ଏଟିଏମ୍ ଅଚଳ: ପର୍ଯ୍ୟଟକ, ଗ୍ରାହକ ହନ୍ତସନ୍ତ
ପୁରୀ(ଜୁଗାବ୍ଦ ନ୍ୟୁଜ୍): ବାତ୍ୟାର ୩୮ ଦିନ ପରେ ସହରରେ ସାମାନ୍ୟ ସ୍ୱାଭାବିକ ପରିସ୍ଥିତି ଆସିଥିଲେ ବି ଆଜିସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ ଏଟିଏମ୍ କାଉଣ୍ଟର । ଫଳରେ ପର୍ଯ୍ୟଟକ ଓ ସ୍ଥାନୀୟ ଗ୍ରାହକ ହନ୍ତସନ୍ତ ହେଉଛନ୍ତି । ଏପରିକି ଜଣେ ଗ୍ରାହକଙ୍କର ଜରୁରୀ ଟଙ୍କା ଆବଶ୍ୟକତା ଥିବାରୁ ସେ ସହରରେ ଥିବା ଶତାଧିକ ଏଟିଏମ୍ କାଉଣ୍ଟର ବୁଲିଥିଲେ ବି ଟଙ୍କା ଉଠାଇ ପାରିନଥିଲେ । କେଉଁ ସ୍ଥାନରେ ଏଟିଏମ୍ ଖୋଲାଯାଇଥିଲା ବେଳେ ମେଶିନ୍ କାର୍ଯ୍ୟ କରୁନାହିଁ ତ ଆଉ କେଉଁଠି ଆଜି ପର୍ଯ୍ୟନ୍ତ କବାଟ ଖୋଲା ହୋଇନାହିଁ । ପୁରୀ- କୋଣାର୍କ ମେରାଇନ୍ ରାସ୍ତାର ବାଲିଘାଟ ଛକ ନିକଟବର୍ତ୍ତିୀରେ ଲଗାତର ତିନୋଟି ବ୍ୟାଙ୍କର ଏଟିମଏ୍ କାଉଣ୍ଟର ଥିଲେ ବି ସେଗୁଡ଼ିକ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ । ବାତ୍ୟା ପରଠାରୁ ଅଚ ହୋଇ ପଡିରହିଛି । ହେଲେ ଘଟଣାସ୍ଥଳକୁ କୌଣସି ବ୍ୟାଙ୍କ୍ କର୍ମଚାରୀ ମଧ୍ୟ ଆସୁନାହାନ୍ତି । ଯାହାଫଳରେ ଲୋକମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ।
ଅନ୍ୟପକ୍ଷରେ ସହରର ସମୁଦ୍ରକୂଳ ଭାରତୀୟ ଷ୍ଟେଟ୍ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ଏଟିଏମ୍ କାର୍ଯ୍ୟ କରୁଥିବାରୁ ସେଠାରେ ଦୀର୍ଘ ସମୟ ଧରି ଠିଆ ହୋଇ ଟଙ୍କା ଉଠାଇବାକୁ ପଡ଼ୁଛି । ବାତ୍ୟା ପରେ ସହରରେ ଥିବା ସମସ୍ତ ଏଟିଏମ୍ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରାଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ବୈଠକରେ କହିଥିଲେ । ଏହା ଭିତରେ ଅନେକ ଦିନ ବିତି ଯାଇଥିଲେ ବି ସହରରେ ଏଟିଏମ୍ ସେବା ସ୍ୱାଭାବିକ ହୋଇପାରିନାହିଁ । ଆଉମାତ୍ର ଅଳ୍ପଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଏବେ ପର୍ଯ୍ୟଟକ ପୁରୀମୁହାଁ ହୋଇଥିଲା ବେଳେ ସହରର ସ୍ଥିତି ସଙ୍ଗୀନ୍ । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି ସମସ୍ତ ଏଟିଏମ୍ କାଉଣ୍ଟର ମରାମତି ଚାଲିଛି । ରଥଯାତ୍ରା ପୂର୍ବରୁ ଶେଷ ହୋଇଯିବ । ଖୁବ୍ଶୀଘ୍ର ସମସ୍ତ ଏଟିଏମ୍ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ।