ଏନକାଉଣ୍ଟରରେ ହିଜବୁଲ୍ କମାଣ୍ଡର୍ ନିହତ
ଶ୍ରୀନଗର: ମଙ୍ଗଳବାର ରାତିରୁ ପୁଲୱାମା ଜିଲ୍ଲାର ଅବନ୍ତିପୋରା ଅଞ୍ଚଳରେ ଭାରତୀୟ ସୁରକ୍ଷାକର୍ମୀଙ୍କର ଆତଙ୍କବାଦୀମାନଙ୍କ ସହ ଏନକାଉଣ୍ଟର୍ ଆରମ୍ଭ ହୋଇଥିବା ବେଳେ ଏହା ବୁଧବାର ପୂର୍ବାହ୍ନରେ ଶେଷ ହୋଇଛି। ତେବେ ଏହି ଏନକାଉଣ୍ଟରରେ କଶ୍ମୀରରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ଶୀର୍ଷ କମାଣ୍ଡର୍ ରିୟାଜ୍ ନାଇକୁ ନିହତ ହୋଇଛି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ କେତେକ ଲୋକ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜମ୍ମୁ-କଶ୍ମୀର ପୋଲିସ୍ ସହ ଆଲୋଚନା କରାଯାଇଛି ଓ ଡିଜି ଦିଲବାଗ୍ ସିଂହ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି। ଏହି ଏନକାଉଣ୍ଟର୍ କାରଣରୁ ଘରୋଇ ଅପରେଟରମାନେ ମୋବାଇଲ୍ ସେବାକୁ ସାମୟିକ ବନ୍ଦ କରିଥିଲେ। ଏହାଛଡ଼ା ସମଗ୍ର ଉପତ୍ୟକାରେ ଇଣ୍ଟରନେଟକୁ ମଧ୍ୟ ବନ୍ଦ ରଖାଯାଇଥିଲା। ପାଖାପାଖି ୮ ବର୍ଷ ଧରି କଶ୍ମୀରରେ ଉପଦ୍ରବ ଚଳାଇଥିବା ରିୟାଜକୁ ଶେଷରେ ସେନାବାହିନୀ ଗୁଳିରେ ନିହତ ହେବାକୁ ପଡ଼ିଛି। ତେବେ ଏନକାଉଣ୍ଟରରେ ରିୟାଜ ମୃତ୍ୟୁବରଣ କରିବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼ କରିଥିବା ଜଣାପଡ଼ିଛି। କିନ୍ତୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରାଯାଇପାରିଥିବା ସିଂହ କହିଛନ୍ତି। ପୂର୍ବରୁ ରିୟାଜ୍ ସମ୍ପର୍କରେ ସୂଚନା ଦେବା ସକାଶେ ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମହମ୍ମଦ ୟାସିନ ଇଟୁ ପ୍ରାଣ ହରାଇବା ପରେ ରିୟାଜ୍ ହିଜବୁଲର ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲା। ପୂର୍ବରୁ ୨୦୧୬ରେ ବୁରହାନ୍ ୱାନି ମୃତ୍ୟୁବରଣ କରିବା ପରେ ୟାସିନ୍ କମାଣ୍ଡର୍ ହୋଇଥିଲା। ୱାନିକୁ କଶ୍ମୀର ଉପତ୍ୟକାରେ ହିଜବୁଲର ପ୍ରମୁଖ ସଦସ୍ୟ ଭାବେ ବିବେଚନା କରାଯାଉଥିଲେ ମଧ୍ୟ ରିୟାଜ୍ ସ୍ଥାନୀୟ ଯୁବକମାନଙ୍କୁ ହିଜବୁଲରେ ସାମିଲ୍ କରିବା କ୍ଷେତ୍ରରେ ବେଶ୍ ସଫଳ ରହିଥିଲା। ୱାନି ପ୍ରାଣ ହରାଇବାର କେଇ ଦିନ ପରେ ୟାସିନ୍ ମଧ୍ୟ ପ୍ରାଣ ହରାଇଥିଲା। ପୂର୍ବରୁ ମଙ୍ଗଳବାର ରାତିରେ ରିୟାଜ୍ ତା’ର ଜନ୍ମସ୍ଥାନ ବେଗପୋରାଠାରେ ତା’ର ୨/୩ ଜଣ ସହଯୋଗୀଙ୍କ ସହ ଲୁଚିଥିବା ଖବର ପାଇବା ପରେ ସିଆରପିଏଫ୍, ଜମ୍ମୁ-କଶ୍ମୀର ପୋଲିସ୍, ସେନାର ୫୫ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ମିଳିତ ଭାବେ ଚଢ଼ାଉ କରିଥିଲେ।