସାଥୀମାନଙ୍କୁ ଅବଗତ କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସିର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନାଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନରୁ ସର୍ବଶ୍ରୀ ଶରତ ଚନ୍ଦ୍ର ଦଳାଇ, ଭରତ ଚନ୍ଦ୍ର ସେଠୀ, ଜତିନ୍ ପାତ୍ର, ଆଶୁତୋଷ ପରିଡ଼ା, ବନ୍ଦନା ପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ଭଗବାନ ମାଝୀ, ସେକ୍ ମାଲିକ ଓ ମନ୍ମଥ ପରିଡ଼ା ପ୍ରମୁଖ ଉପସ୍ଥିତ ଥବଲେ । ଆଜି ଅପରାହ୍ଣରେ ପ୍ରତିଷ୍ଠା ଦିବସ ସମାରୋହ ଓ ସାଧାରଣ ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ