ଏବେ ବି ବଞ୍ଚିଛି ‘ ଆକାଶଦୀପ’ ପରମ୍ପରା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଚାଲିଛି ଧର୍ମର ମାସ କାର୍ତିକ । କୋଟି ଜନ୍ମର ପୁଣ୍ୟ ଅର୍ଜନ ଲାଗି ଆଧ୍ୟାତ୍ମିକ ପ୍ରେମୀ ମହିଳା ମାନେ ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କରି ଆସୁଛନ୍ତି । ମାସ ସାରା ଦିନତମାମ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ବିଭିନ୍ନ ଦେବ ଓ ଦେବୀ ପୀଠ ଗୁଡ଼ିକ ଭକ୍ତ ମାନଙ୍କ ଗହଳିରେ ଚଳଚଞ୍ଚଳ ହୋଇ ଉଠୁଛି । ଏହି ପୁଣ୍ୟ ଅର୍ଜନର କାର୍ତ୍ତିକ ମାସରେ ଏବେ ବି ବଞ୍ଚିଛି ‘ ଆକାଶଦୀପ’ ପରମ୍ପରା । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ତୁଳସୀ ମଣ୍ଡପ ହେଉ କିମ୍ବା କୌଣସି ଦେବାଳୟ ପୋତାଯାଇଥାଏ ଏକ ଲମ୍ବା ବାଉଁଶ । ସେଥିରେ ଦଉଡ଼ି ସଂଲଗ୍ନ ହୋଇ ଶିକାରେ ଏକ ମାଟି ହାଣ୍ଡିରେ ପ୍ରଦୀପ ପ୍ରଜ୍ଜଳନ କରି ଆକାଶ ଦୀପ ଚଢଯାଇଥାଏ । ସନ୍ଧ୍ୟା ପୂର୍ବରୁ କାର୍ତ୍ତିକ ମାସଟି ସାରା ଏହି ଦୀପଦାନ କରାଯାଇଥାଏ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉକ୍ତ ଆକାଶଦୀପରେ ନିଆଁ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ । କାହିଁ କେଉଁ ଆବାହମାନ କାଳରୁ ଏହି ଆକାଶଦୀପ ପରମ୍ପରା ପ୍ରଚଳିତ ହୋଇ ଆସୁଥିଲେ ମଧ୍ୟ ଏହାର ରହସ୍ୟ ଏବେ ବି ଅଧିକାଂଶ ଲୋକଙ୍କ ମଧ୍ୟରେ ଅସୁମାରି ପ୍ରଶ୍ନ ହୋଇ ରହିଯାଇଛି । ଆକାଶଦୀପ ସମ୍ପର୍କରେ ଲକ୍ଷ୍ମୀ – ନାରାୟଣ ଏବଂ ରାଧା- ଦାମଦୋରଙ୍କ ଉଦ୍ଦ୍ୟେଶରେ ପ୍ରଦାନ କରାଯାଉଥିବା କେହି କେହି କହୁଥିବା ବେଳେ ଅନ୍ୟ କେହି ସାଧାରଣ ଦୀପ ମନ୍ଦିର ଗର୍ଭଗୃହ କିମ୍ବା ଦୀପସ୍ଥଳରେ ପ୍ରଦାନ କରାଯାଉଥିବା ବେଳେ ଉକ୍ତ ଦୀପ ଆକାଶରେ ଚାରି ଦେବତାଙ୍କ ଉଦ୍ଦ୍ୟେଶରେ ପ୍ରଦାନ କରାଯାଇଥାଏ ବୋଲି ଶୁଣିବାକୁ ମିଳୁଛି । ପ୍ରାଚୀନ ନୈବାଣିଜ୍ୟ ପରମ୍ପରାର ସଙ୍କେତ ଭାବେ ମଧ୍ୟ ଆକାଶଦୀପ ପ୍ରଜ୍ଜଳିତ ହେଉଥିବା କୁହାଯାଉଛି । ସାଧବପୁଅ ମାନେ ବୋଇତ ସାହାର୍ଯ୍ୟରେ ଜାଭା, ସୁମାତ୍ରା ଆଦି ଦେଶକୁ ବେପାର ବଣିଜ କରିବାକୁ ଯାଇ ଜଳପଥରେ ନିଜ ଦେଶକୁ ଫେରୁଥିଲେ । ସେହି ସମୟରେ ବତୀ ଘର ନଥିଲା । ଏହି ଆକାଶଦୀପ ଦେଖି ସାଧବପୁଅ ମାନେ ଦିଗ ଚିହ୍ନଟ କରି ସମୁଦ୍ର କୁଳକୁ ଆସୁଥିଲେ ବୋଲି ଜଣାପଡ଼ିଛି । ଅପର ପକ୍ଷରେ କାର୍ତ୍ତିକ ମାସରେ ଦୂରଦୁରାନ୍ତରରୁ ପୁରୀ ଯାଉଥିବା ଆଧ୍ୟାତ୍ମିକ ପ୍ରେମୀ ମହିଳା ମାନେ ମଧ୍ୟ ରାତ୍ରୀକାଳିନ ଯାତ୍ରା ସମୟରେ ଏହି ଆକାଶଦୀପକୁ ଦେଖି ତୀର୍ଥ କ୍ଷେତ୍ରରେ ପହଞ୍ଚୁଥିଲେ ବୋଲି କେତେକ ମହଲରେ ମତ ପ୍ରକାଶ ପାଇଛି । ସମୟର ବହୁ ପରିବର୍ତନ ହୋଇଥିଲେ ମଧ୍ୟ ବର୍ତମାନ ଯୁଗରେ ମଧ୍ୟ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡ଼ିକରେ ଏହି ଆକାଶଦୀପ ପ୍ରଥା ପ୍ରଚଳିତ ହୋଇ ଆସୁଥିବା ଦେଖିବାକୁ ମିଳୁଛି ।