ଏବେବି ବିକାଶ ଅପହଞ୍ଚ, କଚ୍ଚା ରାସ୍ତାରେ ଚାଲୁଛନ୍ତି ଲୋକେ

ବନ୍ତ(ଯୁଗାଦ୍ଧ ନିଜ୍ୟୁ) : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଗମନାଗମନ ଉପରେ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ସରକାରଙ୍କ ବିକାଶ ମୂଳକ ଯୋଜନାରୁ ଠାରୁ ବହୁ ଗ୍ରାମ୍ୟ ରାସ୍ତା ଏବେ ବି କଚ୍ଚା ରାସ୍ତା ହୋଇ ପଡି ରହିଛି । ଭଦ୍ରକ ଜିଲା ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଅଧିନ ବିଞ୍ଝା ଠାରୁ ସାହେବପୋଖରୀ ଆଦିବାସୀ ସାହି ପର୍ଯ୍ୟନ୍ତ ୨କିମି ଦୂରତ୍ୱ ବିଶିଷ୍ଟ ସମିତି ରାସ୍ତା ପ୍ରଶାସନିକ ଅବହେଳା ଯୋଗୁଁ କଚ୍ଚା ରାସ୍ତା ହୋଇପଡି ରହିଛି । ପୂର୍ବରୁ ବିଞ୍ଝା ଠାରୁ କୁମ୍ଭାରିଆ ଭାୟା ସାହେବପୋଖରୀ ୪କିମି ରାସ୍ତା ପଞ୍ଚାୟତ ସମିତି ଅଧିନରେ ଥିବା ବେଳେ ଗତ ୨୦୧୮ ମସିହାରେ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ହସ୍ତାନ୍ତର କରାଯିବା ନେଇ ଉଦ୍ୟମ କରାଯାଇଥିଲା । ମାତ୍ର ବିଞ୍ଝା ଠାରୁ କୁମ୍ଭାରିଆ ପର୍ଯ୍ୟନ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜ ହାତକୁ ନେବା ପରିବର୍ତ୍ତେ ବରପଦା ଠାରୁ କୁମ୍ଭାରିଆ ଭାୟା ସାହେବପୋଖରୀ ଆଦିବାସୀ ସାହି ୪କିମି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ହସ୍ତାନ୍ତର ହୋଇଥିଲା । ଫଳରେ ବିଞ୍ଝା ଠାରୁ ସାହେବପୋଖରୀ ଆଦିବାସୀ ସାହି ପର୍ଯ୍ୟନ୍ତ ୨ କିମି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନଯାଇ ପୂର୍ବଭଳି ଅବହେଳିତ ଅବସ୍ଥାରେ ପଡି ରହିଛି । ଫଳରେ ବିଞ୍ଝା, ନାଲପୁର, ଆଳମଙ୍ଗା ଆଦି ଗ୍ରାମର ଶତାଧିକ ଲୋକ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ରାସ୍ତା ଦେଇ ଉପରୋକ୍ତ ଗ୍ରାମର ପିଲା ମାନେ ନିକଟସ୍ଥ ବିଦ୍ୟାଳୟକୁ ଯିବାରେ ହଇରାଣ ହେଉଛନ୍ତି । ବର୍ଷା ଦିନେ ସଂପୃକ୍ତ ଗ୍ରାମକୁ ଆମ୍ବୁଲାନ୍ସଟିଏ ଯାଇ ପାରୁନଥିବା ବେଳେ ଅଗ୍ନିକାଣ୍ଡ ସମୟରେ ଦମକଳ ଗାଡି ଯିବାରେ ଅସୁବିଧା ହେଉଛି । ପ୍ରାୟ ୩୦ ବର୍ଷ ହେବ ଉକ୍ତ ରାସ୍ତାର ମରାମତି ହୋଇନାହିଁ । ଏପରିକି ମୋରମ ମୁଠାଏ ମଧ୍ୟ ପଡି ନାହିଁ । ଏସଂପର୍କରେ ଗ୍ରାମବାସୀ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ତେବେ ଉକ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ସହିତ ରାସ୍ତାର ଉନ୍ନତିକରଣ କରିବାକୁ ଗ୍ରାମର ବାବାଜି ଚରଣ ଦଳେଇ, ଗୌରାଙ୍ଗ ମହାକୁଡ, ହଳଧର ବାଇ, ଦୟାନିଧି ରାଉତ, ମାୟାଧର ମଲ୍ଲିକ, ନାରାୟଣ ଘଡେଇ, ବିଦ୍ୟାଧର ଧଳ, ୱାର୍ଡ ସଭ୍ୟ ମହେନ୍ଦ୍ର ଯେନା, ଧନେଶ୍ୱର ଯେନା, ଗୋଲକ ଦଳେଇ ପ୍ରମୁଖ ଦାବୀ କରିଛନ୍ତି । ଏସଂପର୍କରେ ସ୍ଥାନୀୟ ସମିତି ସଭ୍ୟା ଶଶୀଲତା ଭୂୟାଁଙ୍କୁ ପଚାରା ଯିବାରୁ ସେ କହିଥିଲେ ଯେ, ଏହି ରାସ୍ତାର ଉନ୍ନତିକରଣ ହେବା ନିହାତି ଦରକାର । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରାଯିବା ନେଇ ପୂର୍ବରୁ ସମିତି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତିଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇନଥିବାରୁ ତାହା କାର୍ଯ୍ୟକାରୀ ହୋଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ