ଏଚ୍ଏସ୍ଟିଡି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁ୍ଜ୍): ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ର ଅନ୍ତର୍ଗତ ଧାମରାଠାରେ ଥିବା ଅବ୍ଦୁଲ କାଲାମ ଦ୍ୱାପର ୪ନଂ ପଞ୍ଚପ୍ୟାଡରୁ ବୁଧବାର ପୂର୍ବାହ୍ନ ୧୧ଟା ୨୭ ମିନିଟ୍ ସମୟରେ ଏଚ୍.ଏସ୍.ଟି.ଡି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଯାଇଛି । ଏହ ପରୀକ୍ଷା ପାଇଁ ଡିଆରଡିଓ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ୨୦୦୪ ମସିହାରେ ପ୍ରସ୍ତୁତ କରାଯାଇଥିବା ଏଚ୍.ଏସ୍.ଟି.ଡି କ୍ଷେପଣାସ୍ତ୍ରକୁ ପରୀକ୍ଷାଗାର ମଧ୍ୟରେ ୨୦୧୭ ମସିହାରେ ଦୁଇଥର ସଫଳତାର ସହିତ ପରୀକ୍ଷା କରାଯାଇଥିଲା । ଭାରତରେ ପ୍ରଥମଥର ପାଇଁ ଏଚ୍.ଏସ୍.ଟି.ଡିର ଉଡାଣ ପରୀକ୍ଷା କରୁଥିବାରୁ ଡିଆରଡିଓ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହି କ୍ଷେପଣାସ୍ତ୍ର ୨୦ ସେକେଣ୍ଡ ମଧ୍ୟରେ ବାୟୁମଣ୍ଡଳରେ ୩୨.୫ କି.ମି ଉଚ୍ଚତାରେ ପହଞ୍ଚି ଘଣ୍ଟା ପ୍ରତି ୭୯୬୨ କି.ମି ବେଗରେ ଗତି କରିବାର କ୍ଷମତା ରହିଛି । ଏହାର ଲମ୍ବ ୫.୬ ମିଟର । ଏଥିରେ ହାଇଡ୍ରୋଜେନ୍ ଓ କିରୋସିନିକୁ ଇନ୍ଧନଭାବେ ବ୍ୟବହାର କରାଯାଇଛି । ଏହି କ୍ଷେପଣାସ୍ତ୍ର ଏସ୍ ସି ଆର୍ ଏ ଏମ୍ ଜେଟ୍ ଇଞ୍ଜିନ ବ୍ୟବହାର କରାଯାଇଥିବାରୁ ବେଗକୁ ହାଇପରସୋନିକ ପର୍ଯ୍ୟନ୍ତ ପହଞ୍ଚାଇପାରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଭବିଷ୍ୟତରେ ଏହି କ୍ଷେପଣାସ୍ତ୍ରକୁ କମ୍ ଖର୍ଚ୍ଚରେ ଭାରତ ମହାକାଶକୁ ସାଟେଲାଇଟ୍ ପଠାଇବା ଓ ହାଇପରସୋନିକ କ୍ଷେପଣାସ୍ତ୍ର ବ୍ୟବହାର କରିବାର ଲକ୍ଷ୍ୟ ରହିଛି । ଏହି ପରୀକ୍ଷା ସମୟରେ ଆଇ.ଟି.ଆରର ବହୁ ବୈଜ୍ଞାନିକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।