ଏକପଦୀ ‘ପ୍ରୀତିଲତା’ ପାଠକାର୍ପିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ଭରତ ଚଦ୍ର ଦାଶଙ୍କ ଏକପଦୀ କବିତା ସଂକଳନ ‘ପ୍ରୀତିଲତା’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଫକୀରମୋହନ ସାହିତ୍ୟ ପରଷଦ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟର ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେରଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ନିଷ୍କାମ ପ୍ରେମ ଯନ୍ତ୍ରଣାରହିତ ଓ ବେଦଦାବିବର୍ଜିତ । ସମସ୍ତଙ୍କୁ ଆପଣାର କରିବାରେ କବିଟିଏ ପ୍ରେମିଳ ହୋଇଉଠେ । କବିତାର ସୌନ୍ଦର୍ଯ୍ୟବୋଧ ମଧ୍ୟରେ ଜୀବନ ଦର୍ଶନର ମାର୍ମିକ ଉପଲବ୍ଧି ଅନୁଭବ କରେ ବୋଲି ପ୍ରଫେସର ମେହେର ମତ ପ୍ରକାଶ କରିଥିଲେ । ରେମୁଣା ସାହିତ୍ୟ ସଂସଦର ସଂପାଦକ ତଥା ଗବେଷକ ଡ. ଭାଗବତ ପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏକପଦୀ କବିତା ସଂକଳନରେ ଜୀବନ ଦର୍ଶନ ସହ ପ୍ରେମ ଓ ଜୀବନବୋଧର ଭାଷା ରହିଛି ବୋଲି ମତ ଦେଇଥିଲେ । ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରିବା ସହିତ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ‘ପ୍ରଣୟ ବଲ୍ଲରୀ’ ସହ ‘ପ୍ରୀତିଲତା’ର ଆତ୍ମୀକ ସଂପର୍କ ରହିଛି ବୋଲି ମତ ଦେଇଥିଲେ । ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ତଥା ଗବେଷକ ଡ. ଶିରୀଶ ଚନ୍ଦ୍ର ଜେନା ଏଥିରେ ସମୀକ୍ଷକ ଭାବେ ଯୋଗ ଦେଇ ଏହି ପୁସ୍ତକ ପାଠକୀୟ ଆଦୃତି ପାଇବା ନେଇ ଆଶା ପ୍ରକାଶ କରିଥିଲେ । ନିଜର ଲେଖକୀୟ ଅଭିବ୍ୟକ୍ତିରେ କବି ଶ୍ରୀ ଦାଶ ତାଙ୍କର କବି ଜୀବନର ସାର୍ଥକତା ପାଇଁ ପାଠକମାନଙ୍କର ପ୍ରେରଣା ଓ ଭଲପାଇବା ହିଁ ଦାୟୀ ବୋଲି କହିଥିଲେ । ପରିଷଦର ସମ୍ପାଦକ ଦୀପକ ବୋଷ ପ୍ରାକ୍ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କବିପତ୍ନୀ ଗାୟତ୍ରୀ ଦାଶ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ । ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆମନ୍ତ୍ରଣ ଓ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ପରିଷଦର ଆଜୀବନ ସଦସ୍ୟ ସ୍ୱର୍ଗତ ବିଶ୍ୱନାଥ ରଣାଙ୍କ ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅରୁଣା ରାୟ, ନିବାରଣ ଜେନା, ଦୀନବନ୍ଧୁ ଲେଙ୍କା, ଜ୍ୟୋତ୍ସ୍ନା ରାୟ, ଶରତ କୁମାର ମହାପାତ୍ର, ରମାକାନ୍ତ ମହାନ୍ତି, ନାରାୟଣ ଚନ୍ଦ୍ର ପ୍ରଧାନ, ବାସନ୍ତୀ କର, ବେଣୁଧର ସାହୁ, ଚିତ୍ରାରାଣୀ ପାତ୍ର, ପ୍ରଣତି ମହାପାତ୍ର, ସୁବ୍ରତା ମହାନ୍ତି, କୃଷ୍ଣଚନ୍ଦ୍ର ସାହୁ, ନିରଞ୍ଜନ ସାହୁ, ତୃପ୍ତିରାଣୀ ପାତ୍ର, ତାନଶ୍ରୀ ପାଣିଗ୍ରାହୀ, ଦେବାଶିଷ ସିଂହ, ବିଦ୍ୟାଧର ସାହୁ, ମଧୁସୂଦନ ମାଝୀ, ଜ୍ୟୋତି ମହାଳିକ, ସ୍ୱୟମ୍ଭୁ ଯାଜ୍ଞବଳ୍କ ଦାଶ, ବାସନ୍ତୀ ଦେ, ପ୍ରୀତିଲେଖା ଦାସ, ଅମ୍ବୁଜ କୁମାର ଦାସ, ଯୋଗେଶ ପ୍ରଧାନ, କରୁଣାକର ସ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ ।


