ଏନ.ଏସ.ଏସ.-୨ ପକ୍ଷରୁ ପୂଜା ସ୍ଵତନ୍ତ୍ର ଶିବିର ଉଦଘାଟିତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ସଂସ୍ଥା ( ଏନ.ଏସ.ଏସ ) ୟୁନିଟ ୨ ପକ୍ଷରୁ ଅକ୍ଟୋବର ୩ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ପୂଜା ସ୍ୱତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି। ପୋଷ୍ୟ ଗ୍ରାମ ଭାବେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ଗ୍ରାମ ପଞ୍ଚାୟତର ବରଡିପଲ୍ଲୀ ଗ୍ରାମକୁ ମନୋନୀତ କରାଯାଇଛି। ପୂଜା ସ୍ୱତନ୍ତ୍ର ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ପ୍ରଭଞ୍ଜନ ମୁନି ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ମୋ କଲେଜ ଅଭିଯାନର ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଡେମୋନେଷ୍ଟ୍ରେଟର ପ୍ରଦୀପ କୁମାର ପ୍ରଧାନ ଓ ସୁଶାନ୍ତ କୁମାର ଦାଶ ଯୋଗଦେଇଥିଲେ। ଜାତୀୟ ସେବା ସଂସ୍ଥା ୟୁନିଟ ୨ ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ରନାଥ ପୋଲାଇ ସପ୍ତାହ ବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏନ.ଏସ.ଏସ. ୧୯୬୯ ମସିହାରେ ସମାଜ ଓ ଗୋଷ୍ଠୀର ସେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା। ପରେ ଏହାକୁ ମହାବିଦ୍ୟାଳୟରେ ସଂଯୋଗ କରିଥିଲେ। ମହତ ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀ ବୃନ୍ଦ ସାମାଜିକ ଦାୟିତ୍ୱ ବହନ କରି ବିଶେଷ କରି ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା, ପରିଷ୍କାର, ପରିବେଶ ବିଷୟରେ ସେବା ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା। ପ୍ରଥମ ଦିବସରେ ଜାତୀୟ ସେବା ସଂସ୍ଥା ର ସ୍ବେଚ୍ଛାସେବୀ ବୃନ୍ଦ ବରଡିପଲ୍ଲୀ ଗ୍ରାମର ପ୍ରତ୍ୟେକ ପରିବାର ନିକଟକୁ ଯାଇ ସର୍ଭେ କରିଥିଲେ। ସାତ ଦିନ ବ୍ୟାପି ଏହି ସେବା କାର୍ଯ୍ୟ ଚାଲୁରହି ଅକ୍ଟୋବର ୦୯ ତାରିଖ ଦିନ ଉଦଯାପିତ ହେବ ବୋଲି ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ଶ୍ରୀ ପୋଲାଇ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ