ଏଡିଏମଙ୍କ ସ୍ୱାକ୍ଷରକୁ ଜାଲ କରି ମହିଳା କଲେଜରେ ନିଯୁକ୍ତି ପ୍ରଦାନ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱାକ୍ଷରକୁ ଜାଲ କରାଯାଇ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ଘଟଣାକୁ ନେଇ ବୁଧବାର ଅପରାହ୍ନରେ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି ଓ ସାମାଜିକ କର୍ମୀ ଅମରବର ବିଶ୍ୱାଳ ଯୋଗଦେଇ କହିଥିଲେ ଯେ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟଟି ଯୁବତୀ ଓ ମହିଳାଙ୍କ ଶିକ୍ଷାଦାନ ପାଇଁ ଏକ ମହତ ଉଦେଶ୍ୟରେ ସ୍ଥାପନ କରାଯାଇଥିଲା । କିନ୍ତୁ ଗତ କିଛି ବର୍ଷ ହେବ ସେହି ଶିକ୍ଷାନୁଷ୍ଠାନରେ ନିଯୁକ୍ତିରେ ଜାଲିଆତି, ଦୁର୍ନୀତି ଓ ଅନିୟମିତତା ଯୋଗୁଁ ତାହା ବିବାଦ ସ୍ଥଳରେ ପରିଣତ ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଥିଲେ ଯେ କେନ୍ଦ୍ରାପଡାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ପଣ୍ଡାଙ୍କ ସ୍ୱାକ୍ଷରକୁ ଜାଲ କରାଯାଇ ସେହି କଲେଜରେ କେତେକ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାଇ ଏଡିଏମ ଶ୍ରୀ ପଣ୍ଡା ଗତ ୩୧.୦୫. ୨୦୧୩ରିଖରେ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ପଦରୁ ଭାରମୁକ୍ତ ହୋଇଥିବା ବେଳେ ଗତ ତା ୧୦.୦୬.୨୦୧୩ରିଖରେ ପଟ୍ଟାମୁଣ୍ଡାଇ ମହିଳା କଲେଜ ପରିଚାଳନା କମିଟି ବୈଠକ ରେଜୁଲେସନରେ ସଭାପତି ଭାବେ ତାଙ୍କ ସ୍ୱାକ୍ଷରକୁ ଜାଲ କରାଯାଇ କେତେକ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ସେହି କଲେଜରେ ନିଯୁକ୍ତି ପ୍ରଦାନ କରାଯାଇଛି । ଏତଦବ୍ୟତିତ କଲେଜ କତ୍ତୃପକ୍ଷ କେତେକ ବିଭାଗରେ ଅଧ୍ୟାପକ ନିଯୁକ୍ତି ପାଇଁ ଗତ ତା ୧.୦୮.୨୦୧୩ରିଖରେ ଏକ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରିଥିଲେ । ସେହି ଅନୁଯାଇ କଲେଜର ଇତିହାସ ବିଭାଗରେ ବନ୍ଦନା ରାଉତଙ୍କୁ ଅଧ୍ୟାପିକା ଭାବେ ନିଯୁକ୍ତି ପ୍ରଦାନ କରାଯାଇ ଗତ ୧୪.୦୮.୨୦୧୩ରୁ ସେ ଦରମା ନେଇଥିବା ଦର୍ଶାଯାଇଥିବା ବେଳେ ଏହାର ଦୁଇବର୍ଷ ପରେ ଅର୍ଥାତ ଗତ ୧୭.୦୭. ୨୦୧୫ରିଖରେ ଅଧ୍ୟାପକ ଭାବେ ରମେଶ ଦେଠିଙ୍କୁ ଗତ ୧୪.୦୮.୧୩ରିଖରୁ ପିଛିଲା ଭାବେ ନିଯୁକ୍ତି ଦିଆଯାଇଥିବା ଦର୍ଶାଯାଇଛି । ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦେଶକଙ୍କୁ ଗତ ୨୪. ୮.୨୦୧୩ରିଖରେ ତତକାଳୀନ କଲେଜ ଅଧ୍ୟକ୍ଷ ପ୍ରଦତ୍ତ ସତ୍ୟପାଠରେ କଲେଜ ଇତିହାସ ବିଭାଗରେ ଅଧ୍ୟାପିକା ବନ୍ଦନା ରାଉତ ଏକମାତ୍ର ଅଧ୍ୟାପିକା ଥିବା ଦର୍ଶାଇଥିଲେ । ତେଣୁ ସେହି ବିଭାଗରେ ଅଧ୍ୟାପକ ଶ୍ରୀ ଦେଠିଙ୍କ ନିଯୁକ୍ତି ସଂପୂର୍ଣ୍ଣ ଜାଲିଆତି ବୋଲି ଅଭିଯୋଗ ହୋଇଛି । ଓଡିଶା ବିଧାନ ସଭାରେ ପ୍ରଶ୍ନ ନଂ- ୧୫୯୪/୨୦୧୪ରେ ଏନେଇ ପ୍ରଶ୍ନ ଉଠିଥିବା ବେଳେ ତତକାଳୀନ କଲେଜ ଅଧ୍ୟକ୍ଷ ଉତ୍ତର ଦେଇଥିଲେ ଯେ କଲେଜ ଇତିହାସ ବିଭାଗରେ ଜଣେମାତ୍ର ଅଧ୍ୟାପିକା ବନ୍ଦନା ରାଉତ ଅଛନ୍ତି ବୋଲି । ବର୍ତ୍ତମାନର କଲେଜ ଅଧ୍ୟକ୍ଷ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପୂର୍ବତନ ଷ୍ଟେନୋ ଏହି ନିଯୁକ୍ତି ଜାଲିଆତିର ସମସ୍ତ ରେକର୍ଡକୁ ନଷ୍ଟ କରିଦେବା ପାଇଁ ଚେଷ୍ଟା କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଏସବୁ ଘଟଣାକୁ ନେଇ ସେହି କଲେଜରେ ହୋଇଥିବା ନିଯୁକ୍ତି ଜାଲିଆତି ଓ ଦୁର୍ନୀତିର ବିଧିବଦ୍ଧ ତଦନ୍ତ କରାଯିବାକୁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରି ଉଭୟ ସୂଚନା ଅଧିକାର କର୍ମୀ ଶ୍ରୀ ମହାନ୍ତି ଓ ସାମାଜିକ କର୍ମୀ ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ