ଏଇ ଓଡିଶାରେ ମଣିଷ ଯେଉଁଠି ନିଲାମ ହୁଏ… : ମାୟାଧର

ବ୍ୟାସନଗର, (ଯୁଗାବ୍ଦ ନ୍ୟୁଜ) : ଛାତି ଥରେଇଦେଲା ଭଳି ଏକ ଖବର ପ୍ରକାଶ ପାଇଛି । ସୁକିନ୍ଦା ଖଣି ନିକଟ କାମାକ୍ଷାନଗର ଜିରିଡାମାଳି ଗ୍ରାମର ଜେମା ଚାମ୍ପିଆ ଖଣ୍ଡେ ପିନ୍ଧାଲୁଗା ଓ ୧୦୦ ଟଙ୍କା ବଦଳରେ ଅକ୍ଟୋବର ୧୩ ତାରିଖରେ ଜନ୍ମକରିଥିବା ଶିଶୁପୁତ୍ରକୁ ବିକ୍ରି କରିଦେଇଛି । ଏହି ଆଦିବାସୀ ରମଣୀ ଜେମାର ସ୍ୱାମୀ ବାପୁନ୍‍ କିଛିଦିନତଳେ ଗିରଫହୋଇ କାମାକ୍ଷାନଗର ଜେଲରେ ବନ୍ଦୀଜୀବନ ଅତିବାହିତ କରୁଛି । ପତ୍ନୀ ଜେମା ନିଜର ଦୁଇଶିଶୁକୁ ଲାଳନପାଳନ କରିବାସହିତ କିପରି ସ୍ୱାମୀ ବାପୁନ୍‍କୁ କାରଗାରରୁ ମୁକୁଳାଇବା ଚିନ୍ତାରେ ଥିଲାବେଳେ କିଛିଦିନ ମଧ୍ୟରେ ତାର ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେ ଦୁଇଶିଶୁକୁ ଧରି ଜିରିଡାମାଳି ରେଙ୍ଗାଲୀ କେନାଲ ବସ୍ତିକୁ ଚାଲିଆସି କାମାକ୍ଷାନଗର ସହରର ଦୁଇ ନମ୍ବର ୱାର୍ଡରେ ଥିବା ଏକ ଅର୍ଦ୍ଧନିର୍ମିତ ଘରେ ଆଶ୍ରୟ ନେଇଥିଲା । ସେଠାରେ ୧୩ ତାରିଖ ଦିନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲା । ସ୍ୱାମୀଙ୍କ ବିନା ତିନି ତିନିଟା ପିଲାଙ୍କୁ ନେଇ କିପରି ସଂସାର ଚଳାଇବ ସେଇ ଚିନ୍ତାରେ ନିଜର ଜନ୍ମକଲା ପୁତ୍ରକୁ ଜଣକ ହାତରେ ଟେକିଦେଇଥିଲା କେବଳ ଖଣ୍ଡେ ପିନ୍ଧା ଶାଢୀ ଓ ୧୦୦ ଟଙ୍କା ବଦଳରେ । ଏହା ଏକ ହୃଦୟବିଦାରକ ଘଟଣାବୋଲି ବରିଷ୍ଠ ଶ୍ରମିକନେତା ପ୍ରେସ୍‍ ଇସ୍ତାହାରରେ ଲେଖିଛନ୍ତି । ଏ ୨୦୨୩ ମସିହା । କେନ୍ଦ୍ରରୁ ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ମାହାଳିଆ ଯୋଗାଇଦେଉଛନ୍ତି । ହେଲେ ଜେମା ଚାମ୍ପିଆ ସେଥିରୁ ବାଦ୍‍ ପଡିଲା କେମିତି ? ଆପଣମାନଙ୍କର ମନେଥିବ ୧୯୮୫ ମସିହା ତଳେ ବନିତା ପୋଢୋ ୧୩ବର୍ଷ ବୟସରେ ଗୋଟିଏ ଶାଢୀ ଓ ୪୦ ଟଙ୍କା ବିନିମୟରେ ବିକ୍ରି ହୋଇଥିଲା । ସମଗ୍ର ଦେଶପାଇଁ ସେ ସମୟର କଳାହାଣ୍ଡିର ଉତ୍ପୀଡକ ଦାରିଦ୍ର‌୍ୟ ଓ ସରକାରୀ ଉଦାସିନତାର ଏକ ଜୀବନ୍ତ ବିଜ୍ଞାପନ । ବନିତାକୁ ଅତିବେଶିରେ ୧୪ବର୍ଷ ହୋଇଥିଲା, ଯେତେବେଳେ ତା’ର ଭାଉଜ ଫ୍ରାନ୍‍ସ କୁଞ୍ଜି ଦାରିଦ୍ରର କଷାଘାତରେ ତା’ର ପିଲାମାନଙ୍କୁ ଖୋଇବାକୁ ଅସମର୍ଥ ଥିଲା – ସେତେବେଳେ ସେ ବନିତାକୁ ଜଣେ ଅନ୍ଧକୁ ବିକ୍ରି କରିଦେଇଥିଲା । ବନିତା କଳାହାଣ୍ଡି ଦୁର୍ଦ୍ଦଶାର ନିଚ୍ଛକ ନିଦର୍ଶନ । ଆପଣମାନେ ଜାଣନ୍ତି କି – ଭାରତ ଖାଦ୍ୟ ନିଗମକୁ ଓଡିଶାରୁ ଯେଉଁ ଶସ୍ୟ ଯାଉଥାଏ ତା’ର ଏକ ଚତୁର୍ଥାଂଶ କଳାହାଣ୍ଡିରୁ ହିଁ ଯାଇଥାଏ । ଶ୍ରୀ ନାୟକ କହିଛନ୍ତି – ୨୦୨୩ରେ ଏଇ ଓଡିଶାରେ ମଣିଷ ଯେଉଁଠି ନିଲାମ ହୁଏ, ସେଠି ମନୁଷ୍ୟତ୍ୱ ହଜିଯାଏ । ଆଜି ଜେମା ଚାମ୍ପିଆ ଖବର ପ୍ରକାଶ ପାଇଥିବାରୁ ସାରା ରାଜ୍ୟ ଓ ଦେଶରେ ଚହଳ ପଡିଯାଇଛି । ସେ କାମାକ୍ଷାନଗର ପାଖ ସୁକିନ୍ଦା ବ୍ଲକ୍‍ର ନଗଡାର ଆଦିବାସୀମାନଙ୍କ କାହାଣୀ ଶୁଣିଲେ ହୃଦୟ ଥରିଉଠେ । ଏସିଆ ମହାଦେଶର ୯୭ ଭାଗ ବହୁମୂଲ୍ୟ କ୍ରୋମାଇଟ୍‍ ଅଛି, ଯାହା ଓଡିଶା ରାଜକୋଷକୁ ଅଧା ରାଜସ୍ୱ ଦେଉଛି । ସେଇ ସୁକିନ୍ଦା ଅଞ୍ଚଳରେ ଖାଦ୍ୟ ଅଭାବରେ ଶିଶୁ ମରେ । ମଣିଷ ସେଠି ବିକଳାଙ୍ଗ ରୂପ ନିଏ । ଆମେ କିନ୍ତୁ ବାହାଃ ବାହାଃ ନେଉ ଆମ ସୁକିନ୍ଦା କେତେ ବଢିଆ କହି ବୁଲୁଛେ । ଏ ସମ୍ବାଦ ରାଜଧାନୀ ଭୁବନେଶ୍ୱରରେ ନିଶ୍ଚୟ ଶାସକ, ପ୍ରଶାସକଙ୍କ କାନରେ ପଡିଥିବ । କେବଳ ଜଣେ ଜେମା ଚାମ୍ପିଆ ନୁହେଁ – ଓଡିଶାରେ କେଉଁଠି କେଉଁଠି ଜେମା ଚାମ୍ପିଆମାନେ ଅଛନ୍ତି, କେଉଁ କେଉଁ ଜିଲ୍ଲାରେ ନଗଡା ଅଛି ବୁଦ୍ଧିଜୀବୀ, ସାମ୍ବାଦିକ, ସାମାଜିକ କର୍ମୀମାନେ ଖୋଜିଖୋଜି ପ୍ରକାଶ କରିବାପାଇଁ ଅନୁରୋଧ କରୁଛି । ଏ ହୃଦୟବିଦାରକ ସମସ୍ୟା କିଭଳି ସମାଧାନ କରାଯାଇପାରିବ ସେଥିପ୍ରତି ଶାସକ ଓ ପ୍ରଶାସକମାନେ ତୁରନ୍ତ ଦୃଷ୍ଟିଦେବା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ