ଏଣିକି ଏସଏମଏସ ଜରିଆରେ ଜିଏସଟି ରିଟର୍ଣ୍ଣ ଦାଖଲ ହେବେ
ନୂଆଦିଲ୍ଲୀ : ଟିକସଦାତାମାନଙ୍କୁ ଅଧିକ ସୁବିଧା ଦେବା ସକାଶେ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଷୋମବାର ଏସଏମଏସ ଜରିଆରେ ଫର୍ମ ଜିଏସଟିଆର-୩ବିରେ ମାସିକ ନିଲ ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ସୁବିଧାକୁ କାର୍ଯ୍ୟକାରୀ କରାଯାଇଛି । ଏହା ୨୨ଲକ୍ଷରୁ ଅଧିକ ପଞ୍ଜିକୃତ ଟିକସଦାତାମାନଙ୍କ ପାଇଁ ସହଜ ଜିଏସଟି ଅନୁପାଳନରେ ସୁଧାର ଆଣିବ । ଏମାନଙ୍କୁ ପୂର୍ବରୁ ସାଧାରଣ ପୋର୍ଟାଲରେ ଥିବା ସେମାନଙ୍କ ଆକାଉଣ୍ଟରେ ଲଗଇନ କରି ପ୍ରତିମାସରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ୁଥିଲା। ବର୍ତ୍ତମାନ ନିଲ ଅର୍ଥାତ ଆଦୌ କୌଣସି ଦେୟତା ନଥିବା କ୍ଷେତ୍ରରେ ଏହି ଟିକସଦାତାମାନେ ଏସଏମଏସ ଜରିଆରେ ସେମାନଙ୍କୁ ନିଲ ରିଟର୍ଣ୍ଣ ଦାଖଲ କରିପାରିବେ ଓ ଏଥିପାଇଁ ସେମାନଙ୍କୁ ଜିଏସଟି ପୋର୍ଟାଲରେ ଲଗଇନ କରିବାକୁ ପଡ଼ିବ ନାହିଁ। ଏହି ଉଦ୍ଦେଶ୍ୟ ପୂରଣ ନିମନ୍ତେ, ଏସଏମଏସ ଜରିଆରେ ନିଲ ଫର୍ମ ଜିଏସଟିଆର-୩ବି ଦାଖଲ କରିବାର ସୁବିଧାକୁ ତତ୍କାଳ ପ୍ରଭାବରେ ଜିଏସଟିଏନ ପୋର୍ଟାଲରେ ଉପଲବ୍ଧ କରାଯାଇଛି। ଜିଏସଟିଏନ ପୋର୍ଟାଲରେ ନିଜସ୍ବ ଜିଏସଟିଏନ ଆକାଉଣ୍ଟରେ ଲଗଇନ କରି ଏବଂ ସର୍ଭିସେସ>ରିଟର୍ଣ୍ଣ> ଟ୍ରାକ ରିଟର୍ଣ୍ଣ ଷ୍ଟାଟସକୁ ଯାଇ ଦାଖଲ କରାଯାଇଥିବା ରିଟର୍ଣ୍ଣର ସ୍ଥିତି ଜାଣିହେବ ।


