ବଢୁଛି ତାତି, ପ୍ରହସନ ପାଲଟିଛି ଜଳଯୋଗାଣ ବ୍ୟବସ୍ଥା, ପାଇପ ବୋରିଂରେ ଅଟକିଛି ପାନୀୟ ଜଳ ଯେ।।ଗଣ ପ୍ରକଳ୍ପ କାର୍ଯ୍ୟ

ବନ୍ତ(ଯୁଗାଦ୍ଧ ନିଜ୍ୟୁ) : ରାଜ୍ୟ ସରକାର ଗ୍ରାମାଞ୍ଚଳର ସାଧାରଣ ଲୋକ ମାନଙ୍କୁ ସୁବିଧାରେ ପାନୀୟ ଜଳ ଯୋଗାଣ କରିବା ନେଇ କୋଟି କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ତାହା ବାସ୍ତବ କ୍ଷେତ୍ରରେ ପ୍ରହଶନରେ ପରିଣତ ହୋଇଛି । କେଉଁଠି କାର୍ଯ୍ୟ ଅଧାରୁ ବନ୍ଦ ରହିଥିବା ବେଳେ କେଉଁଠି କାର୍ଯ୍ୟଶେଷ ପରେ ମଧ୍ୟ ଜଳ ଯୋଗାଣ କରାଯାଉନାହିଁ । ଏପରି ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି ବନ୍ତ ବ୍ଲକର ଅଧିକାଂଶ ପଞ୍ଚାୟତରେ । ଗୋବିନ୍ଦପୁର ପଞ୍ଚାୟତ ତରାଗୋ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନେଇ କାର୍ଯ୍ୟାଦେଶ ହୋଇଥିଲେ ମଧ୍ୟ ପାଇପ ବୋରିଂ କରାଯାଇ ଅଧାରୁ କାର୍ଯ୍ୟ ବନ୍ଦ ରହିଛି । ଗତ ୨୦୧୮ ମସିହା ଜାନୁଆରୀ ମାସରେ ଜିଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଭଦ୍ରକଙ୍କ ପକ୍ଷରୁ ଏକ କୋଟି ୧୮ ଲକ୍ଷ ୨୮ ହଜାର ଟଙ୍କା ଅଟକଳ ମୂଲ୍ୟରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନେଇ ଟେଣ୍ଡର ହୋଇଥିଲା । ଏହି ପ୍ରକଳ୍ପ ନିର୍ମାଣ ନେଇ ଜନୈକ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏନେଇ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଚିଠି ନଂ-୩୫୬/ତା-୨୫-୧-୨୦୧୮ ମୂଳେ ସଂପୃକ୍ତ ଠିକାଦାରଙ୍କୁ ଅବଗତ କରାଯାଇଥିଲା । ଗତ ତା-୧୬-୧-୨୦୧୮ ରିଖରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ତା-୧୫-୯-୨୦୧୮ ରିଖରେ କାର୍ଯ୍ୟ ଶେଷ କରାଯିବାକୁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ଏହା ମଧ୍ୟରେ ଦୀଘ ମାସ ବିତି ଯାଇଥିଲେ ମଧ୍ୟ କେବଳ ପାଇପ ବୋରିଂ କରାଯାଇ ପ୍ରକଳ୍ପ କାର୍ଯ୍ୟକୁୁ ବନ୍ଦ ରଖାଯାଇଛି । ଫଳରେ ସରକାରଙ୍କ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଯୋଜନାରୁ ଅଞ୍ଚଳବାସୀ ମାନେ ବଂଚିତ ହୋଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ଉକ୍ତ ପଞ୍ଚାୟତର ୩ ଓ ୪ ନଂ.ୱାର୍ଡ ଅଧିନ ସୁନାଗଢିଆ ଓ ଗଭିଗଢିଆ ଏବଂ ୫, ୬, ୭ ନଂ.ୱାର୍ଡ ଅଧିନ ତରାଗୋ ଗ୍ରାମର ପ୍ରାୟ ୪ ହଜାର ଲୋକ ପାନୀୟ ଜଳ ପାଇପାରିଥାନ୍ତେ ବୋଲି ଜଣାଯାଇଛି । ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ପୂର୍ବରୁ ଗ୍ରାମବାସୀ ମାନେ ଜିଲାପାଳ ଓ ସଂପୃକ୍ତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏସଂପର୍କରେ ବ୍ଲକ ପାନୀୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣେନ୍ଦୁ ଶେଖର ମିଶ୍ରଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ନିର୍ମାଣ କାର୍ଯ୍ୟ କରାଯିବା ନେଇ ବିଭାଗ ପକ୍ଷରୁ ୨/୩ ଥର ଉଦ୍ୟମ କରାଯାଇଛି । ଏଥିନେଇ ଜିଲାପାଳ ଓ ବିଡିଓଙ୍କୁ ଅବଗତ କରାଯିବା ପରେ ସଂପୃକ୍ତ ପଞ୍ଚାୟତକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ତେବେ ଗ୍ରାମରେ ବିରୋଧ ଯୋଗୁଁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଛି ବୋଲି କହିଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ ତିଳୋତ୍ତମା ବାରିକଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ, ପଞ୍ଚାୟତରେ ପ୍ରଥମେ ରାସ୍ତା କାର୍ଯ୍ୟ ହେବା ଦରକାର, ପରେ ଏ କାମ ହେଲେ ଆମର ଅସୁବିଧା ନାହିଁ ବୋଲି କହିଥିଲେ । ସେହିପରି ଟିଲୋ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କିଛି ଦିନ ହେବ ବନ୍ଦ ରହିଛି । ଏସଂପର୍କରେ ସରପଞ୍ଚଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ, ମେନ୍ ରୋଡ୍ କାମ ଚାଲୁଥିବା ବେଳେ ପାଇପ ଗୁଡିକ ନଷ୍ଟ ହୋଇ ଯାଇଥିବାରୁ ଜଳଯୋଗାଣ ହୋଇପାରୁନାହିଁ । କନିଷ୍ଠ ଯନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ, ଟିଲୋରେ ପମ୍ପ ଡ୍ରାଇଭର କେହି ନଥିବାରୁ କାର୍ଯ୍ୟ ହୋଇପାରୁନାହିଁ । ସେହିପରି ବନ୍ତ, ନିଳୋକ ଓ ଛୟାଳସିଂ ଆଦି ପଞ୍ଚାୟତରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଥାଇ ମଧ୍ୟ ନିୟମିତ ଜଳ ଯୋଗାଣ ହେବାଇପାରୁନାହିଁ । ଗତ କିଛି ଦିନ ତଳେ ସେଣ୍ଢତୀରା ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏଭଳି ଭାବେ ବିଭିନ୍ନ ପଞ୍ଚାୟତରେ ଜଳ ଯୋଗାଣ ପ୍ରକଳ୍ପ ଏକ ପ୍ରକାର ଅଚଳ ଅବସ୍ଥାରେ ପଡି ରହିଛି । ଅପରପକ୍ଷେ ପ୍ରତ୍ୟେକ ପଞ୍ଚାୟତକୁ ଏସ୍.ଏଫ.ସି ଏବଂ ସି.ଏଫ୍.ସି ଅନୁଦାନ ପାଣ୍ଠିରୁ ଶତକଡା ୩୦ ଭାଗ ଅର୍ଥ ପାନୀୟ ଜଳ ଯୋଗାଣ ବାବଦ ଖର୍ଚ୍ଚ କରିବାକୁ ଦାୟୀତ୍ୱ ଦିଆଯାଇଥିବା ବେଳେ ତାହା ପଞ୍ଚାୟତ ସ୍ତରରେ ସଠିକ୍ ଭାବେ କାର୍ଯ୍ୟ କରାଯାଉନଥିବା ଅଭିଯୋଗ ହୋଇଛି । ତେବେ ଜିଲାପାଳ ଉପରୋକ୍ତ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ