ଏନ୍ଜିଟି ନିର୍ଦ୍ଦେଶ କ୍ରମେ ୪ ଜଣିଆ କମିଟି ତାମ୍ପରା ସୌନ୍ଦର୍ଯ୍ୟୀକରଣ ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ନିକଟରେ ରହିଥିବା ଇକୋଟୁରିଜିମ୍ ତାମ୍ପରା ହ୍ରଦର ସୌନ୍ଦର୍ଯ୍ୟୀକରଣ ନିମନ୍ତେ ପ୍ରକଳ୍ପ କାମ ଚାଲୁ ରହିଥିଲା । ହେଲେ ତାମ୍ପରା ହ୍ରଦ ଭିତରେ ଚାଲିଥିବା ବେଆଇନ ନିର୍ମାଣ ସଂପର୍କିତ ପିଟିସନ୍ର ଶୁଣାଣି କରି ଗତ ଅଗଷ୍ଟ ମାସ ୧୧ ତାରିଖରେ ଏନ୍ଜିଟି (ନ୍ୟାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍) ତାମ୍ପରା ହ୍ରଦରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ୪ ଜଣିଆ କମିଟି ଗଠନ କରି ୪ ସପ୍ତାହ ମଧ୍ୟରେ କମିଟି ପକ୍ଷରୁ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଏନ୍ଜିଟି ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର କମିଟିର କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଳାୟର ବରିଷ୍ଠ ବୈଜ୍ଞାନିକ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ବରିଷ୍ଠ ବୈଜ୍ଞାନିକ ତଥା ରାଜ୍ୟ ଆର୍ଦ୍ରଭୂମି କର୍ତ୍ତୃପକ୍ଷର ସମ୍ପାଦକ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଛତ୍ରପୁର ଗସ୍ତ କରିଛନ୍ତି । ପ୍ରଥମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଡିଏଫ୍ଓ ସନି ଖରଖର, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ବିଡିଏ ସଚିବ ସମ୍ବିତ୍ କୁମାର ରାଉତ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିନୋଦ କୁମାର ବେହେରା ,ଛତ୍ରପୁର ଭାରପ୍ରାପ୍ତ୍ ତହସିଲଦାର ସ୍ମୃତି ସୁଦର୍ଶନ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଏହି ୪ ଜଣିଆ କମିିଟି ଆଲୋଚନା କରିଥିଲେ । ପରେ ତାମ୍ପରା ହ୍ରଦରେ ନିର୍ମାଣ ହୋଇଥିବା ପ୍ରକଳ୍ପ କାମର ସ୍ଥିତି ଅନୁଧ୍ୟାନ କରିଛନ୍ତି ।ସୂଚନାନୁସାରେ, ଇକୋଟୁରିଜିମ୍ କ୍ଷେତ୍ରରେ ତାମ୍ପରା ହ୍ରଦ ଆନ୍ତର୍ଜାତୀୟସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହା ରାମସାର୍ ସାଇଟ୍ର ମାନ୍ୟତା ପାଇଛି । ପ୍ରାୟ ୩୩୭.୮୬ ହେକ୍ଟର କ୍ଷେତ୍ର ବିଶିଷ୍ଟ ତାମ୍ପରା ହ୍ରଦର ଲମ୍ବ ୫.୮ କିମି ରହିଥିବା ବେଳେ ଓସାର ୬୭୦ ମିଟର ରହିଛି । ଏହା ହେଉଛି ଓଡିଶାର ବୃହତ୍ତ ମଧୁରଜଳ ହ୍ରଦ । କିନ୍ତୁ ହ୍ରଦ ଭିତରେ ହେଉଥିବା ବେଆଇନ ନିର୍ମାଣ ଯୋଗୁଁ ଜଳାଶୟ ପ୍ରତି ବିପଦ ସୃଷ୍ଟି ହୋଇଛି । ଏଣୁ ଆର୍ଦ୍ରଭୂମି ସଂରକ୍ଷଣ ଓ ପରିଚାଳନା ନିୟମାବଳୀ-୨୦୧୭ ଧାରା ୪ ଅନୁସାରେ ତାମ୍ପରା ହ୍ରଦରେ କୌଣସି ପ୍ରକାର ବେଆଇନ ନିର୍ମାଣ ହୋଇପାରିବ ନାହିଁ ୱାଇଲ୍ଡ ଲାଇଫ୍ ସୋସାଇଟିର ଅଫ୍ ଓଡିଶାର ସମ୍ପାଦକ ବିଶ୍ୱଜିତ୍ ମହାନ୍ତି ଏନ୍ଜିଟିରେ ପିଟିସନ୍ ରୁଜୁ କରିଥିଲେ । ଏନ୍ଜିଟି ଏହି ପିଟିସନ୍ ଗ୍ରହଣ କରି ଶୁଣାଣି କରି ଅଗଷ୍ଟ ୧୧ ତାରିଖରେ ତାମ୍ପରା ହ୍ରଦରେ ଚାଲିଥିବା ପ୍ରକଳ୍ପ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ନିୟମ ଅନୁସାରେ ହ୍ରଦର କୂଳ ଠାରୁ ୫୦ ମିଟର୍ ସ୍ଥଳଭାଗ ଆଡକୁ କୌଣସି ସ୍ଥାୟୀ ପ୍ରକଳ୍ପ ନିର୍ମାଣ କରାଯାଇ ପାରିବ ନାହିଁ । କିନ୍ତୁ ତାମ୍ପରା ହ୍ରଦ ଭିତରେ ୩ ମହଲା କୋଠା ନିର୍ମାଣ କରାଯାଉଛି । ହ୍ରଦ ନିକଟରେ ବିଡିଏ ତରଫରୁ ମଧ୍ୟ କିଛି କ୍ୟାବିନ୍ ତିଆରି ଚାଲିଛି । ଯାହାକି ସଂପୂର୍ଣ୍ଣ ବେଆଇନ । ଭବିଷ୍ୟତରେ ଏହା ଜଳାଶୟ ପ୍ରତି ବିପଦ ସୃଷ୍ଟି କରିବା ସହିତ ପ୍ରଦୂଷଣ କାରଣ ସାଜିବ । ଏହି ନିର୍ମାଣ ଉପରେ ରୋକ୍ ଲଗାଇବା ପାଇଁ ପିଟିସନ୍ରେ ଉଲ୍ଲେଖ କରାଯାଇଥିଲା । ଏହି ପିଟିସନ୍ରେ ପର୍ଯ୍ୟଟନ ବିଭାଗ, ବ୍ରହ୍ମପୁର ଡିଏଫ୍ଓ, ବିଡିଏ କର୍ତ୍ତୃପକ୍ଷ, ଏଭଳି ପ୍ରାୟ ୧୫ଟି ବିଭାଗ ଓ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏନ୍ଜିଟି ନିର୍ଦ୍ଦେଶ କ୍ରମେ ଏହି ପିଟିସନ୍ରେ କରାଯାଇଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଏକ ୪ ଜଣିଆ କମିଟି ଗଠନ କରାଯାଇ ଆଜି ତାମ୍ପରା ହ୍ରଦର ନିର୍ମାଣ କାର୍ଯ୍ୟକୁ ତଦନ୍ତ କରିବା ପାଇଁ ଗସ୍ତ କରିଛନ୍ତି । ଏନଜିଟି ଙ୍କ ଆଦେଶ ପ୍ରକାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି କାମ କୁ ୧୨.୦୮.୨୦୨୩ ତାରିଖ ଠାରୁ ସ୍ଥଗିତ ରଖାଯାଇଅଛି ବୋଲି ଏକ ପୋଷ୍ଟର ସେଠାରେ ମରାଯାଇଛି ।


