ଏନ୍‌.ଓ.ସି. ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ପାରାଦୀପ, (ପୀତବାସ ପ୍ରଧାନ) :-ପାରାଦୀପ ଭଳି ଶିଳ୍ପ ସମୃଦ୍ଧ ସହରର ସୁରକ୍ଷା ପାଇଁ ପାରାଦୀପ ଆଦର୍ଶ ଥାନା, ପାରାଦୀପ ମେରାଇନ୍ ଥାନା, ଜଟାଧାର ମୁହାଣ ସାମୁ୍‌ଦ୍ରିକ ଥାନା, ପାରାଦୀପ ଲକ୍ ଥାନା, ଅଭୟଚାନ୍ଦପୁର ଥାନା ରହିଛି । ପ୍ରତ୍ୟେକ ଦିନ ଏହି ଥାନା ଅଂଚଳରେ ଛୋଟ ବଡ ଅପରାଧମାନ ଘଟୁଛି । ଘଟଣାର ଅଭିଯୁକ୍ତମାନଙ୍କୁ ପୋଲିସ୍ ଗିରଫ କରି ୨୦ କିଲୋମିଟର ଦୂର କୁଜଙ୍ଗର ଅଦାଲତ ଓ ୬୦ କିଲୋମିଟର ଦୂର ଜଗତସିଂହପୁର କୋର୍ଟରେ ହାଜର କରାଯାଉଛି । ଯାହାକି ସମୟ ସାପେକ୍ଷ ଓ ରାସ୍ତା ଭିଡ ରହୁଥିବାରୁ ଅନେକ ସମୟରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରିବାରେ ଅଯଥାରେ ସମୟ ନଷ୍ଠ ହେଉଛି । ଏସବୁକୁ ଦୃଷ୍ଟିରେ ରଖି ପାରାଦୀପରେ ଚିଫ୍ ଜୁଡିସିଆଲ୍ ମାଜଷ୍ଟ୍ରେଟ୍ (ସି.ଜେ.ଏମ୍‌) କୋର୍ଟ ଓ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍‌(ଜେ.ଏମ୍‌.ଏଫ.ସି) ଅଦାଲତ ସ୍ଥାପନ କରିବାକୁ ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ଏନ୍‌.ଓ.ସି.ଫାଉଣ୍ଡେସନ୍ ଦାବୀ କରିଛି । ଏ ମର୍ମରେ ପାରାଦୀପରେ କୋର୍ଟ ପ୍ରତିଷ୍ଠା ପାଇଁ ମଙ୍ଗଳବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପାରାଦୀପର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏନ୍‌.ଓ.ସି. ଫାଉଣ୍ଡେସନ୍‌ର ରାଜ୍ୟ ସଂଯୋଜିକା ଶୈଳେନ୍ଦ୍ରୀ ସେନାପତିଙ୍କ ନେତୃତ୍ୱରେ ସଙ୍ଗଠନର ସଦସ୍ୟମାନେ ପାରାଦୀପରେ ଅଦାଲତ ତୁରନ୍ତ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି । ଭାରତବର୍ଷର ସମସ୍ତ ବନ୍ଦରମାନଙ୍କରେ ବିଚାର ବିଭାଗୀୟ ଅଦାଳତ ରହିଛି । ବୃହତ୍ତ ବନ୍ଦର ଆଇନ୍ ଅନୁଯାୟୀ ଦେଶର ପ୍ରତ୍ୟେକ ବନ୍ଦରମାନଙ୍କରେ ବିଚାର ବିଭାଗୀୟ ଅଦାଲତ ରହିବା କଥା । ହେଲେ ଏହାର ଏକ ବିରଳ ବ୍ୟତିକ୍ରମ ସାଜିଛି ପାରାଦୀପ । ଦେଶର ସମସ୍ତ ପ୍ରମୁଖ ବନ୍ଦରମାନଙ୍କୁ ବିଭିନ୍ନ ଦେଶମାନଙ୍କରୁ ବିଦେଶୀ ନାଗରିକ ମାନେ ଆସିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଅପରାଧ ପ୍ରବଣ ବ୍ୟକ୍ତିମାନେ ଥାଆନ୍ତି । ସେମାନଙ୍କୁ ଗିରଫ କରାଯିବା ପରେ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍‌(ସି.ଜେ.ଏମ୍‌)ଙ୍କ କୋର୍ଟରେ ହାଜର କରାଯାଇଥାଏ । ପ୍ରକାଶଥାଉକି, ସରକାର ଓ ଦେଶର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଲୋକଙ୍କ ନିକଟରେ ଆଇନ୍ ସେବା ପହଂଚାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଫଳରେ ଆଇନଗତ ସେବା ପାଇବାରେ ଯେପରି ବିଳମ୍ବ ନହୁଏ ଏବଂ ଜନସାଧାରଣ ହଇରାଣର ସମ୍ମୁଖୀନ ନହୁଅନ୍ତି । ଏସବୁକୁ ଦେଖିଲେ ପାରାଦୀପ ଅଂଚଳର ଲୋକମାନେ ପାଖରେ ନ୍ୟାୟିକ ସେବା ପାଇବା ପାଇଁ ତୁରନ୍ତ ଏକ ଅଦାଲତ ଖୋଲାଯିବାର ଆବଶ୍ୟକତା ରକିଛି । ଏଣୁ ରାଜ୍ୟ ସରକାର ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପାରାଦୀପରେ ସି.ଜେ.ଏମ୍ କୋର୍ଟ ଓ ଜେ.ଏମ୍‌.ଏଫ.ସି, କୋର୍ଟ ତୁରନ୍ତ ସ୍ଥାପନ କରିବାକୁ ଫାଉଣ୍ଡେସନ୍ ପକ୍ଷରୁ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ