ଏକ ମାତ୍ର ପୁଅର ହାତ ଗୋଡରେ ବେଡି
ନାଉଗାଁ, (ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଲଣା ପଂଚାୟତସ୍ଥିତ ଅଲଣା ଗ୍ରାମର ରମେଶ ଗୋଛାୟତଙ୍କ ଏକମାତ୍ର ପୁଅ ମାନସିକ ବିକାରଗ୍ରସ୍ତ ଯୋଗୁ ବାହାରକୁ ପଳାଇ ଯାଉଥିବାରୁ ପରିବାର ପକ୍ଷରୁ ହାତଗୋଡ ବାନ୍ଧି ଦିଆଯାଇଥିବା ଦେଖିବାକୁ ମିଳୁଛି । ସୂଚନା ମୁତାବକ ରମେଶଙ୍କ ପରିବାର କହିଲେ ପତ୍ନୀ ଅଂଜନା,ଏକମାତ୍ର ପୁଅ ରାଜେଶ ସହିତ ଦୁଇ ଝିଅ । ରାଜେଶ ବଡ ହୋଇଥିବା ବେଳେ ଦୁଇ ଝିଅ ସାନ । ରମେଶର ରୋଜଗାର କହିଲେ ବାଉଁଶରେ ସାମଗ୍ରୀ ତିଆରି କରି ବିକ୍ରୟ କରିବା । ଏଥିରୁ ଯାହା କିଛି ରୋଜଗାର ହୁଏ ପରିବାର ଦୁଃଖକଷ୍ଟରେ ଚଳି ଯାଏ । ହାଠତ ରମେଶଙ୍କ ପରିବାର ଉପରେ କଳା ବାଦଲ ଘୋଟି ଯାଇଥିଲା । ପୁଅ ରାଜେଶ ବୟସ ୧୪ ହୋଇଥିବା ବେଳେ ସପ୍ତମ ଶ୍ରେଣୀ ପଡୁଥିଲା । ସେହି ସମୟରେ ରାଜେଶ ହଠାତ ମାନସିକ ଭାରସ୍ୟାମ ହରାଇ ବସିଥିଲା । ଯାହାଫଳରେ ରାଜେଶ ଘରେ ନ ରହି ବାହାରେ ବୁଲିବୁଲି କରିବାକୁ ଲାଗିଲା । ପରିବାର ପକ୍ଷରୁ ରାଜେଶର ଚିକିତ୍ସା ଲାଗି କଟକ ବଡ ମେଡିକାଲରେ ଭର୍ତି କରିଥିଲେ । ହେଲେ କିଛି ସୁଫଳ ମିଳି ନଥିଲା । ପାଖରେ ଅଧିକ ଧନ ନଥିବାରୁ ଚିକିତ୍ସାରେ ବାଧକ ସାଜିଥିଲା । ହେଲେ ପୁଅ କାଳେ ବାହାରକୁ ବୁଲାବୁଲି କରିବାକୁ ପଳାଇବ, ସେହି ଭୟରେ ଘରେ ପୁଅର ହାତ ଗୋଡ ବାନ୍ଧି ରଖିବାକୁ ପଡିଥିଲା । ଏହି ବେଡି ଆଜକୁ ୧୦ବର୍ଷ ହେଲା ପଡି ଆସୁଛୁ ବୋଲି ରାଜେଶର ମାଆ ଅଂଜନା କହିଛନ୍ତି । ଏପରିକି ପୁଅର ଭଲ ମନ୍ଦ ବୁଝିବା ପାଇଁ ଘରେ ଜଗି ରହିବାକୁ ପଡୁଛି । ସ୍ୱାମୀଙ୍କୁ ତାଙ୍କ କାର୍ଯ୍ୟରେ ସହଯୋଗ କରି ପାରୁନଥିବାରୁ ପରିବାର ଚଳାଇବାରେ ବହୁତ କଷ୍ଟ ହେଉଛି । ଅନ୍ୟପଟରେ ରାଜେଶକୁ ୨୪ ବର୍ଷ ପୁରିଯାଇଥିଲେ ମଧ୍ୟ ମାନସିକ ଭାରସ୍ୟାମ ହରାଇଥିବାରୁ ଆଧାର କାର୍ଡ ଉଠି ପାରିନାହିଁ । ଫଳରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାରେ ଅସୁବିଧା ହେଉଛି । ପ୍ରଶାସନ ପକ୍ଷରୁ ରାଜେଶକୁ ଭିନ୍ନକ୍ଷମ ପ୍ରମାଣ ପତ୍ର ସହିତ ଭତା ଯୋଗାଇ ଦେବା ସହିତ ଉନ୍ନତ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା କରାଇବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।
ଗଳଦାରୀ-ଦେବୀଦୋଳ ସେତୁକୁ ବିପଦ ବେଆଇନ ବାଲି ଚାଲାଣ